କର୍ଣ୍ଣାଟକର ଆରଆର ନଗର ନିର୍ବାଚନ ୨୮ ତାରିଖକୁ ଘୁଞ୍ଚିଲା

ବାଙ୍ଗାଲୋର : ନିର୍ବାଚନ କମିଶନ ବାଙ୍ଗାଲୋରର ରାଜରାଜେଶ୍ୱରୀ ନଗର (ଆରଆର ନଗର) ବିଧାନସଭା ଆସନର ନିର୍ବାଚନକୁ ଘୁଞ୍ଚାଇ ଦେଇଛନ୍ତି । ଏବେ ଏହି ବିଧାନସଭା ଆସନ ପାଇଁ ଆସନ୍ତା କାଲି ବଦଳରେ ମେ ୨୮ ତାରିଖରେ ହେବ । ଭୋଟ ଗଣତି ମେ ୩୧ ତାରିଖରେ ହେବ । ଏହି ନିର୍ବାଚନ ମଣ୍ଡଳୀରେ ବିପୁଳ ପରିମାଣରେ ଭୋଟର ପରିଚୟପତ୍ର ଜବତ ହେବା ଓ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଟଙ୍କା ଓ ବିଭିନ୍ନ ଉପହାର ବଣ୍ଟାହେବା ନଜରକୁ ଆସିବା ପରେ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି ।

କମିଶନ କହିଛନ୍ତି ଯେ ଭୋଟ ଗ୍ରହଣ ମୁକ୍ତ ଓ କୌଣସି ପ୍ରଭାବ ବିନା ହେବା ଆବଶ୍ୟକ । କିନ୍ତୁ ଏ ନିର୍ବାଚନ କ୍ଷେତ୍ରରେ ତାହା ହେବାଭଳି ଦେଖାଯାଉନାହିଁ । ଲୋକଙ୍କର ମୁକ୍ତ ଭୋଟଦାନ ଅଧିକାର କାର୍ଯ୍ୟକାରୀ କରିବା ଦିଗରେ ପ୍ରତିବନ୍ଧକ ଦେଖାଦେଉଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

ବାଙ୍ଗାଲୋରରେ ଥିବା ଏହି ନିର୍ବାଚନ ମଣ୍ଡଳୀରେ କେତେକ ଫ୍ଲାଟରୁ ବିପୁଳ ପରିମାଣରେ ଭୋଟର ପରିଚୟ ପତ୍ର ଜବତ ହୋଇଥିଲା । ଏ ନେଇ ତଦନ୍ତ ହେବା ପରେ କମିଶନ ଜାଣିବାକୁ ପାଇଥିଲା ଯେ ଭୋଟରମାନଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ସେମାନଙ୍କ ଭୋଟର ପରିଚୟ ପତ୍ର ନିଆଯାଇଛି । ଏସବୁ ଭୋଟର ପରିଚୟପତ୍ର ବ୍ୟବହାର କରି ନକଲି ଲୋକମାନେ ଭୋଟ ଦେଇଥାନ୍ତେ ।

ସମ୍ବନ୍ଧିତ ଖବର