୪ ରାଜ୍ୟରେ ଭୋଟ୍‌ ଶେଷ, ପଶ୍ଚିମବଙ୍ଗରେ ଆଉ ୫ ପର୍ଯ୍ୟାୟ ‌‌ଭୋଟ୍‌

କେରଳ ଓ ପଶ୍ଚିମବଂଗରେ ହିଂସା

ନୂଆଦିଲ୍ଲୀ : ଦେଶରେ ଆଜି ୪ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ସରିଛି ।ଏହି ରାଜ୍ୟଗୁଡ଼ିକ ହେଲା କେରଳ, ଆସାମ, ତାମିଲନାଡ଼ୁ ଏବଂ କେନ୍ଦ୍ର ଶାସିତ ଅଂଚଳ ପୁଡ଼ୁଚେରୀ। ସବୁଠୁ ଗୁରୁତ୍ବପୂର୍ଣ୍ଣ ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ଶେଷ ହୋଇଥିବା ବେଳେ ଆଉ ୫ ପର୍ଯ୍ୟାୟ ଭୋଟ୍‌ ବାକି ଅଛି। କେରଳ, ତାମିଲନାଡ଼ୁ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଶେଷ ହୋଇଛି। ତାମିଲନାଡ଼ୁରେ ୨୩୪ ଆସନ, କେରଳରେ ୧୪୦ ଆସନ, ପୁଡ଼ୁଚେରୀରେ ୩୦ ଆସନରେ ଆଜି ଗୋଟିଏ ଦିନରେ ଭୋଟ୍‌ ଥିଲା। ଆସାମରେ ଚୂଡ଼ାନ୍ତ ପର୍ଯ୍ୟା‌ୟରେ ୪୦ ଆସନରେ ଭୋଟ୍‌ ଶେଷ ହୋଇଛି। ଆସାମରେ ୮୨.୧୫% ମତଦାନ ହୋଇଥିବା ବେଳେ କେରଳରେ ୭୧.୩୧%, ତାମିଲନାଡ଼ୁରେ ୬୫.୧୧%, ପୁଡ଼ୁ‌ଚେରୀରେ ୭୮.୦୩ ଏବଂ ପଶ୍ଚିମବଂଗରେ ୭୭.୬୮% ମତଦାନ ହୋଇଛି।

ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟରେ ୩୧ ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍‌ ୮୨୪ ବିଧାନସଭା ଆସନରୁ ୪୭୫ଟିରେ ଆଜି ଭୋଟ୍‌ ଥିଲା। ଆସାମରେ ଚୂଡ଼ାନ୍ତ ପର୍ଯ୍ୟାୟରେ ୩୩୭ ପ୍ରାର୍ଥୀ ଏବଂ ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟରେ ୨୦୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷେ ଆଜି ତାମିଲନାଡ଼ୁର କନ୍ୟାକୁମାରୀ ଏବଂ କେରଳର ମଲ୍ଲପୁରମ୍‌ ଲୋକସଭା ଆସନରେ ମଧ୍ୟ ଉପନିର୍ବାଚନ ଶେଷ ହୋଇଛି। ଆସନ୍ତା ମେ’ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ।

କେରଳ ଓ ପଶ୍ଚିମବଂଗରେ ହିଂସା

ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟିଂ ସମୟରେ ବିଭିନ୍ନ ସ୍ଥାନରେ ହିଂସା ଓ ବିଶୃଙ୍ଖଳା ଦେଖିବାକୁ ମିଳିଛି। ଆରଣ୍ଡିରେ ତୃଣମୁଳ ପ୍ରାର୍ଥୀ ସୁଜାତା ମଣ୍ଡଳଙ୍କୁ ଟଣା ଓଟରା କରାଯାଇଛି । ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ସହ ତାଙ୍କ ଉପରକୁ ଆକ୍ରମଣ ହୋଇଛି। ସେହିପରି ହୁଗୁଳି ଜିଲ୍ଲାର ଗୋଘାଟ୍‌ରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଉକ୍ତ ମହିଳାଙ୍କ ପୁଅ ଜଣେ ବିଜେପି କର୍ମୀ ବୋଲି ବିଜେପି ଦାବି କରିଛି। ତାଙ୍କୁ ତୃଣମୂଳ ଗୁଣ୍ଡାମାନେ ହତ୍ୟା କରିଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ହୁଗୁଳି ଗୋଘାଟ୍‌ ବୁଥ୍‌ ସଭାପତି ସୁନିଲ୍‌ ରାୟଙ୍କର ମଧ୍ୟ ହିଂସାରେ ମୃତ୍ୟୁ ହୋଇଯାଇଛି।

କେରଳରେ ମଧ୍ୟ ଭୋଟ୍‌ ଗ୍ରହଣ ସମୟରେ ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି। କେରଳର ପାୟାନ୍ନୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅଧିକାରୀଙ୍କ ଉପରେ କିଛି ସିପିଆଇଏମ୍‌ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଦୁର୍‌ରେ ୟୁଡିଏଫ୍‌ ପ୍ରାର୍ଥୀ ଅବଦୁଲ୍‌ ରଶିଦଙ୍କୁ ମଧ୍ୟ ଟଣାଓଟରା କରାଯାଇଛି। ସେହିପରି କେରଳର ପଥନମଥିତ୍ତ ଏବଂ କୋଟ୍ଟାୟମ୍‌ରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି ଏବଂ ୭୫ ବର୍ଷୀୟା ମହିଳା ଭୋଟ୍‌ ପାଇଁ ଧାଡ଼ିରେ ଠିଆ ହୋଇଥିବାବେଳେ ତଳେ ପଡ଼ି ଯାଇଥିଲେ ଏବଂ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର