ୟୁପିରେ ଫେବ୍ରୁଆରି ୧୦ରୁ ଭୋଟ୍

ୟୁପିରେ ୭, ମଣିପୁରରେ ୨, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆରେ ଗୋଟିଏ ପର୍ଯ୍ୟାୟ ଭୋଟ୍‌, ମାର୍ଚ ୧୦ରେ ଫଳାଫଳ

ନୂଆଦିଲ୍ଲୀ : ନିର୍ବାଚନ କମିସନ ଶନିବାର ଦିନ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। କରୋନା ସଙ୍କଟ ଏବଂ ଓମିକ୍ରନ୍‌ ପ୍ରଜାତିଜନିତ ବିପଦ ଭିତରେ ଏହି ନିର୍ବାଚନ ସଂପନ୍ନ ହେବ। ୧୦ ଫେବ୍ରୁଆରିରୁ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ ଏବଂ ମାର୍ଚ୍ଚ ୧୦ରେ ସମସ୍ତ ୫ଟି ରାଜ୍ୟର ଭୋଟ୍‌ ଫଳାଫଳ ଆସିବ। ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ମଣିପୁରେ ଦୁଇଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଉତ୍ତରାଖଣ୍ଡ, ଗୋଆ ଏବଂ ପଞ୍ଜାବରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ଶେଷ ହେବ।

Sambad

ୟୁପିରେ ଫେବ୍ରୁଆରି ୧୦,୧୪,୨୦, ୨୩ ,୨୭ ତାରିଖ, ମାର୍ଚ୍ଚ ୩ ଓ ୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ମଣିପୁରରେ ପ୍ରଥମ ପର୍ଯ୍ୟାୟ ୨୭ ଫେବ୍ରୁଆରି ଓ ଦ୍ବିତୀୟ ପର୍ଯ୍ୟାୟ ୩ ମାର୍ଚ୍ଚରେ ଅନୁଷ୍ଠିତ ହେବ। ପଂଜାବ, ଉତ୍ତରାଖଣ୍ଡ ଏବଂ ଗୋଆରେ ୧୪ ଫେବ୍ରୁଆରିରେ ଭୋଟ୍‌ ଗ୍ରହଣ ହେବ। ଉତ୍ତରପ୍ରଦେଶରେ ୪୦୩ ଆସନ, ପଂଜାବରେ ୧୧୭, ଉତ୍ତରାଖଣ୍ଡରେ ୭୦, ମଣିପୁରରେ ୬୦ ଏବଂ ଗୋଆରେ ୪୦ ଆସନରେ ନିର୍ବାଚନ ହେବ।

India Today

କରୋନା ନିୟମାବଳି ପାଳନକୁ କଡ଼ାକଡ଼ି କରାଯିବା ସହ ଏଥର ଭୋଟ୍‌ ଗ୍ରହଣ ସମୟ ୧ ଘଣ୍ଟା ଅଧିକ ରଖାଯାଇଛି। ୮୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ ସୁବିଧା ରହିବ। ସମସ୍ତ କରୋନା କଟକଣା ନିୟମ ସହିତ ଏହି ନିର୍ବାଚନ ଅନୁଷ୍ଠିତ ହେବ । ୧୪ ଜାନୁଆରିରୁ ପ୍ରଥମ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବାକୁ ଥିବା ବେଳେ ପ୍ରାର୍ଥୀମାନେ ‘ସୁବିଧା’ ଆପ୍‌ ମାଧ୍ୟମରେ ଅନ୍‌ଲାଇନ ପ୍ରାର୍ଥିପତ୍ର ଦାଖଲ କରିପାରିବେ। ରାତି ୮ଟାରେ ପରେ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଯାଇଥିବା ବେଳେ ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ ରୋକ୍‌ ଲଗାଯାଇଛି । ୧୫ ଜାନୁଆରି ପର୍ଯ୍ୟନ୍ତ ପଦଯାତ୍ରା, ରୋଡ୍‌ ସୋ, ସାଇକେଲ-ମୋଟର ସାଇକେଲ ରୢାଲି ଉପରେ ରୋକ୍‌ ଲଗାଯାଇଛି। ଘରକୁ ଘର ବୁଲି କେବଳ ୫ ଜଣ ପ୍ରଚାର କରିପାରିବେ । ଅଧିକରୁ ଅଧିକ ଭର୍ଚୁଆଲ ମାଧ୍ୟମରେ ପ୍ରଚାର ପାଇଁ ନିର୍ବାଚନ କମିସନ ଗୁରୁତ୍ବାରୋପ କରିଛନ୍ତି। ପୋଲିଂ ବୁଥ୍‌ରେ ସମସ୍ତ ନିର୍ବାଚନ କର୍ମୀ ଉଭୟ ଡୋଜ୍‌ କୋଭିଡ୍‌ ଟିକା ନେଇଥିବା ସୁନିଶ୍ଚିତ କରାଯିବ। ସେମାନଙ୍କୁ ବୁଷ୍ଟର୍‌ ଡୋଜ୍‌ ମଧ୍ୟ ଦିଆଯିବ।

ସମ୍ବନ୍ଧିତ ଖବର