ମୁମ୍ବଇ : ବଲିଉଡ୍ର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ୱାଜିଦ ଖାନ୍ ଆଉ ନାହାନ୍ତି। ସେ କିଡ୍ନି ରୋଗରେ ପୀଡ଼ିତ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। ଆଜି ସକାଳେ ହୃଦ୍ଘାତ ପରେ ତାଙ୍କର ମୃତ୍ୟୁ ହୋଇଛି। ବଲିଉଡ୍ରେ ସାଜିଦ-ୱାଜିଦ ଯୋଡ଼ି ରୂପରେ ଦୁହେଁ ବହୁ ଲୋକପ୍ରିୟ ଗୀତ ଭେଟି ଦେଇଛନ୍ତି। ୱାଜିଦଙ୍କୁ ୪୨ ବର୍ଷ ହୋଇଥିଲା।
ଦୁଇବର୍ଷ ପୂର୍ବେ ତାଙ୍କର କିଡ୍ନି ପ୍ରତିରୋପଣ କରାଯାଇଥିଲା। କିଡ୍ନି ସମସ୍ୟା ପାଇଁ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ପରିମାଣରେ ହ୍ରାସ ପାଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ମୁମ୍ବାଇର ଚେମ୍ବୁରସ୍ଥିତ ସୁରାନା ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା। ଗତ ୪ ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ସଂଗୀତ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ସାଜିଦ୍-ୱାଜିଦ ଯୋଡ଼ି ବିଶେଷକରି ସଲମନ ଖାନ୍ଙ୍କ ଅଭିନୀତ ‘ୱାଣ୍ଟେଡ୍’, ‘ଦବଙ୍ଗ’ ଓ ‘ଏକ ଥା ଟାଇଗର’ ଭଳି ଚଳଚ୍ଚିତ୍ରରେ ସଂଗୀତ ନିର୍ଦେଶନା ଦେଇଥିଲେ। ସର୍ବପ୍ରଥମେ ୧୯୯୮ ମସିହାରେ ସଲମନ ଖାନ୍ଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନା କ୍ୟା’ରେ ସଂଗୀତ ନିର୍ଦେଶନା ଦେଇଥିଲେ। ୧୯୯୯ରେ ସେମାନେ ସୋନୁ ନିଗମଙ୍କ ଆଲବମ ‘ଦିୱାନା’ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଥିବା ‘ଦିୱାନା ତେରା.., ଅବ ମୁଝ୍ସେ ରାତ ଦିନ୍.., ଇସ କଦର ପ୍ୟାର ହୈ.. ଭଳି ଲୋକପ୍ରିୟ ଗୀତ ମଧ୍ୟ ସାମିଲ୍ ଥିଲା। ସେହିବର୍ଷ ଫିଲ୍ମ ‘ହେଲୋ ବ୍ରଦର’ ପାଇଁ ସଂଗୀତ ନିର୍ଦେଶନା ଦେଇଥିଲେ। ସେଥିରେ ‘ହଟା ସାୱନ କି ଘଟା.. , ‘ଚୁପ୍କେ ସେ କୋଇ ଔର.. ଓ ‘ହେଲୋ ବ୍ରଦର.. ଭଳି ଲୋକପ୍ରିୟ ଗୀତ ଭେଟି ଦେଇଥିଲେ। ୱାଜିଦଙ୍କ ମୃତ୍ୟୁ ପରେ ବଲିଉଡ୍ ଜଗତର ବହୁ ଖ୍ୟାତନାମା ଅଭିନେତା, ସଂଗୀତଜ୍ଞ, କଣ୍ଠଶିଳ୍ପୀ ଶୋକପ୍ରକାଶ କରିଛନ୍ତି। ମୁମ୍ବାଇରେ ମଧ୍ୟାହ୍ନ ୧ଟା ସମୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶେଷକୃତ୍ୟ ବେଳେ ମାତ୍ର ୨୦ ଜଣ ଲୋକଙ୍କୁ ରହିବାକୁ ଅନୁମତି ଦିଆଯାଇଥିଲା। ଭାଇ ସାଜିଦ୍, ପରିବାର ଓ ବଲିଉଡ୍ର କିଛି ବନ୍ଧୁଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ମୃତ୍ୟୁରେ ସଲମନ ଖାନ, ସୋନୁ ନିଗମ, ସଲିମ ମର୍ଚାଣ୍ଟ, ପ୍ରିୟଙ୍କା ଚୋପ୍ରା, ବରୁଣ ଧାୱନ, ପରିଣିତି ଚୋପ୍ରା, ଶଙ୍କର ମହାଦେବନ, ବିଶାଲ ଦଦଲାନି, ଜାଭେଦ ଅଲ୍ଲୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।