କଡ଼ା ସୁରକ୍ଷାରେ ଚାଲିଛି ପଶ୍ଚିମବଙ୍ଗର ଭବାନୀପୁରରେ ଭୋଟ୍‌ ଗ୍ରହଣ

କୋଲ୍‌କାତା: ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୭୩% ମତଦାନ ରେକର୍ଡ ହୋଇଥିବା ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଉପନିର୍ବାଚନ ନିମନ୍ତେ କଡ଼ା ସୁରକ୍ଷାରେ ଭୋଟ୍‌ ଗ୍ରହଣ ଚାଲିଛି। ଉକ୍ତ ଆସନରେ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବି ହେଉଛନ୍ତି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ମମତା ବାନାର୍ଜୀ ଏବଂ ‘ବିଜେପି’ ନେତ୍ରୀ ପ୍ରିୟଙ୍କା ଟିବ୍ରେୱାଲ୍‌।

ଭବାନୀପୁରରେ ବୁଥ୍‌ ଜବରଦଖଲ ନିମନ୍ତେ ମଦନ ମିତ୍ର ଜାଣିଶୁଣି ଭୋଟିଙ୍ଗ୍‌ ମେସିନ୍‌ ବନ୍ଦ କରିଥିବା କଥା ପ୍ରିୟଙ୍କା ଟିବ୍ରେୱାଲ୍‌ ଅ‌ଭିଯୋଗ କରିଛନ୍ତି। କିନ୍ତୁ, ତାଙ୍କ ଅଭିଯୋଗକୁ ପଶ୍ଚିମବଙ୍ଗ ମନ୍ତ୍ରୀ ଫିର୍‌ହାଦ୍‌ ହକିମ୍‌ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି।

ଆଜି ସକାଳ ୭ଟାରେ ଭବାନୀପୁରରେ ମତ ଗ୍ରହଣ ଆରମ୍ଭ ହେବା ପୂର୍ବରୁ ନିର୍ବାଚନ କମିସନ୍‌ ଭୋଟର୍‌ମାନଙ୍କୁ ସାନିଟାଇଜର୍‌, ମାସ୍କ୍‌ ଏବଂ ଗ୍ଲୋଭ୍‌ସ୍‌ ଆଦି ବଣ୍ଟନ କରିଥିଲେ। ଲୋକେ ମଧ୍ୟ କୋଭିଡ୍‌-୧୯ ନିୟମ ପ୍ରତି ସଚେତନ ରହି ଶାରୀରିକ ଦୂରତ୍ବ ବଜାୟ ରଖୁଛନ୍ତି।

Image Courtesy of The Indian Express

ଫିର୍‌ହାଦ୍‌ ହକିମ୍‌ ଏବଂ ସୁବ୍ରତ ମୁଖାର୍ଜୀ ଭୋଟର୍‌ମାନଙ୍କୁ ପ୍ରଭାବିତ କରୁଥିବା କଥା ପଶ୍ଚିମବଙ୍ଗ ‘ବିଜେପି’ ନିର୍ବାଚନ କମିସନ୍‌ରେ ଅଭିଯୋଗ କରିଛି। ଅଭିଯୋଗରେ ‘ବିଜେପି’ ଦର୍ଶାଇଛି ଯେ, ଏହା ନିୟମର ଘୋର ଉଲ୍ଲଂଘନ। ଅନ୍ତତଃ, ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେ‌ଷ ହେବା ପର୍ଯ୍ୟନ୍ତ ଦୁଇ ମନ୍ତ୍ରୀଙ୍କୁ ତୁରନ୍ତ ଏ ନିର୍ବାଚନ ମଣ୍ଡଳୀ ବାହାରର କୌଣସି ଥାନାରେ ଅଟକ ରଖାଯିବା ଉଚିତ।

Image Courtesy of India Today

ଭବାନୀପୁର ବିଧାନସଭା ଆସନ ସମେତ ପଶ୍ଚିମବଙ୍ଗର ଆଉ ଦୁଇଟି ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ଚାଲିଛି। ସେ ଦୁଇଟି ଆସନ ହେଲା, ସାମ୍‌ଶେର୍‌ଗଞ୍ଜ ଏବଂ ଜଙ୍ଗିପୁର। ପୂର୍ବାହ୍ନ ୧୧ଟା ସୁଦ୍ଧା ଉଭୟ ଆସନରେ ଯଥାକ୍ରମେ ୪୦.୨୩% ଏବଂ ୩୬.୧୧% ଭୋଟ୍‌ ଦାନ ହୋଇଥିବା ନିର୍ବାଚନ କମିସନ୍‌ଙ୍କ ସୂଚନାରୁ ଜଣାପଡ଼ିଛି।

ସାମଶେର୍‌ଗଞ୍ଜରେ ଉପନିର୍ବାଚନ ଆରମ୍ଭ ହେବା ପୂର୍ବରୁ କେତେଗୁଡ଼ିଏ ବୋମା ଫିଙ୍ଗାରେ ସମ୍ପୃକ୍ତି ଥିବା ଅଭିଯୋଗରେ ସ୍ଥାନୀୟ ‘ତୃଣମୂଳ କଂଗ୍ରେସ’ ନେତା ଅନରୁଲ୍‌ ହକ୍‌ଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର