ୱାଙ୍ଖେଡେ ସେବା ଆଚରଣ ବିଧି ଉଲଂଘନ କରି ନଭି ମୁମ୍ବାଇରେ ବାର୍ ଚଳାଉଛନ୍ତି : ନବାବ ମଲିକ

ମୁମ୍ବାଇ: ପୁଣି ଥରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ମୁଖ୍ୟ ସମୀର ୱାଙ୍ଖେଡେଙ୍କୁ ଟାର୍ଗେଟ କଲେ ଏନସିପି ନେତା ନବାବ ମଲିକ। ପୂର୍ବରୁ ସମୀର ୱାଙ୍ଖେଡେଙ୍କ ଉପରେ ଅନେକ ଆରୋପ ଲଗାଇଥିବା ନବାବ ମଲିକ ଏବେ ଦାବି କରିଛନ୍ତି ଯେ, ଏନସିବି ଅଧିକାରୀ ଚାକିରିରେ ଥାଇ ମଧ୍ୟ ବ୍ୟବସାୟ ଚଳାଇ କେନ୍ଦ୍ରୀୟ ନାଗରିକ ସେବା (ଆଚରଣ) ନିୟମକୁ ୧୯୬୪ର ଉଲଂଘନ କରିଛନ୍ତି।

ସେ ଦାବି କରିଛନ୍ତି ଯେ, ୱାଙ୍ଖେଡେ ୧୯୯୭-୯୮ ରୁ ଏକ ହୋଟେଲ ମଦ ଲାଇସେନ୍ସ ଧରି ନଭି ମୁମ୍ବାଇରେ ଏକ ବାର୍ ଚଳାଉଛନ୍ତି। ୧୯୯୭-୯୮ ମସିହାରେ ସେ ନାବାଳକ ଥିବାବେଳେ ତାଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା ଯାହା ବେଆଇନ ଅଟେ। ସେତେବେଳେ ତାଙ୍କ ବାପା ଧ୍ୟାନଦେବ ୱାଙ୍ଖେଡେ ରାଜ୍ୟ ଅବକାରୀ ବିଭାଗରେ ଥିବାରୁ ତାଙ୍କ ସହଜରେ ଲାଇସେନ୍ସ ମିଳିଯାଇଥିଲା। କେନ୍ଦ୍ର ସରକାରୀ ଚାକିରିରେ ଯୋଗଦେବାବେଳେ ଏହି ତଥ୍ୟ ଲୁଚି ରହିଥିଲା। ୨୦୧୭ରେ, ୱାଙ୍ଖେଡେ ଘୋଷଣା କରିଥିଲେ ଯେ ସେ ତାଙ୍କ ବାପାଙ୍କ ସହିତ ଏକ ସମ୍ପତ୍ତିର ମାଲିକ ଅଟନ୍ତି, ଯାହା ଏକ ହୋଟେଲ ଅଟୋ। ହେଲେ ତାକୁ ଏବେ ଲିଜରେ ଦିଆଯାଇଛି।

ଏନସିପି ନେତା କହିଛନ୍ତି, ସେ କାର୍ମିକ ତାଲିମ ବିଭାଗ, ରାଜ୍ୟ ଅବକାରୀ ବିଭାଗ ଏବଂ ସମସ୍ତ ସଂପୃକ୍ତ ବିଭାଗ ନିକଟରେ ଅଭିଯୋଗ କରିବେ ଯେ ସମୀର ୱାଙ୍ଖେଡେଙ୍କର କେନ୍ଦ୍ର ସରକାରୀ ସେବାରେ ରହିବାର ଅଧିକାର ନାହିଁ। ଏହା ସ୍ପଷ୍ଟ ଜାଲିଆତି ମାମଲା।

ସମ୍ବନ୍ଧିତ ଖବର