ସାଂସଦ ବାଜପେୟୀଙ୍କ ରେକର୍ଡ
୫ଟି ବିଭିନ୍ନ ଲୋକସଭା ଆସନରୁ ଜିଣିଥିବା ଏକମାତ୍ର ସାଂସଦ ହେଉଛନ୍ତି ଅଟଳ ବିହାରୀ ବାଜପେୟୀ। ସେ ୧୯୫୭ ଓ ୬୭ରେ ବଳରାମପୁର, ୧୯୭୧ରେ ଗ୍ବାଲିଅର, ୧୯୭୭ ଓ ୮୦ରେ ନୂଆଦିଲ୍ଲୀ, ୧୯୯୬ରେ ଗାନ୍ଧିନଗର, ୧୯୯୧, ୧୯୯୬, ୧୯୯୮ ଓ ୨୦୦୪ରେ ଲକ୍ଷ୍ନୌ ଆସନରୁ ଜିଣିଥିଲେ। ୧୯୯୬ରେ ସେ ଏକସଙ୍ଗେ ଗାନ୍ଧିନଗର ଓ ଲକ୍ଷ୍ନୌ ଆସନରୁ ଜିଣି ଲକ୍ଷ୍ନୌ ଆସନ ରଖି ଗାନ୍ଧିନଗର ଛାଡ଼ିଦେଇଥିଲେ। ୧୯୫୭ ଦ୍ବିତୀୟ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଓ ୨୦୦୪ ନିର୍ବାଚନରେ ଶେଷଥର ଲୋକସଭା ନିର୍ବାଚନ ଲଢ଼ିଥିବା ବାଜପେୟୀ ମୋଟ ୧୩ ଥର ଲଢ଼ି ୧୧ ଥର ଜିତିଥିଲେ। ୧୯୬୨ରେ ବଳରାମପୁର-ଲକ୍ଷ୍ନୌ ଦ୍ବେତ ଆସନରୁ ତଥା ୧୯୮୪ରେ ଗ୍ବାଲିଅର ଆସନରୁ ସେ ପରାଜିତ ହୋଇଥିଲେ। ଲୋକସଭାକୁ ନିର୍ବାଚିତ ହେବାପାଇଁ ବାଜପେୟୀଙ୍କୁ ବିଭିନ୍ନ ସମୟରେ ବେଶ ବଡ଼ବଡ଼ ହସ୍ତୀଙ୍କୁ ସାମନା କରିବାକୁ ପଡ଼ିଛି। ୧୯୬୨ରେ ବଳରାମପୁର-ମଥୁରା ଆସନରେ ରାଜା ମହେନ୍ଦ୍ର ପ୍ରତାପ ଓ ୧୯୮୪ରେ ଗ୍ବାଲିଅର ଆସନରେ ମାଧବରାଓ ସିନ୍ଧିଆଙ୍କଠାରୁ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ତେବେ ୧୯୮୦ରେ ନୂଆଦିଲ୍ଲୀ ଆସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କେରଳର କଂଗ୍ରେସ ନେତାଙ୍କ ସହ, ୧୯୯୬ରେ ଲକ୍ଷ୍ନୌ ଆସନରେ ବିଶିଷ୍ଟ ଚଳଚ୍ଚିତ୍ର ତାରକା ତଥା ସମାଜବାଦୀ ପାର୍ଟି ପ୍ରାର୍ଥୀ ରାଜ ବବ୍ବର, ୧୯୯ରେ ସେହି ଆସନରେ ବିଶିଷ୍ଟ କଂଗ୍ରେସ ନେତା ଡ.କରନ ସିଂହ ଓ ୨୦୦୪ରେ ସେହିଠାରେ ବିଶିଷ୍ଟ ଆଇନଜ୍ଞ ତଥା ସ୍ବାଧୀନ ପ୍ରାର୍ଥୀ ରାମ ଜେଠମାଲାନୀଙ୍କ ସହ ଲଢ଼ି ସେମାନଙ୍କୁ ପରାଜିତ କରିଥିଲେ।
ରାଜନୀତିରେ ସବୁ ସମ୍ଭବ; ବାମ-ଦକ୍ଷିଣ ଏକାକାର
୧୯୮୯ ନବମ ସାଧାରଣ ନିର୍ବାଚନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ନ ପାଇଥିଲେ ମଧ୍ୟ କଂଗ୍ରେସ ସର୍ବାଧିକ ୧୯୭ ଆସନ ପାଇଥିଲା। ତେବେ କଂଗ୍ରେସକୁ କ୍ଷମତା ବାହାରେ ରଖିବା ପାଇଁ ଦୁଇ ଆଦର୍ଶଗତ ପାରମ୍ପରିକ ବିରୋଧୀ ବିଜେପି ଓ ସିପିଆଇ-ସିପିଏମ୍ ବାହାରେ ଥାଇ ଭି.ପି.ସିଂହଙ୍କ ନେତୃତ୍ବାଧୀନ ସରକାର(୨ ଡିସେମ୍ବର ୧୯୮୯ରୁ ୧୦ ନଭେମ୍ବର ୧୯୯୦)କୁ ସମର୍ଥନ ଦେଇଥିଲେ। ବାମପନ୍ଥୀ ଦଳମାନେ ଦକ୍ଷିଣପନ୍ଥୀ ବିଜେପି ସହ ଏ କ୍ଷେତ୍ରରେ ସମାନ ଆଭିମୁଖ୍ୟ ପୋଷଣ କରିବା ଭାରତୀୟ ରାଜନୀତିରେ ଏକ ବିରଳ ଘଟଣା ଥିଲା।