ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲରେ ସଂସଦରେ ଗୃହୀତ ୱକଫ୍‌ (ସଂଶୋଧନ) ଆଇନ ୨୦୨୫ ଉପରେ ଆଗତ ମାମଲାର ବହୁ ପ୍ରତୀକ୍ଷିତ ଅନ୍ତରୀଣ ରାୟ ସୁପ୍ରିମ୍‌କୋର୍ଟ ଆଜି ପ୍ରକାଶ କରିଛନ୍ତି। ନୂଆ ୱକଫ୍‌ (ସଂଶୋଧନ) ଆଇନ-୨୦୨୫ ଉପରେ ସଂପୂର୍ଣ୍ଣ ରହିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କିନ୍ତୁ ଆଇନର କେତେକ ବ୍ୟବସ୍ଥା ଉପରେ ରହିତାଦେଶ ଜାରି କରିଛନ୍ତି। ପ୍ରଧାନ ବିଚାରପତି ବିଆର୍‌ ଗୱାଇ ଏବଂ ବିଚାରପତି ଏଜି ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ୱକଫ୍‌ ସମ୍ପତ୍ତି ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କୁ ଦିଆଯାଇଥିବା ଅଖଣ୍ଡ କ୍ଷମତାକୁ ସ୍ଥଗିତ ରଖିଛନ୍ତି। ସେହିପରି ୱକଫ୍‌ ସମ୍ପତ୍ତି ପରିଚାଳନା ପାଇଁ ୫ ବର୍ଷ ଇସଲାମ୍‌ ଧର୍ମ ଅଭ୍ୟାସ କରିବା ଆବଶ୍ୟକ ବୋଲି ନିୟମରେ ରହିଥିବା ବ୍ୟବସ୍ଥା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। କେନ୍ଦ୍ରୀୟ ୱକଫ୍‌ ପରିଷଦ ଏବଂ ରାଜ୍ୟ ୱକଫ୍‌ ବୋର୍ଡରେ ଅଣ ମୁସଲମାନଙ୍କ ନିଯୁକ୍ତି ସଂଖ୍ୟା ଉପରେ ମଧ୍ୟ ହସ୍ତକ୍ଷେପ କରିଛନ୍ତି। 

Advertisment

ଖଣ୍ଡପୀଠ ଧାରା ୩(୧)(ଆର୍‌)ର କାର୍ଯ୍ୟକାରିତାକୁ ରୋକିଛନ୍ତି। ଏହି ଧାରାରେ ୱକଫ୍‌ ସୃଷ୍ଟି ପାଇଁ ଜଣେ ବ୍ୟକ୍ତିଙ୍କୁ ଅତିକମ୍‌ରେ ୫ ବର୍ଷ ଇସଲାମ୍‌ ଅଭ୍ୟାସ କରିବାର ଆବଶ୍ୟକତା ରହିଥିଲା। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହି ବ୍ୟବସ୍ଥା କିପରି କାର୍ଯ୍ୟକାରୀ କରାଯିବ ସେ ସଂକ୍ରାନ୍ତରେ ରାଜ୍ୟ ସରକାରଗୁଡ଼ିକ ନିୟମ ପ୍ରସ୍ତୁତ ନ କରିବା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯିବ। ସରକାରୀ ଜମିକୁ ୱକଫ୍ ନାମରେ ଜବରଦଖଲ କରାଯାଇଛି କି ନାହିଁ ସେ ନେଇ ବିବାଦର ସମାଧାନ ପାଇଁ ଜଣେ ସରକାରୀ ଅଧିକାରୀଙ୍କୁ କ୍ଷମତା ପ୍ରଦାନ କରିବା ଉପରେ ମଧ୍ୟ ଖଣ୍ଡପୀଠ ରହିତାଦେଶ ଜାରି କରିଛନ୍ତି। ଏହାକୁ କ୍ଷମତା ପୃଥକୀକରଣର ଉଲ୍ଲଂଘନ ବୋଲି କହି ଖଣ୍ଡପୀଠ କହିଛନ୍ତି, ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ନାଗରିକଙ୍କ ସମ୍ପତ୍ତି ଅଧିକାରର ବିଚାର କରିପାରିବେ ନାହିଁ।

ବୋର୍ଡରେ ଅଣମୁସଲମାନଙ୍କ ସଂଖ୍ୟା ୪ରେ ସୀମିତ ରହିବ

ଯେପର୍ଯ୍ୟନ୍ତ ୱକଫ୍ ଟ୍ରିବ୍ୟୁନାଲ୍‌ ଏଭଳି ବିବାଦର ସମାଧାନ ନ କରିଛନ୍ତି, ସେ ପର୍ଯ୍ୟନ୍ତ ବିବାଦୀୟ ସମ୍ପତ୍ତି ଉପରେ କୌଣସି ତୃତୀୟ ପକ୍ଷର ଅଧିକାର ସୃଷ୍ଟି ହୋଇପାରିବ ନାହିଁ। ଅଣମୁସଲିମ୍‌ମାନଙ୍କୁ ୱକଫ୍‌ ବୋର୍ଡରେ ନିଯୁକ୍ତି ବାବଦରେ ଦିଆଯାଇଥିବା ଅନୁମତି ଉପରେ ରହିତାଦେଶ ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି। ତେବେ ଏହା ସ୍ପଷ୍ଟ କରିଛନ୍ତି ଯେ ଏକ୍ସ-ଅଫିସିଓ ସଦସ୍ୟ ଯଥାସମ୍ଭବ ମୁସଲମାନ ହେବା ଆବଶ୍ୟକ। ଆଇନର ଧାରା ୩ (୧)(ଆର୍)କୁ ସ୍ଥଗିତ ରଖାଯାଇଛି। ଏହି ଆଇନରେ ଜଣେ ବ୍ୟକ୍ତିଙ୍କୁ ୱକଫ୍ ସୃଷ୍ଟି କରିବା ପୂର୍ବରୁ ଅତି କମ୍‌ରେ ପାଞ୍ଚ ବର୍ଷ ଇସଲାମ ଧର୍ମ ପାଳନ କରିବାର ବ୍ୟବସ୍ଥା ରଖାଯାଇଥିଲା। କୋର୍ଟ କହିଛନ୍ତି, ଯେପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ଏହାର କାର୍ଯ୍ୟକାରିତା ପାଇଁ ନିୟମ ପ୍ରଣୟନ କରି ନାହାନ୍ତି, ସେ ପର୍ଯ୍ୟନ୍ତ ଏହା ସ୍ଥଗିତ ରହିବ।

ୱକଫ୍ ନାମରେ ସରକାରୀ ଜମି ଜବରଦଖଲ ହୋଇଛି କି ନାହିଁ ତାହା ସ୍ଥିର କରିବାକୁ ଜଣେ ସରକାରୀ ଅଧିକାରୀଙ୍କୁ ଅନୁମତି ଦେବା ବ୍ୟବସ୍ଥାକୁ କୋର୍ଟ ସ୍ଥଗିତ ରଖିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, କେବଳ ନ୍ୟାୟିକ ଫୋରମ୍ ଏଭଳି ବିବାଦର ନିଷ୍ପତ୍ତି ନେଇପାରିବ। ଯେପର୍ଯ୍ୟନ୍ତ ୱକଫ୍ ଟ୍ରିବ୍ୟୁନାଲ ମାମଲାଗୁଡ଼ିକର ସମାଧାନ ନ କରିଛନ୍ତି, କୌଣସି ତୃତୀୟ-ପକ୍ଷର ଅଧିକାର ସୃଷ୍ଟି କରାଯାଇପାରିବ ନାହିଁ।
ୱକଫ୍ ବୋର୍ଡରେ ଅଣ-ମୁସଲମାନଙ୍କୁ ରଖିବା ନିୟମ ବଳବତ୍ତର ରହିଛି, କିନ୍ତୁ କେନ୍ଦ୍ରୀୟ ୱକଫ୍ ପରିଷଦରେ ଚାରିଜଣ ଓ ରାଜ୍ୟ ୱକଫ୍ ବୋର୍ଡରେ ତିନିଜଣରୁ ଅଧିକ ଅଣମୁସଲମାନ ରହିପାରିବେ ନାହିଁ। ଏକ୍ସ-ଅଫିସିଓ ସଦସ୍ୟମାନେ ମୁଖ୍ୟତଃ ମୁସଲମାନ ହେବା ଉଚିତ ବୋଲି କୋର୍ଟ କହିଛନ୍ତି। ଖଣ୍ଡପୀଠ ୱକଫ୍ ସମ୍ପତ୍ତିର ପଞ୍ଜୀକରଣକୁ ବାଧ୍ୟତାମୂଳକ କରୁଥିବା ବ୍ୟବସ୍ଥାରେ ହସ୍ତକ୍ଷେପ କରି ନାହାନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ ଏହି ବ୍ୟବସ୍ଥା ୧୯୯୫ ଓ ୨୦୧୩ର ପୂର୍ବ ଆଇନରେ ଥିଲା। ତଥାପି କୋର୍ଟ ପଞ୍ଜୀକରଣ ପାଇଁ ସମୟସୀମା ବୃଦ୍ଧି କରିଛନ୍ତି। ରାୟ ଆନୁଷ୍ଠାନିକ ଭାବରେ ଅପ୍‌ଲୋଡ୍ ହେବା ପରେ ନୂତନ ସମୟସୀମା ସ୍ଥିର କରାଯିବ।
ୱକଫ୍ ବାଇ ୟୁଜର୍ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ୱକଫ୍ ବାଇ ୟୁଜର୍ ଦ୍ବାରା ସରକାରୀ ଜମି ଉପରେ ବ୍ୟାପକ ଜବରଦଖଲ ହେଉଛି ବୋଲି ସରକାର ଅନୁଭବ କରୁଛନ୍ତି, ତେବେ ଏହି ସଂଶୋଧନକୁ ମନମୁଖୀ ବୋଲି ବିବେଚନା କରାଯାଇପାରିବ ନାହିଁ। ସଲିସିଟର୍‌ ଜେନେରାଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ, ମୂଳ ୱକଫ୍ ଆଇନର ଧାରା ୩ (ଆର୍)(ଆଇ)କୁ ହଟାଇବା ସେହି ଦିନଠାରୁ କାର୍ଯ୍ୟକାରୀ ହେବ, ଯେଉଁଦିନଠାରୁ ଆପତ୍ତିଜନକ ଅଧିନିୟମ କାର୍ଯ୍ୟକାରୀ ହୋଇଛି। ଉକ୍ତ ବ୍ୟବସ୍ଥା ତା’ଠୁ ପିଛିଲା ଭାବେ ଲାଗୁ ହେବ ନାହିଁ। ତେଣୁ ୱକଫ୍‌ ନିକଟରେ ଥିବା ଜମି ସରକାର ଅକ୍ତିଆର କରିବେ ବୋଲି ଆବେଦନକାରୀମାନେ ଯେଉଁ ଯୁକ୍ତି କରୁଛନ୍ତି, ତାହା ନିରାଧାର।