ସ୍ୱେଚ୍ଛାକୃତ ଅବସର ଠିକ୍‌ କଥା ନୁହେଁ: ସୁପ୍ରିମ୍‌ କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଅଧିକାରଭୁକ୍ତ ହୋଇ ଥିଲେ ମଧ୍ୟ ସରକାରୀ କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିପାରିବେ ନାହିଁ। ବୃହତ୍ତର ଜନସ୍ୱାର୍ଥ ଦୃଷ୍ଟିରୁ ସ୍ୱେଚ୍ଛାକୃତ ଆବେଦନକୁ ଅଗ୍ରାହ୍ୟ କରିବାକୁ ସରକାର ନିୟମ କରି ପାରିବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଯୁଗ୍ମ ନିର୍ଦେଶକ ଏବଂ ବରିଷ୍ଠ ପରାମର୍ଶଦାତା ପାହ୍ୟାର ଚାରିଜଣ ବରିଷ୍ଠ ଡାକ୍ତରଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଉତ୍ତର ପ୍ରଦେଶ ସରକାର ରଦ୍ଦ କରିଥିବା ନିଷ୍ପତ୍ତିକୁ ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ଏସ୍‌ ଅବ୍ଦୁଲ୍‌ ନାଜୀରଙ୍କ ଖଣ୍ଡପୀଠ କାଏମ୍‌ ରଖିବା ସହ କହିଛନ୍ତି କି, ରାଜ୍ୟରେ ଡାକ୍ତର ସଂକଟ ଉତ୍କଟ ହୋଇ ଥିବାରୁ ସରକାରଙ୍କ ନିଷ୍ପତ୍ତି ଯୁକ୍ତିଯୁକ୍ତ। ଜଣେ କର୍ମଚାରୀ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ବେଳେ ସରକାର ସର୍ବସାଧାରଣଙ୍କ ସ୍ୱାର୍ଥ କଥା ଭାବିବା ଉଚିତ।

ଖଣ୍ଡପୀଠ କହିଛନ୍ତି: ସରକାରଙ୍କ ନିଷ୍ପତ୍ତି ମାନବ ଜୀବନକୁ ଆବଶ୍ୟକତା ଯୋଗାଇ ଦେବା ଓ ସର୍ବସାଧାରଣ ସ୍ୱାର୍ଥର ଉଦ୍ଦେଶ୍ୟ ବହନ କରୁଛି। ସମ୍ବିଧାନର ଭାଗ ୩ ଆଧାରରେ ଅବସର ନେବାକୁ ଡାକ୍ତରମାନେ ଅଧିକାର ସାବ୍ୟସ୍ତ କରୁଛନ୍ତି। ଜୀବନ ଧାରଣ ଅଧିକାର ଠାରୁ ଏ ଅଧିକାର ବଡ଼ ନୁହେଁ। ସମ୍ବିଧାନର ଭାଗ ୪ରେ ଥିବା ରାଜ୍ୟ ସରକାରଙ୍କ ଅଧିକାର ଅନୁସାରେ ଭାଗ ୩ର ଅଧିକାରକୁ ବ୍ୟାଖ୍ୟା କରାଯିବା ଉଚିତ। ଯଦି ସେ ଭଳି ପରିସ୍ଥିତିରେ ସବୁ ଡାକ୍ତରଙ୍କୁ ଅବସର ଗ୍ରହଣ କରିବାକୁ ଅନୁମତି ଦିଆଯିବ, ଚାରିଆଡ଼େ ବିଭ୍ରାଟ ଦେଖାଯିବ ଓ ସରକାରୀ ଡାକ୍ତରଖାନାରେ ଆଉ ଡାକ୍ତର ନ ଥିବେ। ଏହା ଜନମଙ୍ଗଳ ରାଷ୍ଟ୍ର ବିରୋଧୀ ଏବଂ ଜନସ୍ୱାର୍ଥ ପ୍ରତି ବିପଦ୍‌।

ସମ୍ବନ୍ଧିତ ଖବର