୨୦ ହଜାର ବାହାଘର ପାଇଁ କମିଗଲା କି ମତଦାନ ହାର!

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ​​୨୦୨୨ର ମତଦାନ ହାରକୁ ନେଇ ସମଗ୍ର ଦେଶରେ ଆଲୋଚନା ଜୋର ଧରିଛି | ରବିବାର ଛୁଟିଦିନ ସତ୍ତ୍ୱେ ଦିଲ୍ଲୀର ମହାନଗର ନିଗମ ନିର୍ବାଚନରେ କେବଳ ୫୦ ପ୍ରତିଶତ ଭୋଟର ଯୋଗ ଦେଇଥିଲେ | ପ୍ରକାଶ ଥାଉକି, ଏକ ରିପୋର୍ଟ ଅନୁଯାୟୀ, ରବିବାର ଦିନ ଦିଲ୍ଲୀରେ ବହୁ ସଂଖ୍ୟାରେ ବିବାହ କାର୍ଯ୍ୟକ୍ରମ ଯୋଗୁଁ ଅନେକ ଲୋକ ମତଦାନ ଦେଇପାରିନଥିଲେ | ମତଦାନ ଆରମ୍ଭରେ ମଧ୍ୟ ଅନୁମାନ କରାଯାଉଥିଲା ଯେ ଅନେକ ବିବାହ କାର୍ଯ୍ୟକ୍ରମ ଥିବାରୁ ମ୍ୟୁନିସିପାଲିଟି ନିର୍ବାଚନ ପ୍ରଭାବିତ ହୋଇପାରେ।

ମତଦାନ ଦିନ, ଦିଲ୍ଲୀ ଏନସିଆରରେ ୨୦୦୦୦ରୁ ଅଧିକ ବିବାହ କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିପାଇଁ ଅନେକ ଲୋକ ଭୋଟ୍ ଦେଇପାରିନଥିଲେ। ଉଦାହରଣ ସ୍ୱରୂପ ମହିପାଲପୁରର ବାସିନ୍ଦା ଅନୁଜ ଶର୍ମା ଦିଲ୍ଲୀର ମହାନଗର ନିଗମର ଜଣେ ଭୋଟର ହୋଇଥିଲେ ବି ସେ କହିଛନ୍ତି ଯେ ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବାରୁ ସେ ଭୋଟ୍ ଦେଇପାରିନଥିଲେ। ଏହା ବ୍ୟତୀତ ଅନେକ ଲୋକ ସେହି ଦିନ ବିବାହ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାମିଲ ହୋଇଥିବାରୁ ଭୋଟ ଦେଇପାରିନାହାନ୍ତି ବୋଲି କହିଛନ୍ତି | ଯେଉଁଥିପାଇଁ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ​​କମ୍ ଭୋଟରଙ୍କ ଯୋଗଦାନ ଦେଖିବାକୁ ମିଳିଥିଲା।

ଉଲ୍ଲେଖ ଥାଉ କି ଏକଜିଟ ପୋଲର ଆକଳନ ଅନୁଯାୟୀ ୨୫୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ମହାନଗର ନିଗମରେ ଆପ୍‌କୁ ୧୫୪ଟି ଆସନ ମିଳିବ। ଗତଥର ଠାରୁ ଚଳିତ ଥର ଏହି ଦଳ ୧୧୦ଟି ଅଧିକ ଆସନରେ ବିଜୟୀ ହେବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ହାରାହାରି ଆକଳନ ବା ପୋଲ୍‌ ଅଫ୍‌ ଦି ପୋଲ୍‌ସର ହିସାବରୁ ପ୍ରକାଶ ପାଇଥିଲା |

ସମ୍ବନ୍ଧିତ ଖବର