ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ହେବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଭିଭିଏସ୍ ଲକ୍ଷ୍ମଣ

ନୂଆଦିଲ୍ଲୀ: ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ମୁଖ୍ୟ ହେବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଭିଭିଏସ୍ ଲକ୍ଷ୍ମଣ। ରବିବାର ଦିନ ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । କିଛିଦିନ ପୂର୍ବରୁ ସୌରଭ ଗାଙ୍ଗୁଲି ଲକ୍ଷ୍ମଣଙ୍କୁ ଏନସିଏର ଅଧ୍ୟକ୍ଷ ହେବାକୁ ରାଜି କରାଇଥିଲେ । ଏବେ ଲକ୍ଷ୍ମଣ ପୂର୍ବତନ ମୁଖ୍ୟ ରାହୁଲ ଦ୍ରାବିଡଙ୍କ ସ୍ଥାନରେ ନିଯୁକ୍ତ ହେବେ ବୋଲି ଜଣାପଡ଼ିଛି ।

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସବୁବେଳେ ପ୍ରୟାସ କରିଥାନ୍ତି ଯେ, ପୂର୍ବ କ୍ରିକେଟ ଖେଳାଳିମାନେ ଆଗକୁ ଆସି ଭାରତୀୟ କ୍ରିକେଟର ବିକାଶ ପାଇଁ କାମ କରନ୍ତୁ । ଏହା ପୂର୍ବରୁ ବି ଗାଙ୍ଗୁଲି ରାହୁଲ ଦ୍ରାବିଡକୁ ଭାରତୀୟ ଟିମର ମୁଖ୍ୟ କୋଚ ହେବାକୁ ରାଜି କରାଇଥିଲେ । ଲକ୍ଷ୍ମଣଙ୍କୁ ଏନସିଏର ମୁୁଖ୍ୟ କରିବାକୁ କେବଳ ଗାଙ୍ଗୁଲି ନୁହେଁ ବିସିସିଆଇ ସଚିବ ଜୟ ଶାହଙ୍କ ସମେତ ଅନେକ ବିସିସିଆଇ ଅଧିକାରୀ ଚାହୁଁଥିଲେ ।

ଉଲ୍ଲେଖଯୋଗ୍ୟ, ରାହୁଲ ଦ୍ରାବିଡ ଓ ଲକ୍ଷ୍ମଣଙ୍କ ମଧ୍ୟରେ ସୁସଂପର୍କ ରହିଛି । ଗୋଟେ ପଟେ ଦ୍ରାବିଡ ଭାରତୀୟ ଟିମର ମୁଖ୍ୟ କୋଚ ହୋଇଥିବା ବେଳେ ଲକ୍ଷ୍ମଣ ଏନସିଏର ମୁଖ୍ୟ ହେଲେ ଟିମ ଉପରେ ଏହାର ଭଲ ପ୍ରଭାବ ପଡିବ ବୋଲି ଆଶା କରାଯାଉଛି । ନଭେମ୍ବର ୧୭ ତାରିଖଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ରାହୁଲ ଦ୍ରାବିଡ ଭାରତୀୟ ଟିମର ମୁଖ୍ୟ କୋଚ ଭାବେ କାମ କରିବେ । ତାଙ୍କର କାର୍ଯ୍ୟକାଳ ୨୦୨୩ ପର୍ଯ୍ୟନ୍ତ ରହିଛି ।

ସମ୍ବନ୍ଧିତ ଖବର