ନୂଆଦିଲ୍ଲୀ: ଦେଶରେ ୱକଫ୍ ସଂଶୋଧନ ଆଇନ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏହି ଆଇନକୁ ଚାଲେଞ୍ଜ କରି ହୋଇଥିବା ଏକାଧିକ ମାମଲାର ଶୁଣାଣି ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ କରିବେ। ଆସନ୍ତା ୧୫ କିମ୍ବା ୧୬ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ମାମଲାର ଶୁଣାଣି ପୂର୍ବରୁ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଏକ କାଭିଏଟ୍ ଦାଖଲ କରିଛନ୍ତି। ଏହି ମାମଲାରେ କୌଣସି ରାୟ ଦେବା ପୂର୍ବରୁ କେନ୍ଦ୍ରର ମତାମତ ଶୁଣିବା ପାଇଁ ଏହା କରାଯାଇଛି।
କାଭିଏଟ୍ ଦାଖଲ କଲା କେନ୍ଦ୍ର
ଏହି ବିବାଦୀୟ ବିଲ୍ ଉପରେ ବର୍ତ୍ତମାନ ସୁଦ୍ଧା ୧୫ଟି ପିଟିସନ୍ ଦାଖଲ ହୋଇଛି। କେତେକ ବିରୋଧୀ ଦଳ ସହିତ ମୁସଲିମ ପକ୍ଷ ଏହି ଆଇନକୁ ବିରୋଧ କରି ଅଦାଲତ ଯାଇଛନ୍ତି। ଗତ ସପ୍ତାହର ବୁଧବାର ଲୋକସଭାରେ ଏବଂ ଗୁରୁବାର ରାଜ୍ୟସଭାରେ ଦୀର୍ଘ ସମୟ ଧରି ବିତର୍କ ପରେ ୱକ୍ଫ (ସଂଶୋଧନ) ବିଲ୍-୨୦୨୫ ଏବଂ ମୁସଲମାନ ୱକ୍ଫ(ଉଚ୍ଛେଦ) ବିଲ୍-୨୦୨୫ ଗୃହୀତ ହୋଇଛି। ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ୱକଫ୍ ସଂଶୋଧନ ବିଲ୍ ଉପରେ ଗତ ଶନିବାର ମୋହର ମାରି ସାରିଛନ୍ତି। ଫଳରେ ୱକଫ୍ ସଂଶୋଧନ ବିଲ୍ ଆଇନରେ ପରିଣତ ହୋଇଯାଇଛି। କେନ୍ଦ୍ରୀୟ ୱକଫ୍ ପରିଷଦ ଏବଂ ୱକଫ୍ ବୋର୍ଡରେ ଅଣମୁସଲିମ୍ ସଦସ୍ୟଙ୍କୁ ସାମିଲ କରାଯିବାକୁ ବାଧ୍ୟତାମୂଳକ କରାଯାଇଥିବାରୁ ଏହି ସଂଶୋଧନକୁ ବିରୋଧ କରାଯାଉଛି। ସେହିଭଳି ଯେଉଁ ବ୍ୟକ୍ତି ଅତିକମ୍ରେ ୫ ବର୍ଷ ଇସଲାମ୍ ଧର୍ମ ପାଳନ କରିଆସିଛନ୍ତି କେବଳ ସେହିମାନେ ହିଁ ୱକଫ୍କୁ ସମ୍ପତ୍ତି ଦାନ କରିପାରିବେ ବୋଲି ନୂଆ ଆଇନରେ ବ୍ୟବସ୍ଥା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)