ଆଇସ୍‌ଲାଣ୍ଡ୍‌ରେ ୪ ସପ୍ତାହରେ ୪୦ ହଜାର ଥର ଭୂମିକମ୍ପ ହେବା ପରେ ଆକାଶକୁ ଉଦ୍‌ଗୀରଣ ହେଲା ‘ଲାଭା’

କୋପେନ୍‌ହେଗନ୍‌: ଗତ ୪ ସପ୍ତାହ ମଧ୍ୟରେ ପ୍ରାୟ ୪୦ ହଜାର ଥର ଭୂକମ୍ପନ ଅନୁଭୂତ ହେବା ପରେ ଶୁକ୍ରବାର ରାତିରେ ଆଇସ୍‌ଲାଣ୍ଡ୍‌ର ରାଜଧାନୀ ରେକିଆଭେକ୍‌ ନିକଟରେ ଆକାଶର ଖୁବ୍‌ ଉପରକୁ ଗଳିତ ଧାତୁ ବା ‘ଲାଭା’ ଉଦ୍‌ଗୀରଣ ହୋଇଥିଲା।

Image Courtesy of India Today

ରାଜଧାନୀର ଦକ୍ଷିଣପଶ୍ଚିମକୁ ପ୍ରାୟ ୩୦ କିଲୋମିଟର୍‌ ଦୂରେ ଅବସ୍ଥିତ ରେକିଆଭେକ୍‌ ଉପଦ୍ୱୀପରେ ଥିବା ଫାଗ୍ରାଦାଲ୍‌ସ୍‌ଫିଆଲ୍‌ ପର୍ବତରୁ ଏହି ଗଳିତ ଧାତୁର ଉଦ୍‌ଗୀରଣ ହୋଇଥିଲା।

୧୨ଶ ଶତାବ୍ଦୀ ପରେ ପ୍ରଥମ କରି ଏହି ଉପଦ୍ୱୀପରେ ଉଦ୍‌ଗୀରଣ ହେବାର ୪ ଘଣ୍ଟା ପରେ ଦେଖାଗଲା, ପ୍ରାୟ ୧ ବର୍ଗ କିଲୋମିଟର୍‌ ଅଞ୍ଚଳ ଗଳିତ ଧାତୁରେ ଆଚ୍ଛାଦିତ ହୋଇଯାଇଛି।

Image Courtesy of India Today

ଉଦ୍‌ଗୀରଣ ସମୟରେ ଆକାଶ ଲାଲ୍‌ ଦିଶୁଥିବା କଥା ୮ କିଲୋମିଟର୍‌ ଦୂରରେ ଥିବା କେତେକ ବାସିନ୍ଦା ସେମାନଙ୍କ ଝର୍କା ବାଟେ ଦେଖିଥିବା କହୁଛନ୍ତି।

ଗତକାଲିର ଉଦ୍‌ଗୀରଣ ଛୋଟ ଧରଣର ହୋଇଥିବାରୁ ଜନଜୀବନ ପ୍ରତି କୌଣସି ବିପଦ ନାହିଁ ବୋଲି ପାଣିପାଗ ବିଭାଗର ଅଧିକାରୀମାନେ କହିଛନ୍ତି। ୫୦୦ରୁ ୭୫୦ ମିଟର୍‌ ଲମ୍ବବିଶିଷ୍ଟ ପର୍ବତ ଫାଟ ବାଟେ ପ୍ରାୟ ୧୦୦ ମିଟର ଉଚ୍ଚକୁ ଗଳିତ ଧାତୁର ଫୁଆରା ଉଠିଥିଲା ବୋଲି ସେମାନେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ମସିହାରୁ ପ୍ରତିବର୍ଷ ଏଠାରେ ୧୦୦୦ ରୁ ୩୦୦୦ ଭୂମିକମ୍ପ ଅନୁଭୂତ ହୋଇଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର