ନ୍ୟୁଜିଲାଣ୍ଡରେ ଭୋଟଦାନ ବୟସ ୧୬କୁ କମିବ !

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡରେ ଭୋଟଦାନ ପାଇଁ ସର୍ବନିମ୍ନ ବସୟସୀମା ୧୮ରୁ ୧୬କୁ କମାଇବାକୁ ସେଠାକାର ସଂସଦରେ ବିତର୍କ ହେବ । ଆବଶ୍ୟକ ପଡ଼ିଲେ ସାଂସଦମାନଙ୍କ ମଧ୍ୟରେ ଭୋଟ କରାଯାଇ ଆଇନରେ ପରିବର୍ତ୍ତନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡର୍ନ କହିଛନ୍ତି ।

ସୋମବାରଦିନ ନ୍ୟୁଜିଲାଣ୍ଡର ସୁପ୍ରିମ କୋର୍ଟ ଏକ ରାୟ ଦେଇ କହିଥିଲେ ଯେ ଦେଶରେ ବର୍ତ୍ତମାନ ପ୍ରଚଳିତ ୧୮ ବର୍ଷ ଭୋଟଦାନ ବୟସ ପକ୍ଷପାତପୂର୍ଣ୍ଣ । କାରଣ ଦେଶରେ ୧୭ ବର୍ଷୀୟ ଓ ୧୬ ବର୍ଷୀୟ ମାନଙ୍କୁ ଭୋଟ ଦେବାକୁ ଅନୁମତି ଦିଆଯାଉନାହିଁ । ସେମାନେ ଯଦି ଟିକସ ଦେଇପାରିବେ ଓ ଗାଡ଼ି ଚଳାଇପାରିବେ, ତେବେ ଭୋଟ କାହିଁକି ଦେଇପାରିବେ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ ।

ନ୍ୟୁଜିଲାଣ୍ଡର ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ ସେଠାକାର ସଂସଦ ଏହା ଉପରେ ବିତର୍କ କରିବାକୁ ବାଧ୍ୟ । କିନ୍ତୁ ଭୋଟଦାନ ବୟସ କମାଇବାକୁ ଏକ ଆଇନ ପ୍ରଣୟନ କରିବାକୁ ବାଧ୍ୟ ନୁହେଁ ।

ନ୍ୟୁଜିଲାଣ୍ଡ ସଂସଦରେ ଏପରି ଭୋଟଦାନ ସଂପର୍କୀୟ  ଆଇନରେ ସଂଶୋଧନ କରିବାକୁ ହେଲେ ୭୫ ପ୍ରତିଶତ ସଦସ୍ୟଙ୍କ ସହମତି ଆବଶ୍ୟକ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ୭୫ ପ୍ରତିଶତ ସାଂସଦଙ୍କ ସମର୍ଥନ ହାସଲ କରିବା କଷ୍ଟକର ବୋଲି ପ୍ରଧାନମନ୍ତ୍ରୀ ସ୍ବୀକାର କରିଛନ୍ତି ।

ଭୋଟଦାନ ଅଧିକାର ପାଇଁ ନ୍ୟୁଜିଲାଣ୍ଡରେ ଗତ କିଛି ମାସ ହେଲା ଏକ ଅଭିଯାନ ଚାଲି ଆସୁଥିଲା । ଏହାର ନାମ ଥିଲା ‘ମେକ୍ ଇଟ୍ ୧୬’ । ସୁପ୍ରିମକୋର୍ଟ ଏହି ଅଭିଯାନ ସପକ୍ଷରେ ରାୟ ଦେବା ପରେ ଦେଶର ଯୁବପୀଢି ଏହାକୁ ସ୍ବାଗତ କରିଛନ୍ତି ।

ସମ୍ବନ୍ଧିତ ଖବର