ନୂଆଦିଲ୍ଲୀ: ଭୋଟର୍‌ ତଥ୍ୟ ପ୍ରଦାନ ମାମଲାରେ ନିର୍ବାଚନ କମିସନଙ୍କୁ ଆଜି ସୁପ୍ରିମ୍‌କୋର୍ଟରେ ବଡ଼ ଆଶ୍ବସ୍ତି ମିଳିଛି। ଚଳିତ ଲୋକସଭା ନିର୍ବାଚନରେ ମତଦାନର ୪୮ ଘଣ୍ଟା ମଧ୍ୟରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ହୋଇଥିବା ଭୋଟ୍ ସଂଖ୍ୟା ସମେତ ଚୂଡ଼ାନ୍ତ ପ୍ରମାଣିତ ମତଦାନ ତଥ୍ୟ ପ୍ରକାଶ କରିବା ପାଇଁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି। ବୁଥ୍‌ୱାରି ତଥ୍ୟ ପ୍ରକାଶ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ବଜାୟ ରଖିବା ପାଇଁ ଜରୁରୀ ବୋଲି ଦର୍ଶାଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଆବେଦନ କରିଥିଲା। ଏହି ଆବେଦନ ଉପରେ ନିର୍ବାଚନ କମିସନ ଗତକାଲି ସତ୍ୟପାଠ ମାଧ୍ୟମରେ ସୁପ୍ରିମ୍‌କୋର୍ଟରେ ଜବାବ ରଖିଥିଲେ ଏବଂ ଏଭଳି ତଥ୍ୟ ପ୍ରକାଶ କେବଳ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କୁ ହିଁ ସୁହାଇବ ବୋଲି କହିଥିଲେ। ଆଜି ଏହି ମାମଲାର ଶୁଣାଣି କରି ନିର୍ବାଚନ କମିସନଙ୍କୁ ତଥ୍ୟ ପ୍ରକାଶ ସଂକ୍ରାନ୍ତ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି।

Advertisment

ତଥ୍ୟ ଅପ୍‌ଲୋଡ ପାଇଁ ଅନ୍ତରୀଣ ଆଦେଶ ଦିଆଯିବ ନାହିଁ
ନିର୍ବାଚନ ପରେ ନିୟମିତ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ

ଏଭଳି ତଥ୍ୟ ପ୍ରକାଶ ନିମନ୍ତେ ଆମେ ନିର୍ବାଚନ କମିସନଙ୍କୁ କୌଣସି ଅନ୍ତରୀଣ ଆଦେଶ ଜାରି କରିପାରିବୁ ନାହିଁ ବୋଲି ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ୫ଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ୨ଟି ପର୍ଯ୍ୟାୟ ବାକି ଥିବାରୁ ବର୍ତ୍ତମାନ ସ୍ଥିତିରେ ଏଭଳି କୌଣସି ନିର୍ଦ୍ଦେଶନାମା ଜାରି କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚନ କମିସନଙ୍କ ପାଇଁ ହଠାତ୍‌ ଏ ବାବଦରେ ମାନବ ସମ୍ବଳ ସଂଗ୍ରହ ଏବଂ ପ୍ରତି ବୁଥ୍‌କୁ ନେଇ ଭିନ୍ନ ଆହ୍ବାନର ମୁକାବିଲା କରି ତଥ୍ୟ ପ୍ରକାଶ କରିବା ସହଜ ହେବନାହିଁ। ଏହା କାର୍ଯ୍ୟକାରୀ କରିବା ପାଇଁ ବର୍ତ୍ତମାନ ସ୍ଥିତିରେ କୁହାଯାଇପାରିବ ନାହିଁ ବୋଲି କୋର୍ଟ କହିବା ସହ ଏଡିଆର୍‌ ଆବେଦନକୁ ସ୍ଥଗିତ ରଖିଛନ୍ତି।

ନିର୍ବାଚନ ପରେ ଏହି ମାମଲା ନିୟମିତ ଖଣ୍ଡପୀଠରେ ବିଚାର ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଭୋଟର୍‌ଙ୍କ ମତଦାନ ତଥ୍ୟକୁ ୱେବ୍‌ସାଇଟରେ ଅପ୍‌ଲୋଡ କରିବା ପାଇଁ ଆବଶ୍ୟକ ମାନବ ସମ୍ବଳ ଆବଣ୍ଟନ କରିବା ନିର୍ବାଚନ କମିସନଙ୍କ ପାଇଁ ଚ୍ୟାଲେଞ୍ଜ ହେବା ସହ କମିସନଙ୍କ ପକ୍ଷରୁ ତଥ୍ୟ ପ୍ରକାଶ ସଂକ୍ରାନ୍ତ ଯେଉଁ ସମସ୍ୟାଗୁଡ଼ିକ ଦର୍ଶାଯାଇଥିଲା ତାହାକୁ ମଧ୍ୟ କୋର୍ଟ ବିଚାରକୁ ନେଇ ଏଭଳି ରାୟ ଶୁଣାଇଛନ୍ତି। ଏଡିଆର୍‌ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ନିର୍ବାଚନ କମିସନଙ୍କଠାରୁ ଗତ ୧୭ ତାରିଖରେ ଜବାବ ମାଗିଥିଲେ। ନିର୍ବାଚନ ପରେ ସମସ୍ତ ମତଦାନ କେନ୍ଦ୍ରର ଫର୍ମ ୧୭ସି ପାର୍ଟ-୧ (ଆକାଉଣ୍ଟ ଅଫ୍ ଭୋଟ୍ ରେକର୍ଡ)ର ସ୍କାନ୍ ଯୋଗ୍ୟ କପି ତୁରନ୍ତ ଅପଲୋଡ୍ କରିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବାକୁ ଏଡିଆର ଜନସ୍ୱାର୍ଥ ମାମଲା ମାଧ୍ୟମରେ ଆବେଦନ କରିଥିଲା। ଚଳିତ ଲୋକସଭା ନିର୍ବାଚନର ପ୍ରଥମ ଦୁଇ ପର୍ଯ୍ୟାୟ ପାଇଁ ନିର୍ବାଚନ କମିସନ ଘୋଷଣା କରିଥିବା ଚୂଡ଼ାନ୍ତ ମତଦାନ ହାର ପ୍ରାରମ୍ଭିକ ଆକଳନ ତୁଳନାରେ ଅଧିକ ଥିବାରୁ ଏହାକୁ ନେଇ କଂଗ୍ରେସ ସମେତ କେତେକ ବିରୋଧୀ ଦଳ ଆପତ୍ତି ଉଠାଇଥିଲେ। ଏହି ବିବାଦକୁ ଦୃଷ୍ଟିରେ ରଖି ଏଡିଆର ପକ୍ଷରୁ ଏହି ଆବେଦନ ଦାଖଲ କରାଯାଇଥିଲା।