୨୦୧୭ ମସିହାର ଅପରାଧ ଓ ହିଂସାର ତଥ୍ୟ ଏନ୍‌ସିଆର୍‌ବି (ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ) ତରଫରୁ ନିକଟରେ ପ୍ରକାଶ ପାଇଛି । ଏଥିରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ୨୦୧୭ ମସିହାରେ ସଂଘଟିତ ମୋଟ୍‌ ଅପରାଧର ୫.୬ ପ୍ରତିଶତ ଅପରାଧ ମାମଲାରେ ମହିଳାଙ୍କ ଉପରେ ହିଂସା ହୋଇଛି। ନାରୀ ହିଂସା କ୍ଷେତ୍ରରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା।

Advertisment

୨୦୧୨ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ଦୁଷ୍କର୍ମ ହାର (ପ୍ରତି ଲକ୍ଷେ ମହିଳାରେ) ୭.୨ରୁ ୯.୭କୁ ବୃଦ୍ଧି ପାଇଥିବା ବେଳେ ଯୌତୁକ ଜନିତ ହତ୍ୟାରେ ଆମ ରାଜ୍ୟର ସ୍ଥାନ ଚତୁର୍ଥରେ ରହିଛି । ଯୌତୁକ ମାମଲାରେ ୨୦୧୨ରୁ ୨୦୧୮ ମଧ୍ୟରେ ରାଜ୍ୟର ୨,୯୨୧ ମହିଳାଙ୍କୁ ହତ୍ୟା କରାଯାଇଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ (ନ୍ୟାସ୍‌ନାଲ୍‌ ଫାମିଲି ହେଲ୍‌ଥ ସର୍ଭେ) ରିପୋର୍ଟରୁ ଜଣାପଡ଼ିଛି ଯେ, ରାଜ୍ୟର ପ୍ରାୟ ୩୫ ପ୍ରତିଶତ ମହିଳା ପତି-ପତ୍ନୀ କଳହରୁ ହିଂସାର ଶିକାର ହେଉଛନ୍ତି। ୨୦୧୨ରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନର ହାର ପ୍ରତି ଲକ୍ଷେରେ ୨୦.୫ ଥିଲାବେଳେ ୨୦୧୬ରେ ତାହା ୩୯.୧ରେ ପହଞ୍ଚିଥିଲା। ନାରୀ ହିଂସା ରୋକିବା ପାଇଁ ମିଳିତ ଜାତିସଂଘ ତରଫରୁ ୨୦୧୭ ମସିହାରେ କେତେକ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଥିଲା। ସେ ମଧ୍ୟରେ ରହିଛି ଲିଙ୍ଗଗତ ସମାନତା ସମ୍ପର୍କରେ ପିଲାଙ୍କୁ ଛୋଟବେଳୁ ସଚେତନ କରାଇବା, ମହିଳା ସଶକ୍ତୀକରଣ, ଅର୍ଥନୈତିକ ସ୍ୱାଧୀନତା, କାର୍ଯ୍ୟକ୍ଷେତ୍ରରେ ପୁରୁଷ ଓ ମହିଳା ମିଶି କାମ କରିବା, ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରିବା ଇତ୍ୟାଦି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଏଭଳି ଯୋଜନା କାର୍ଯ୍ୟକାରୀ କରିବା କଷ୍ଟକର ବ୍ୟାପାର।

publive-image www.heartlyhouse.org

ରାଜ୍ୟରେ ନାରୀଶିକ୍ଷା ହାର ହେଉଛି ୬୭.୪ ପ୍ରତିଶତ। ଝିଅପିଲାଙ୍କୁ ପନ୍ଦର ବର୍ଷ ବୟସ ହୋଇଗଲେ ସେମାନଙ୍କର ସ୍କୁଲ୍‌ ଉପସ୍ଥାନ ହାର ୬୩ ପ୍ରତିଶତକୁ ଖସିଆସୁଛି। ଶିକ୍ଷାକୁ ନାରୀ ହିଂସା ରୋକିବାର ମାଧ୍ୟମ ଭାବେ ବ୍ୟବହାର କରିବାକୁ ହେଲେ ଏ ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ନିଜର ସ୍ୱାସ୍ଥ୍ୟ ପାଇଁ ନିଜେ ନିଷ୍ପତ୍ତି ନେବାର ସୁଯୋଗ ମଧ୍ୟ ରାଜ୍ୟର ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଜୁଟେ ନାହିଁ। ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ଯେ ୩୦ ପ୍ରତିଶତ ବିବାହିତ ମହିଳା ଲାଗାତାର ନିଜ ସ୍ୱାମୀଙ୍କଠାରୁ ମାଡ଼ ଖାଉଛନ୍ତି। ୪୧ ପ୍ରତିଶତ ପୁରୁଷ ଏବଂ ୫୯ ପ୍ରତିଶତ ମହିଳା ଏହାକୁ ଠିକ୍‌ ବୋଲି କହିଥାନ୍ତି। ଆମ ରାଜ୍ୟର ୮୨ ପ୍ରତିଶତ ବୟସ୍କ ଲୋକ (ଉଭୟ ପୁରୁଷ ଓ ମହିଳା) ପୁତ୍ର ସନ୍ତାନ ଜନ୍ମ କରିବାକୁ ଚାହାନ୍ତି, ଅର୍ଥାତ୍‌ ଝିଅପିଲା ଚାହୁନାହାନ୍ତି।

-ସମ୍ବିତ ଦାଶ,

ମଣିପାଲ୍ ମେଡିକାଲ୍ କଲେଜ୍, ମଣିପାଲ୍