ସ୍ଥାନ ଅଭାବରୁ ବନ୍ଦ ହେବାକୁ ଯାଉଛି କବରସ୍ଥାନ, ଶବ ପରିମାଣ ବଢ଼ୁଥିବାରୁ ସ୍ଥାନ ନଥିବା ଦର୍ଶାଇଲେ କର୍ତ୍ତୃପକ୍ଷ

ମୁମ୍ବାଇ: କରୋନା ଯୋଗୁଁ ଦିନକୁ ଦିନ ମୁମ୍ବାଇର ସ୍ଥିତି ଜଟିଳ ହେଉଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ଆଉ ଏହାରି ଭିତରେ ଶ୍ମଶାନରେ କାଠ ଅଭାବ ସାଙ୍ଗକୁ କବରସ୍ଥାନରେ ସ୍ଥାନର ଅଭାବ ପରିଲକ୍ଷିତ ହୋଇଛି | ଆଉ ଏଥିପାଇଁ କବରସ୍ଥାନ କର୍ତ୍ତୃପକ୍ଷମାନେ ସ୍ଥାନ ଅଭାବରୁ ଖୁବଶୀଘ୍ର ଏହାକୁ ବନ୍ଦ କରିପାରନ୍ତି | ତେବେ ବନ୍ଦ କରିବା ପୂର୍ବରୁ ଲୋକଙ୍କୁ ଏବାବଦରେ ସୂଚନା ଦିଆଯାଇଛି | ମୁମ୍ବାଇର ୱାଡଲା କବରସ୍ଥାନ କର୍ତ୍ତୃପକ୍ଷ ସୂଚନା ଫଳକରେ ଉଲ୍ଲେଖ କରିଛନ୍ତି ଯେ ଖୁବ ଶୀଘ୍ର ଏହା ବନ୍ଦ ହୋଇଯାଇପାରେ | ତେବେ ବନ୍ଦ ହେବା ବାବଦରେ ବିସ୍ତୃତ ତଥ୍ୟ ମଧ୍ୟ ଦେଇଛନ୍ତି |

ସୂଚନା ଫଳକରେ ଲେଖାଯାଇଛି ଯେ ଏହି କବରସ୍ଥାନରେ ସମୁଦାୟ ୯ଟି ପ୍ଲଟ ଥିବାବେଳେ ୧୧୩୨ଟି ଶବକୁ ସମାଧି ଦେଇହେବ | ୧୧୩୨ଟି ସମାଧି ମଧ୍ୟରୁ ୧୨୮ଟି ଶିଶୁଙ୍କ ପାଇଁ, ୧୬୫ଟି କୋଭିଡ ମୃତଦେହ ପାଇଁ ଓ ୮୩୯ଟି ସାଧାରଣ ମୃତଦେହ ପାଇଁ ସଂରକ୍ଷିତ ହୋଇ ରହିଛି | ତେବେ ଗତ ୧୮ ମାସ ମଧ୍ୟରେ କେବଳ ୮୦୯ଟି ମୃତଦେହକୁ ସମାଧି ଦେବା ପାଇଁ ଥିବା ସ୍ଥାନରେ ୯୫୦ ରୁ ୧ହଜାରଟି ମୃତଦେହ ପୋତାଯାଇଛି | ଯେଉଁଥିପାଇଁ କବରସ୍ଥାନ କର୍ତ୍ତୃପକ୍ଷଙ୍କୁ ନାନା ଅସୁବିଧାର ସାମ୍ନା କରିବାକୁ ପଡିଛି |

ଗୋଟିଏ ଶବ ନଷ୍ଟ ହେବାକୁ ୧୮ ମାସ ସମୟ ଲାଗିଥାଏ, କିନ୍ତୁ ଏତେ ସଂଖ୍ୟାରେ ଶବ ଆସିବା ଦ୍ୱାରା ବାଧ୍ୟ ହୋଇ ୧୦ରୁ ୧୨ ମାସରେ ଶବ ଗୁଡିକୁ କଢ଼ାଯାଉଛି | ଆଉ ଏସବୁ ସ୍ଥିତିକୁ ଦେଖି ଖୁବ କମ ସମୟ ମଧ୍ୟରେ କବରସ୍ଥାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି | ତେଣୁ ଆପଣମାନେ ନିଜ ଅଂଚଳର କର୍ପୋରେଟର କିମ୍ବା ବିଧାୟକଙ୍କୁ ତୁରନ୍ତ ଅନ୍ୟ ଏକ ସ୍ଥାନ ଯୋଗାଇଦିଅନ୍ତୁ ବୋଲି ଚିଠି ଲେଖନ୍ତୁ ବୋଲି କବରସ୍ଥାନ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି |

ସମ୍ବନ୍ଧିତ ଖବର