ନୂଆଦିଲ୍ଲୀ: ପ୍ରତ୍ୟେକ ବିଧାନସଭା ନିର୍ବାଚନ କ୍ଷେତ୍ରରେ ୫ଟି ଭିଭିପିଏଟି (ଭୋଟର୍ ଭେରିଫାଏଡ୍ ପେପର୍ ଅଡିଟ୍ ଟ୍ରାଏଲ) ମେସିନ୍ର ସ୍ଲିପ୍ ଗଣତି କରିବା ପାଇଁ ସୁପ୍ରିମ୍ କୋର୍ଟ ପୂର୍ବରୁ ଦେଇଥିବା ରାୟର ପୁନଃ ସମୀକ୍ଷା ଦାବି କରି ୨୧ଟି ବିରୋଧୀ ଦଳ ପକ୍ଷରୁ କରାଯାଇଥିବା ଆବେଦନକୁ ଆଜି ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ବିରୋଧୀ ଦଳମାନେ ୫୦ ପ୍ରତିଶତ ଭିଭିପିଏଟି ସ୍ଲିପ୍ ଗଣତି କରିବାକୁ ଦାବି କରି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆଜି କୋର୍ଟ ରାୟ ସେମାନଙ୍କ ପାଇଁ ବଡ଼ ଝଟ୍କା ହୋଇଛି । ଆଜି ପ୍ରଧାନ ବିଚାରପତି ରଂଜନ ଗୋଗଇ ବିରୋଧୀ ଦଳଙ୍କ ଓକିଲ ଅଭିଷେକ ମନୁ ସିଂଘଭିଙ୍କୁ ପଚାରିଥିଲେ ଆପଣମାନେ କେତେ ଭିଭିପିଏଟି ଭୋଟ୍ ଗଣନା କରାଯିବା ଚାହୁଛନ୍ତି। ଏଥିରେ ସଂଘଭି କହିଥିଲେ ଯେ ଆମେ ୫୦ ପ୍ରତିଶତ ଭିଭିପିଏଟି ଭୋଟ୍ ଗଣତି ପାଇଁ ନିବେଦନ କରିଥିଲୁ, କିନ୍ତୁ ଏହା ୩୩ ପ୍ରତିଶତ କିମ୍ବା ୨୫ ପ୍ରତିଶତ ହେଲେ ମଧ୍ୟ ଚଳିବ ବୋଲି ସେ କହିଥିଲେ। ଏହି ସମୟରେ କୋର୍ଟ ରୁମ୍ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ନେସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା, ସିପିଆଇ ନେତା ଡି. ରାଜା ଏବଂ ଆପ୍ ଏମ୍ପି ସଂଜୟ ସିଂହ ଉପସ୍ଥିତ ଥିଲେ। ତେବେ ବିରୋଧୀ ଦଳ ଓକିଲଙ୍କ ଦାବି ଓ ଯୁକ୍ତିକୁ ଖଣ୍ଡପୀଠ ଗ୍ରହଣ କରିନଥିଲେ ଏବଂ ବିରୋଧୀ ଦଳଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ବର୍ତ୍ତମାନ ସ୍ଥିତିରେ ଗୋଟିଏ ବିଧାନସଭା କ୍ଷେତ୍ରରେ ୫ଟି ବୁଥ୍ରେ ଇଭିଏମ୍ ଭୋଟ୍ ସହ ଭିଭିପିଏଟି ସ୍ଲିପ୍ର ଗଣତି ଦ୍ବାରା ଉଦ୍ଦେଶ୍ୟ ସାଧନ ହୋଇପାରିବ ଏବଂ ଏଥିରେ କୌଣସି ସମସ୍ୟା ରହିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।
୫୦ ପ୍ରତିଶତ ଭିଭିପିଏଟି ଭୋଟ୍ ଗଣତି ହେଲେ ଏହା ନିର୍ବାଚନ ଫଳାଫଳ ଘୋଷଣାରେ ପ୍ରାୟ ୬ ଦିନ ବିଳମ୍ବ ହେବ ବୋଲି ନିର୍ବାଚନ କମିସନ ସୁପ୍ରିମ୍ କୋର୍ଟଙ୍କୁ ଜଣାଇଥିଲେ।ଏହି ଆଧାରରେ ସୁପ୍ରିମ୍ କୋର୍ଟ ପୂର୍ବରୁ ପ୍ରତି ବିଧାନସଭା କ୍ଷେତ୍ରରେ ୫ଟି ଭିଭିପିଏଟିର ସ୍ଲିପ୍ ଗଣନା କରାଯିବାକୁ ରାୟ ଦେଇଥିଲେ।ତେବେ ଏହାକୁ ବିରୋଧୀ ଦଳମାନେ ଗ୍ରହଣ ନକରି ଏହି ରାୟର ପୁନଃ ସମୀକ୍ଷା କରିବାକୁ ଆବେଦନ କରିଥିଲେ। ଆଜି ସୁପ୍ରିମ୍ କୋର୍ଟରେ ମାମଲା ଖାରଜ ହେବାପରେ ନାଇଡ଼ୁ କହିଛନ୍ତି ଯେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସ୍ବଚ୍ଛ ରଖିବା ଦିଗରେ ଚାଲିଥିବା ଲଢ଼େଇ ଜାରି ରହିବ। ୫୦ ପ୍ରତିଶତ ଭିଭିପିଏଟି ସ୍ଲିପ୍ ଗଣତି କରାଯିବା ଦାବିରେ ବିରୋଧୀ ଦଳମାନେ ପୁଣି ନିର୍ବାଚନ କମିସନଙ୍କୁ ଭେଟି ଦାବି ଉପସ୍ଥାପନ କରିବେ ବୋଲି ନାଇଡୁ କହିଛନ୍ତି। ତେବେ ପୂର୍ବରୁ ନିର୍ବାଚନ କମିସନ ଏ ବାବଦରେ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଥିବା ଏବଂ ଆଜି ଅଦାଲତରେ ମାମଲା ଖାରଜ ହୋଇଥିବାରୁ ବିରୋଧୀ ଦଳଙ୍କ ରଣନୀତି ଦିଗହରା ହୋଇଯାଇଛି।
ଭିଭିପିଏଟି ରାୟର ପୁନଃ ସମୀକ୍ଷା ମାମଲା:ବିରୋଧୀ ଦଳଙ୍କ ଆବେଦନ ଖାରଜ
ପୁଣି ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେବେ ବିରୋଧୀ ଦଳ
/sambad/media/post_attachments/wp-content/uploads/2019/05/supreme-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)