ଆମେରିକୀୟ ଭିସା ପାଇଁ ଅପେକ୍ଷା: ଚୀନ୍ ନାଗରିକଙ୍କ ପାଇଁ ୨ ଦିନ, ଭାରତୀୟଙ୍କୁ ୨ ବର୍ଷରୁ ଅଧିକ

ନୂଆଦିଲ୍ଲୀ: ଆମେରିକାରୁ ଭିସାଟିଏ ପାଇବା ପାଇଁ ଆବେଦନ କଲେ ଜଣେ ଭାରତୀୟଙ୍କୁ ୨ ବର୍ଷରୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ଚୀନ୍ ନାଗରିକଙ୍କୁ କିନ୍ତୁ ତାହା ମାତ୍ର ୨ ଦିନରେ ମିଳିଯାଉଛି। ବି-୧ ବିଜନେସ ଭିସା ଓ ବି-୨ ପର୍ଯ୍ୟଟନ ଭିସା ପାଇଁ ନୂଆଦିଲ୍ଲୀ ଦୂତାବାସରେ ଆବେଦନକାରୀଙ୍କୁ ଇଣ୍ଟରଭ୍ୟୁ ଆପଏଣ୍ଟମେଣ୍ଟ ନିମନ୍ତେ ୮୩୩ ଦିନ ବା ୨ ବର୍ଷରୁ ଅଧିକ କାଳ ଅପେକ୍ଷା କରିବାକୁ ପଡ଼ୁଥିବା ଆମେରିକା ବିଦେଶ ବିଭାଗ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ଅର୍ଥାତ୍ ବର୍ତ୍ତମାନ ଜଣେ ଭାରତୀୟ ଭିସା ପାଇଁ ଆବେଦନ କଲେ ତାଙ୍କୁ ୨୦୨୫ ଜାନୁଆରିରେ ଇଣ୍ଟରଭ୍ୟୁ ପାଇଁ ଆପଏଣ୍ଟମେଣ୍ଟ ମିଳିବ।

ସେହିପରି କୋଲକାତା ଦୂତାବାସରେ ଆବେଦନକାରୀଙ୍କୁ ୭୬୭ ଦିନ ଓ ମୁମ୍ବାଇ ଦୂତାବାସରେ ଆବେଦନକାରୀଙ୍କୁ ୮୪୮ ଦିନ ଅପେକ୍ଷା କରିବାକୁ ପଡ଼ିବ।
ଅପରପକ୍ଷେ ଚୀନ୍‌ର ବେଜିଂ, ସାଂଘାଇ ଓ ଗୁଆନଝୁରେ ଆବେଦନକାରୀଙ୍କୁ ଆମେରିକୀୟ ଭିସା ପାଇଁ ଇଣ୍ଟରଭ୍ୟୁ ଅପଏଣ୍ଟମେଣ୍ଟ ନିମନ୍ତେ ମାତ୍ର ୨ ଦିନ ଅପେକ୍ଷା କରିବାକୁ ପଡ଼ୁଥିବା ଜଣାପଡ଼ିଛି। ଭାରତସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ ଏ ନେଇ ସଫେଇ ଦିଆଯାଇଛି ଯେ, ଭାରତୀୟଙ୍କ ସବୁ ପ୍ରକାର ଭିସା ପାଇଁ ଆପଏଣ୍ଟମେଣ୍ଟ ଖୋଲା ରହିଛି। କିନ୍ତୁ ଏଥିପାଇଁ ଅଧିକ ଦିନ ସମୟ ଲାଗିବାର କାରଣ ହେଉଛି: ୧) ଆମେରିକୀୟ ଭିସା ପାଇଁ ଭାରତୀୟଙ୍କ ଚାହିଦା ଅଧିକ, ୨) ଭିସା କଥା ବୁଝୁଥିବା କର୍ମଚାରୀଙ୍କ ସଂଖ୍ୟା କମ୍ ଏବଂ ୩) ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚ ମାସରୁ ଏ କାର୍ଯ୍ୟରେ ଅନେକ ବିଶୃଙ୍ଖଳା ଦେଖାଦେଇଛି। ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ, ସେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ପାଖରେ ଭିସା ସମସ୍ୟା ଉତ୍ଥାପନ କରିଛନ୍ତି। ଏ ସମସ୍ୟା ଖୁବ୍‌ଶୀଘ୍ର ସୁଧାରିବା ପାଇଁ ବ୍ଲିଙ୍କେନ ତାଙ୍କୁ ଆଶ୍ବାସନା ଦେଇଛନ୍ତି।

ସମ୍ବନ୍ଧିତ ଖବର