ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନଗର ପାଳିକା ନିର୍ବାଚନ ଶେଷ ହୋଇଯାଇଛି। ଏହି କ୍ରମରେ ଏକ ଆଶ୍ଚର୍ଯ୍ୟନୀୟ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ନଗର ପାଳିକା ନିର୍ବାଚନ ପାଇଁ ହସନପୁର ମ୍ୟୁନିସିପାଲଟିର ୱାର୍ଡ ମେମ୍ବର ଆସନ ପାଇଁ ଆସିୟା ବିବି ନାମ୍ନୀ ୨୫ ବର୍ଷୀୟା ମହିଳା ଗତ ଏପ୍ରିଲ ୧୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୃତ୍ୟୁ ପରେ ବି ଆସିୟା ନିର୍ବାଚନ ଜିତି ଯାଇଛନ୍ତି।
ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଆସିୟା କହିଥିଲି, ‘ମୁଁ ପୂର୍ବରୁ କେବେ ନିର୍ବାଚନ ଲଢ଼ି ନାହିଁ କି ରାଜନୀତି ବିଷୟରେ ବିଶେଷ କିଛି ଜ୍ଞାନ ନାହିଁ। କିନ୍ତୁ ଲୋକଙ୍କୁ ସେବା କରିବା, ଲୋକଙ୍କ ସମସ୍ୟା ବୁଝି ତାହାର ସମାଧାନ କରିବା ପ୍ରତି ମୋର ଦୁର୍ବଳତା ରହିଛି। ତେଣୁ ବିବାହ ପରେ ଏହି ନିର୍ବାଚନ ଲଢ଼ିବାକୁ ସ୍ବାମୀଙ୍କ ସହିତ ଆଲୋଚନା କରିଥିଲି। ସେ ବି ମୋର ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ତେଣୁ ମୁଁ ଏହି ନିର୍ବାଚନ ମିଇଦାନକୁ ଓହ୍ଲାଇଛି। ଯଦି ମୁଁ ନିର୍ବାଚନ ଜିତେ ତେବେ ମୋ ଦ୍ବାରା ଯେତିକି ହୋଇପାରିବ ମୁଁ ଲୋକଙ୍କ ସେବା କରିବି।’
ଖୁସିର ବିଷୟ କି ଆସିୟା ପ୍ରଥମଥର ନିର୍ବାଚନ ମଇଦାନକୁ ଓହ୍ଲାଇ ଥିଲେ ହେଁ ସେ ନିର୍ବାଚନ ଜିତି ଯାଇଛନ୍ତି। କିନ୍ତୁ ଦୁଃଖର ବିଷୟ କି ନିର୍ବାଚନ ଜିତିଲେ ଲୋକଙ୍କ ସମସ୍ୟାର ସମାଧାନ କରିବେ ବୋଲି ଆସିୟା ରଖିଥିବା ଇଚ୍ଛା ଅଧାରେ ରହିଗଲା। କାରଣ ଆସିୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୨୦ ତାରିଖରେ ସେ ଏଦୁନିଆକୁ ଅଲ ବିଦା କହିଥିଲେ।
ଆସିୟାଙ୍କୁ ଜନତା ଏତେ ଭଲ ପାଉଥିଲେ କି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଗତ ୪ ତାରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ତାଙ୍କୁ ହିଁ ଭୋଟ ଦେଇଥିଲେ। ଆଉ ଏହାର ଫଳାଫଳ ଆସିବା ପରେ ଆସିୟା ଜିତି ଯାଇଛନ୍ତି।
ଏହି ଘଟଣାକୁ ନେଇ ନିର୍ବାଚନ ଅଧିକାରୀ କହିଛନ୍ତି, ‘ଆସିୟା ଆଉ ଏ ଦୁନିଆରେ ନ ଥିବାରୁ ବାସ୍ତବତାକୁ ଗ୍ରହଣ କରି ପୁଣି ଥରେ ଭୋଟ ଗ୍ରହଣ ପ୍ରକ୍ରିୟା କରାଯିବ ।’