ନୂଆଦିଲ୍ଲୀ: ବିରୋଧୀ ଦଳମାନଙ୍କ ଜୋର୍‌ଦାର୍‌ ବିରୋଧ ଭିତରେ ଆଜି ବିବାଦୀୟ ୱକଫ୍ ସଂଶୋଧନ ବିଲ୍-୨୦୨୫ (ଉମ୍ମିଦ) ଲୋକସଭାରେ ଗୃହୀତ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ। ବିଲ୍‌ ଉପରେ ୮ ଘଣ୍ଟା ଆଲୋଚନା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ବିରୋଧୀ ଦଳଙ୍କ ଦାବି ମୁତାବକ ଏହା ୧୨ ଘଣ୍ଟାକୁ ବୃଦ୍ଧି ପାଇଥିଲା।   ଶାସକ ଏନ୍‌ଡିଏ ଓ ବିରୋଧୀ ଦଳ ମଧ୍ୟରେ ଘମାଘୋଟ ବିତର୍କ ପରେ ରାତି ସାଢ଼େ ୧୨ଟାରେ ଭୋଟ୍‌ ଗ୍ରହଣ ହୋଇଥିଲା ଏବଂ ବାଚସ୍ପତି  ଓମ୍‌ ବିର୍ଲା  ୧୨ଟା ୪୦ରେ ଫଳାଫଳ ଘୋଷଣା କରିଥିଲେ।  ବିଲ୍‌ ସପକ୍ଷରେ ୨୮୮ ଜଣ ଭୋଟ୍‌ ଦେଇଥିବା ବେଳେ ବିଲ୍‌ ବିରୋଧରେ ୨୩୧  ଜଣ ଭୋଟ୍‌ ଦେଇଥିଲେ।  ଏହାପରେ ସାଂସଦଙ୍କ ଦ୍ବାରା ଆଗତ ବିଭିନ୍ନ  ସଂଶୋଧନ ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ହୋଇଥିଲା ଏବଂ ପ୍ରକ୍ରିୟା ରାତି ୧ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା।  ଭୋଟ୍‌ ଗ୍ରହଣ ଉଭୟ ବାଚନିକ ଓ ଇଲେକ୍‌ଟ୍ରୋନିକ୍‌ ଭୋଟିଂ ବ୍ୟବସ୍ଥାରେ ହୋଇଥିଲା।

Advertisment

ଆଜି ବିଲ୍ ଉପସ୍ଥାପନ କରି ରିଜିଜୁ କହିଥିଲେ,  ପୂର୍ବ ୟୁପିଏ ସରକାର ଵକଫ୍ ଆଇନରେ ପରିବର୍ତ୍ତନ ମାଧ୍ୟମରେ ଏହାକୁ ଅନ୍ୟ ଆଇନଠାରୁ ପୃଥକ, ବିବାଦୀୟ ଓ କଠୋର  କରାଯାଇଥିଲା।   ତେଣୁ ଏଥିପାଇଁ ନୂତନ ସଂଶୋଧନର ଆବଶ୍ୟକତା ରହିଛି। ଗୃହରେ ବିରୋଧୀ ଦଳଗୁଡ଼ିକୁ କଡ଼ା ସମାଲୋଚନା କରି ରିଜିଜୁ କହିଥିଲେ,  ୱକଫ୍‌ ବିଲ୍‌ରେ ଆଦୌ ନଥିବା ପ୍ରସଙ୍ଗ ଉଠାଇ ବିଭିନ୍ନ ବିରୋଧୀ ଦଳ  ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି।    ଅନ୍ୟପକ୍ଷରେ ବିରୋଧୀମାନେ ମୁସଲମାନମାନଙ୍କ ଧାର୍ମିକ ବ୍ୟାପାରରେ କେନ୍ଦ୍ର ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ୱକଫ୍ ସଂଶୋଧନ ବିଲ୍ ଉପରେ ବିତର୍କ ବେଳେ ସ୍ପଷ୍ଟ କରିଥିଲେ ଯେ ଧାର୍ମିକ ବ୍ୟାପାର ପରିଚାଳନାରେ ୱକଫ୍ ବୋର୍ଡର ଅଣ-ମୁସଲମାନ ସଦସ୍ୟଙ୍କ କୌଣସି ଭୂମିକା ରହିବ ନାହିଁ। ଏହି ବିଲ୍ ନେଇ ବିରୋଧୀ ଦଳ ନେତାମାନେ କେବଳ ବିଭ୍ରାନ୍ତି କରୁଥିବା ଅଭିଯୋଗ କରି ଶାହ ଏହାର କଡ଼ା ସମାଲୋଚନା କରିଥିଲେ। ଵକଫ୍ ପ୍ରତିଷ୍ଠାର ଇତିହାସ ଉପରେ ଆଲୋକପାତ କରି ସେ କହିଥିଲେ ଯେ ୧୯୯୫ ମସିହାରେ ଵକଫ୍ ଆଇନ ଓ ବୋର୍ଡ କାର୍ଯ୍ୟକାରୀ ହୋଇଥିଲା ଏବଂ ଏବେ ଅଣ-ମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗ ଉଠାଇ ବିରୋଧୀମାନେ ମିଥ୍ୟା ପ୍ରଚାର କରୁଛନ୍ତି। ପ୍ରଥମତଃ ୱକଫ୍‌ର ଧାର୍ମିକ ଅନୁଷ୍ଠାନ ପରିଚାଳନା କରୁଥିବା ଲୋକଙ୍କ ମଧ୍ୟରେ କୌଣସି ଅଣମୁସଲମାନ ରହିବେ ନାହିଁ। ଅଣମୁସଲମାନଙ୍କୁ ସାମିଲ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ଏବଂ ଆମେ ଏହା କରିବାକୁ ଚାହୁନାହୁଁ ବୋଲି  ଶାହ କହିଥିଲେ। ସଂଶୋଧିତ ଆଇନ ମୁସଲମାନଙ୍କ ଧାର୍ମିକ ଆଚରଣରେ ହସ୍ତକ୍ଷେପ କରିବ ନାହିଁ ଏବଂ ସେମାନଙ୍କ ଦ୍ୱାରା ଦାନ କରାଯାଇଥିବା ସମ୍ପତ୍ତିରେ ହସ୍ତକ୍ଷେପ ମଧ୍ୟ କରିବ ନାହିଁ।

୧୨ ଘଣ୍ଟା ବିତର୍କ ପରେ ହେଲା ଭୋଟ୍‌
ବିଲ୍‌ ସପକ୍ଷରେ ୨୮୮, ବିରୋଧରେ ୨୩୧
ବିରୋଧୀଙ୍କ ସଂଶୋଧନ ପ୍ରସ୍ତାବ କାଟ୍‌ ଖାଇଲା 

ଶାହ କହିଥିଲେ, ସଂଖ୍ୟାଲଘୁଙ୍କ ମଧ୍ୟରେ ସେମାନଙ୍କ ଭୋଟ୍ ବ୍ୟାଙ୍କକୁ ନେଇ ଭୟ ସୃଷ୍ଟି କରିବା ପାଇଁ ଏହି ବିରୋଧୀ ଦଳ ନେତାମାନେ ଭୁଲ ଧାରଣା ପ୍ରସାର କରିଛନ୍ତି। ଶାହ ସ୍ପଷ୍ଟ କରିଥିଲେ ଯେ ଅଣମୁସଲମାନ ସଦସ୍ୟମାନେ କେବଳ ପରିଷଦ ଏବଂ ୱକଫ୍‌ ବୋର୍ଡର ପ୍ରଶାସନିକ କାର୍ଯ୍ୟ ଉପରେ ନଜର ରଖିବେ। ଏହାବ୍ୟତୀତ ୱକଫ୍‌ ବୋର୍ଡର କାର୍ଯ୍ୟ   ଆଇନ ଅନୁଯାୟୀ ଚାଲିଛି କି ନାହିଁ ଏବଂ  ଦାନର ଯାହା ଉଦ୍ଦେଶ୍ୟ ଥିଲା ସେଥିପାଇଁ ତାହା ବ୍ୟବହାର କରାଯାଉଛି କି ନାହିଁ ତାହା ସେମାନେ ସୁନିଶ୍ଚିତ କରିବେ। ଆଇନରେ ନୂତନ ବ୍ୟବସ୍ଥା ଅନୁଯାୟୀ, ଏଣିକି କେହି ସରକାରୀ ଜମିକୁ ୱକଫ୍‌ ନାମରେ ଦାନ କରିପାରିବେ ନାହିଁ ବୋଲି ଗୃହମନ୍ତ୍ରୀ କହିଥିଲେ। କେନ୍ଦ୍ରମନ୍ତ୍ରୀ  ରିଜିଜୁ କହିଥିଲେ ଯେ ଯଦି ୨୦୧୪ରେ ବିଜେପି କ୍ଷମତାକୁ ଆସି ନ ଥାନ୍ତା ତେବେ କଂଗ୍ରେସ ସରକାର ସଂସଦ ଓ ବିମାନବନ୍ଦର ଜମି ଵକଫ୍‌କୁ ଦେଇଥାନ୍ତେ। ‘ୟୁନିଫାଏଡ୍ ଵକଫ୍ ମ୍ୟାନେଜମେଣ୍ଟ ଏମ୍ପାୱାରମେଣ୍ଟ, ଏଫିସିଏନ୍ସି ଆଣ୍ଡ୍ ଡେଭ୍‌ଲପ୍‌ମେଣ୍ଟ (ୟୁଏମ୍‌ଇଇଡି) ବିଲ୍ ବା ‘ଉମ୍ମିଦ’  ନାମରେ ନାମିତ ଏହି ବିଲ୍‌ର ଉଦ୍ଦେଶ୍ୟ ମୁସଲମାନ ସମ୍ପ୍ରଦାୟର ଜମି କିମ୍ବା ମସଜିଦ୍ ଛଡ଼ାଇ ନେବା ନୁହେଁ ବୋଲି ରିଜିଜୁ ସ୍ପଷ୍ଟ କରିଥିଲେ।  

ଆଜି ଲୋକସଭାରେ ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ବିଲ୍‌କୁ ଜୋର୍‌ଦାର ବିରୋଧ କରି କହିଥିଲେ ଯେ ୱକଫ୍ ବିଲ୍ ଭାରତର ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବ ଏବଂ ଏହା ବିଜେପିର ବିଭାଜନକାରୀ ଏଜେଣ୍ଡା। କୋଟି କୋଟି ଲୋକଙ୍କଠାରୁ ଘର ଓ ଦୋକାନ ଛଡ଼ାଇ ନେବା ପାଇଁ ଏହା ଏକ ଷଡ଼୍‌ଯନ୍ତ୍ର। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଜମି ଜିହାଦ ନାମରେ ଦ୍ୱିତୀୟ ବିଭାଜନକୁ ରୋକିବା ଉଦ୍ଦେଶ୍ୟରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି ଏବଂ ଏହା ପଛରେ ଦେଶର କଲ୍ୟାଣ ହିଁ ମୁଖ୍ୟ ଉଦ୍ଦେଶ୍ୟ ରହିଛି। ସୂଚନାଯୋଗ୍ୟ, ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏର ୨୯୩ ସଦସ୍ୟ ଥିବା ବେଳେ  ବିଲ୍‌ ବାବଦରେ  ଅନ୍ୟ ସମର୍ଥକ ସଦସ୍ୟଙ୍କ ସମର୍ଥନକୁ ମିଶାଇ ଏହି  ସଂଖ୍ୟା ୨୯୬ରେ ପହଞ୍ଚିଥିଲା।  ଅନ୍ୟପକ୍ଷରେ ଇଣ୍ଡି ମେଣ୍ଟ ସାଂସଦ ଏବଂ ଏହାକୁ ସମର୍ଥନ କରୁଥିବା  ଅନ୍ୟ ସାଂସଦଙ୍କ ସଂଖ୍ୟା ୨୩୫ ଥିଲା ।  ଜେଡିୟୁ, ଟିଡିପି ଏବଂ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଭଳି ଏନ୍‌ଡିଏ ସହଯୋଗୀ ଦଳ ଏହି ବିଲ୍‌ ନେଇ ସରକାରଙ୍କୁ ସମର୍ଥନ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ଇଣ୍ଡି ମେଣ୍ଟ ଏହି ବିଲ୍‌କୁ ଦୃଢ଼ ବିରୋଧ କରି ଏକଜୁଟ ହୋଇଥିଲା।