ଜମ୍ମୁ କଶ୍ମୀର ଏକ ନୂଆ ସକାଳକୁ ଅପେକ୍ଷା କରିଛି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀର ପୁନର୍ଗଠନ ଗତକାଲି ରାଜ୍ୟସଭା ପରେ ଆଜି ଲୋକସଭାରେ ଗୃହୀତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି। ଏହି ବିଲ୍ ଗୃହୀତକୁ ଭାରତୀୟ ସଂସଦୀୟ ଗଣତନ୍ତ୍ରରେ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି ସେ ବର୍ଣ୍ଣନା କରିଛନ୍ତି। ଏଥିସହିତ ଜମ୍ମୁ କଶ୍ମୀର ଏକ ନୂଆ ସକାଳକୁ ଅପେକ୍ଷା କରିଛି ବୋଲି କହିଛନ୍ତି। ଜମ୍ମୁ କଶ୍ମୀର ଏବେ ସମସ୍ତ ପ୍ରକାର ଶିକୁଳି ଏବଂ ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀଠାରୁ ମୁକ୍ତ ହୋଇଛି। ଆମେ ଏକାଠି ଅଛୁ, ଏକାଠି ରହି ଆମେ ଆଗକୁ ବଢ଼ିବୁ ଏବଂ ଆମେ ମିଳିମିଶି ଦେଶର ୧୩୦ କୋଟି ଲୋକଙ୍କ ସ୍ବପ୍ନ ପୂରଣ କରିବୁ ବୋଲି ମୋଦୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଲୋକସଭାରେ ଏହି ବିଲ୍ ଗୃହୀତ ହେବାପରେ ପ୍ରଧାନମନ୍ତ୍ରୀ ଏକାଧିକ ଟ୍ବିଟ୍ କରି ଏଭଳି ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଜମ୍ମୁ, କଶ୍ମୀର ଏବଂ ଲଦାଖର ଭାଇ ଓ ଭଉଣୀଙ୍କୁ ସେମାନଙ୍କ ସାହସ ଓ ଧୈର୍ଯ୍ୟ ପାଇଁ ଅଭିବାଦନ ଜଣାଇଛନ୍ତି। ଏହି ବିଲ୍ ଜମ୍ମୁ କଶ୍ମୀର ଅଞ୍ଚଳର ସମନ୍ବୟ ଏବଂ ସଶକ୍ତୀକରଣରେ ସହା‌ୟକ ହେବ। ରାଜ୍ୟର ଯୁବବର୍ଗଙ୍କୁ ଏହା ମୁଖ୍ୟସ୍ରୋତରେ ସାମିଲ କରିପାରିବ। କେବଳ ସେତିକି ନୁହେଁ, ସେମାନଙ୍କ ଦକ୍ଷତା ଏବଂ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଏହା ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ହେବ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର