ସରିଲା ତୃତୀୟ ପର୍ଯ୍ୟାୟ ମତଦାନ: ପଶ୍ଚିମବଙ୍ଗରେ ୭୭.୬୮ପ୍ରତିଶତ ଓ ଆସାମରେ ୭୮.୯୪ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ଓ ଆସାମରେ ତୃତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ମତଦାନ ଏବେ ସାରିଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ପଶ୍ଚିମବଙ୍ଗରେ ୭୭.୬୮ପ୍ରତିଶତ ମତଦାନ ହୋଇଥିବା ବେଳେ ଆସାମରେ ୭୮.୯୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗ ଓ ଆସାମ ସହ ଆଜି ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ମଧ୍ୟ ବିଧାନସଭା ନିର୍ବାଚନ ହୋଇଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ଯଥାକ୍ରମେ ୬୪.୯୨,୬୯.୯୩ ଏବଂ ୭୭.୯୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୧ଟି ବିଧାନସଭା ଆସନରେ ଭୋଟ ହୋଇଛି। ହାଓଡ଼ା, ହୁଗୁଳି ଏବଂ ଦକ୍ଷିଣ ୨୪ ପ୍ରଗଣାର ୭୮.୫ ଲକ୍ଷ ଭୋଟର ୨୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପି ନେତା ସ୍ବପନ ଦାସଗୁପ୍ତା, ତୃଣମୂଳ ମନ୍ତ୍ରୀ ଅସୀମା ପାତ୍ର ଏବଂ ସିପି(ଏମ୍‌) ନେତା କାନ୍ତି ଗାଙ୍ଗୁଲି। ଶାନ୍ତିପୂର୍ଣ୍ଣ ଭୋଟ୍‌ ଗ୍ରହଣ ପାଇଁ ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ମତଦାନ ହୋଇଥିବା ୧୦,୮୭୧ ବୁଥ୍‌ରେ ୬୧୮ କମ୍ପାନି ସିଏପିଏଫ୍‌ ମୁତୟନ କରାଯାଇଥିଲା। ଏହିସବୁ ବୁଥ୍‌କୁ ‘ସମ୍ବେଦନଶୀଳ’ ଘୋଷଣା କରିଥିଲେ ନିର୍ବାଚନ କମିସନ୍‌। ଏଥିସହିତ ଏସବୁ ଆସନ ଅଞ୍ଚଳରେ ନିର୍ବାଚନ କମିସନ ୧୪୪ ଧାରା ଲାଗୁ କରିଥିଲେ।

ତାମିଲନାଡ଼ୁରେ ଗୋଟିଏ ପର୍ଯ୍ୟାୟରେ ୨୩୪ ଆସନରେ ମୋଟ ୩,୯୯୮ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏଠାରେ ମୁଖ୍ୟତଃ ଶାସକ ଦଳ ଏଆଇଏଡିଏମ୍‌କେର ମୁଖ୍ୟମନ୍ତ୍ରୀ ଇଦାପାଡ଼ି କେ ପାଲାନିସ୍ବାମୀ ଏବଂ ବିରୋଧୀ ଡିଏମ୍‌କେର ଏମ୍‌ କେ ଷ୍ଟାଲିନ୍‌ଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା।

Assembly Elections 2021: Voting Ends; West Bengal Sees 77.68% Voter Turnout, Assam Witnesses 78.94% Voting in Phase 3 Till 6 PM; Here is The Voter Turnout in Tamil Nadu, Kerala & Puducherry
latestly

କେରଳର ମୋଟ ୧୪୦ଟି ଆସନରେ ୨.୭୪ କୋଟି ଭୋଟର୍‌ ୯୫୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ଶାସକ ଏଲ୍‌ଡିଏଫ୍‌ ଏବଂ ବିରୋଧ ୟୁଡିଏଫ୍‌ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳିଛି। ୧୯୮୦ ମସିହାରୁ ଏହି ଦୁଇ ଦଳ ପର୍ଯ୍ୟାୟକ୍ରମେ ସରକାର ଗଠନ କରି ଆସୁଛନ୍ତି। ଚଳିତ ନିର୍ବାଚନ ପାଇଁ ଉଭୟ ଦଳ ବ୍ୟାପକ ପ୍ରଚାର, ମାରାଥନ୍‌ ରୢାଲି ଏବଂ ଆଖିଦୃଶିଆ ରୋଡ୍‌ ସୋ’ କରିଥିଲେ।

ଆସାମରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍‌ରେ ୧୨ଟି ଜିଲ୍ଲାର ୪୦ ଆସନରେ ୩୩୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ବିଜେପି ମେଣ୍ଟ ଏବଂ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ପୁଡୁଚେରୀର ମୋଟ ୩୦ଟି ଆସନରେ ୩୨୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୧୦,୦୪,୫୦୭ ଭୋଟର୍‌।

ସମ୍ବନ୍ଧିତ ଖବର