ଭିଭିପିଏଟି ଆବେଦନ ଖାରଜ: ‘ବିରୋଧୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଶକ୍ତ ଚାପୁଡ଼ା’

ଦେଶବାସୀଙ୍କୁ କ୍ଷମାମାଗନ୍ତୁ ବିରୋଧୀ ଦଳ

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ଜରିଆରେ ଇଭିଏମ୍ ବ୍ୟବହାର କରି ଦିଆଯାଇଥିବା ଭୋଟ୍‌ର ପୁନଃ ଯାଞ୍ଚ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଥିବାରୁ ଏହା ବିରୋଧୀଙ୍କ ପାଇଁ ଶକ୍ତ ଚାପୁଡ଼ା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବିହାରର ଅରାରିଆରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଆମ ଗଣତନ୍ତ୍ର ପାଇଁ ଏକ ଶୁଭ ଦିନ। ଇଭିଏମ୍ ପାଇଁ କାନ୍ଦୁଥିବା ବିରୋଧୀଙ୍କ ମୁହଁରେ କଡ଼ା ଚାପୁଡ଼ା ମାରିଛନ୍ତି ସୁପ୍ରିମ୍‌କୋର୍ଟ। ସେମାନେ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର। ଯେଉଁଠି ବିଶ୍ୱ ଆମ ଗଣତନ୍ତ୍ର ଓ ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କରୁଛି, ସେଠାରେ ବିରୋଧୀମାନେ ନିଜ ବ୍ୟକ୍ତିଗତ ଫାଇଦା ପାଇଁ ଏହାକୁ ବଦନାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଭିଭିପିଏଟି ସହ ଇଭିଏମ୍ ବ୍ୟବହାର କରି ଦିଆଯାଇଥିବା ଭୋଟ୍‌ର ସମ୍ପୂର୍ଣ୍ଣ ମେଳ କରାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି ଏବଂ କହିଛନ୍ତି ଯେ ବ୍ୟବସ୍ଥାର କୌଣସି ଦିଗକୁ ଅନ୍ଧଭାବେ ଅବିଶ୍ୱାସ କରିବା ଅଯଥା ସନ୍ଦେହ ସୃଷ୍ଟି କରିପାରେ। ‘ଗଣତନ୍ତ୍ରରେ ସବୁ ଅନୁଷ୍ଠାନ ମଧ୍ୟରେ ସୌହାର୍ଦ୍ଦ୍ୟ ଓ ବିଶ୍ୱାସ ରହିବା ଆବଶ୍ୟକ’ ବୋଲି ଦର୍ଶାଇ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନରେ ବାଲଟ ପେପରକୁ ଫେରିବାକୁ ଚାହୁଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି।

ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ଅଧିକାର ଛଡ଼ାଇ ନେବା ପାଇଁ କଂଗ୍ରେସ ଦଳ ଷଡ଼୍‌ଯନ୍ତ୍ର କରୁଛି। ବାବାସାହେବ ଭୀମରାଓ ଆମ୍ବେଦକର ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଭାରତରେ ଧର୍ମଭିତ୍ତିକ ସଂରକ୍ଷଣ ହୋଇପାରିବ ନାହିଁ, କିନ୍ତୁ କଂଗ୍ରେସ ଧର୍ମଭିତ୍ତିକ ସଂରକ୍ଷଣ ଲାଗୁ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛି। ଦେଶରେ ସଂରକ୍ଷଣର କର୍ଣ୍ଣାଟକ ମଡେଲ ଲାଗୁ କରିବାକୁ କଂଗ୍ରେସ ଚେଷ୍ଟା କରୁଛି। ସେମାନେ ଓବିସି ସମ୍ପ୍ରଦାୟ ସହ ବିଶ୍ୱାସଘାତକତା କରିଛନ୍ତି ଏବଂ କର୍ଣ୍ଣାଟକର ସମସ୍ତ ମୁସଲମାନଙ୍କୁ ସେମାନଙ୍କ ଆର୍ଥିକ ସ୍ଥିତି ନିର୍ବିଶେଷରେ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏବେ ଗରିବ ଓ ସଚ୍ଚୋଟ ଭୋଟରଙ୍କ ପାଖରେ ଇଭିଏମ୍‌ର ଶକ୍ତି ଥିବା ବେଳେ ସେମାନେ ତାହା ଛଡ଼ାଇନେବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତିକୁ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଵାଲ ମଧ୍ୟ ପ୍ରଶଂସା କରି କହିଛନ୍ତି ଯେ ଏହା କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ପଦାରେ ପକାଇଛି, ଯେଉଁମାନେ ନିର୍ବାଚନ ଆୟୋଗଙ୍କୁ ବଦନାମ କରିବାର କୌଣସି ସୁଯୋଗ ଛାଡ଼ି ନାହାନ୍ତି।

ସମ୍ବନ୍ଧିତ ଖବର