ମୁମ୍ବାଇ: ଆଧାର କାର୍ଡ ଜଣେ ବ୍ୟକ୍ତିର ନାଗରିକତାର ପ୍ରମାଣ ପାଇଁ ଏକ ବୈଧ ଦଲିଲ ନୁହେଁ ବୋଲି ଆଧାର କର୍ତ୍ତୃପକ୍ଷ ସ୍ପଷ୍ଟ କରିଦେବା ପରେ ଏବେ ନିଜର ନାଗରିକତ୍ୱର ପ୍ରମାଣ ଦେବା ପାଇଁ ଜଣେ ବ୍ୟକ୍ତିର କେଉଁ ପରିଚୟ ପତ୍ରକୁ ଏକ ବୈଧ ଓ ପର୍ଯ୍ୟାପ୍ତ ଦଲିଲ ରୂପେ ଗ୍ରହଣ କରାଯିବ, ତାକୁ କେନ୍ଦ୍ରକରି ଏକ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା।
ତେବେ, ମୁମାଇର ଏକ ଅଦାଲତ ଗୁରୁବାର ଦିନ ଏ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି। ନିକଟରେ ମହାରାଷ୍ଟ୍ର ପୁଲିସ୍ ‘ବାଂଲାଦେଶୀ ଅନୁପ୍ରବେଶ’ କାରୀର ଆରୋପ ଲଗାଇ ଦୁଇଜଣ ବ୍ୟକ୍ତିଙ୍କୁ ଗରିଫ କରିଥିଲା। ତେବେ, ପୁଲିସ ହାତରେ ଗିରଫ ହୋଇଥିବା ଏହି ବ୍ୟକ୍ତିଙ୍କ ନିକଟରେ ସେମାନଙ୍କର ଭୋଟର ପରିଚୟ ପତ୍ର ରହିଥିଲା। ଅଭିଯୁକ୍ତମାନଙ୍କ ଭୋଟର ପରିଚୟ ପତ୍ରକୁ ଦେଖିବା ପରେ ଅଦାଲତ ଏହି ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦେଇଥିଲେ।
/sambad/media/post_attachments/wp-content/uploads/2020/02/Voter1.jpg)
ଏଥିସହ ଅଦାଲତ ସ୍ପଷ୍ଟ କରି ଦେଇଥିଲେ ଯେ ନିଜର ନାଗରିକତ୍ୱର ପ୍ରମାଣ ଦେବା ପାଇଁ ଜଣେ ବ୍ୟକ୍ତିର ଭୋଟର ପରିଚୟ ପତ୍ର ହେଉଛି ଏକ ବୈଧ ଓ ପର୍ଯ୍ୟାପ୍ତ ଦଲିଲ। ଏବଂ ଭୋଟର ପରିଚୟ ପତ୍ରକୁ ନାଗରିକତାର ପ୍ରମାଣ ପତ୍ର ରୂପେ ଗ୍ରହଣ କରାଯାଇ ପାରିବ। ତେବେ, ନାଗରିକତାର ପ୍ରମାଣ ଉଦ୍ଦେଶ୍ୟରେ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ କିମ୍ବା ରାସନ୍ କାର୍ଡକୁ ଏକ ବୈଧ କିମ୍ବା ପର୍ଯ୍ୟାପ୍ତ ଦଲିଲ ରୂପେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରି ଦେଇଛନ୍ତି।