ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଆଜି ଶେଷ ହୋଇଛି। ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଆଜି ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍‌ ୫୭ ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୫୮.୩ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି। ଶେଷ ପର୍ଯ୍ୟାୟରେ ଥିବା ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅନୁରାଗ ଠାକୁର, ଅନୁପ୍ରିୟା ପଟେଲ, କଙ୍ଗନା ରାଣାୱତ, ଅଭିଷେକ ବାନାର୍ଜୀ, ମିସା ଭାରତୀ ଏବଂ ପୱନ ସିଂହ। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ବାରାଣସୀ ଫୋକସ୍‌ରେ ରହିଛି। ମୋଦୀଙ୍କ ବିରୋଧରେ ଉକ୍ତ ଆସନରେ ନିର୍ବାଚନ ଲଢ଼ୁଛନ୍ତି କଂଗ୍ରେସର ଅଜୟ ରାୟ। ପଶ୍ଚିମବଙ୍ଗରେ ହିଂସା ସତ୍ତ୍ବେ ସର୍ବାଧିକ ମତଦାନ ହୋଇଥିବା ରେକର୍ଡ କରାଯାଇଛି। ଆସନ୍ତା ଜୁନ୍‌ ୪ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବ। ଅନ୍ୟପକ୍ଷେ ଆସନ୍ତାକାଲି ତଥା ଜୁନ୍‌ ୨ ତାରିଖରେ ଅରୁଣାଚଳ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବ।

Advertisment

ଆଜି ବିହାର, ଚଣ୍ଡିଗଡ଼, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଂଜାବ, ଉତ୍ତରପ୍ର‌ଦେଶ ଏବଂ ପଶ୍ଚିମବଙ୍ଗରେ ୫୭ ଲୋକସଭା ଆସନ ସହ ଓଡ଼ିଶାର ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଛି। ୧୦.୦୬ ‌କୋଟିରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ ୧.୦୯ ଲକ୍ଷ ଭୋଟିଂ ବୁଥ୍‌ରେ ମୋଟ୍‌ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ଉତ୍ତରପ୍ର‌ଦେଶ ଏବଂ ପଂଜାବରେ ୧୩ ଲେଖାଏଁ ଆସନ, ବିହରରେ ୮, ଓଡ଼ିଶାରେ ୬, ହିମାଚଳପ୍ରଦେଶରେ ୪, ଝାଡ଼ଖଣ୍ଡରେ ୩ ଏବଂ ଚଣ୍ଡୀଗଡ଼ରେ ଗୋଟିଏ ଆସନରେ ଶେଷ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଛି।