ନୂଆଦିଲ୍ଲୀ: ୱକଫ୍ (ସଂଶୋଧନ) ବିଲ୍-୨୦୨୪ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟ ଆସନ୍ତାକାଲି (୩ ତାରିଖ)   ଲୋକସଭାରେ ଉପସ୍ଥାପିତ ହେବ। ଏହା ପୂର୍ବରୁ ଆଜି ଏହି ମାମଲାରେ ବିରୋଧୀ ସାଂସଦମାନେ ସରକାରକୁ ଘେରିଛନ୍ତି। କମିଟିରେ ଥିବା ବିରୋଧୀ ଦଳ ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ବିନା ସମ୍ମତିରେ  ସେମାନେ ଉଲ୍ଲେଖ କରିଥିବା ପ୍ରତିବାଦ ନୋଟ୍‌ର କିଛି ଅଂଶ ହଟାଇ ଦିଆଯାଇଛି । ସୂଚନାଯୋଗ୍ୟ,  ଆସନ୍ତାକାଲି ସଂସଦରେ  ୱକଫ୍‌ ବିଲ୍‌ ସଂକ୍ରାନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ଅଧ୍ୟକ୍ଷ ଜଗଦମ୍ବିକା ପାଲ୍ ଏବଂ ବିଜେପି ସାଂସଦ ସଞ୍ଜୟ ଜୟସ୍ୱାଲ ଉଭୟ ହିନ୍ଦୀ ଓ ଇଂରାଜୀରେ ରିପୋର୍ଟ ଉପସ୍ଥାପନ କରିବେ। କମିଟି ଆଗରେ ଦିଆଯାଇଥିବା ପ୍ରମାଣକୁ ମଧ୍ୟ ସେମାନେ ରେକର୍ଡରେ ରଖିବେ।  ଜାନୁଆରି ୩୦ତାରିଖରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏହି ରିପୋର୍ଟ ପ୍ରଦାନ କରାଯାଇଥିଲା। ସେହିଦିନ ଜଗଦମ୍ବିକା ପାଲ ସଂସଦରେ ବାଚସ୍ପତିଙ୍କୁ ଭେଟି ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଥିଲେ।  ତେବେଏହି ରିପୋର୍ଟକୁ ନେଇ ବିରୋଧୀ ଦଳ ନେତାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। 

Advertisment

ପ୍ରତିବାଦ ନୋଟ୍‌ ବିନା ସମ୍ମତି‌ରେ ହଟା ଯାଇଛି: କଂଗ୍ରେସ ସାଂସଦ

ଅନ୍ୟପକ୍ଷରେ ବିରୋଧୀ ଦଳ ସଦସ୍ୟ ତଥା କଂଗ୍ରେସ ସାଂସଦ ସୟଦ ନସିର ହୁସେନ ଓ ଅନ୍ୟମାନେ ଦାବି କରିଛନ୍ତି ଯେ ବିଲ୍ ଉପରେ ଅସନ୍ତୋଷ ପ୍ରକାଶ କରି ସେମାନେ ଯେଉଁ ନୋଟ୍‌ ଲେଖିଥିଲେ ତାହାର କିଛି ଅଂଶ ସେମାନଙ୍କ ଅଜାଣତରେ ସଂଶୋଧନ କରାଯାଇଛି।  ଏହା ବିରୋଧୀଙ୍କ ସ୍ୱରକୁ ଦମନ କରିବାର ପ୍ରୟାସ ବୋଲି ସେମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଯୁଗ୍ମ ସଂସଦୀୟ କମିଟି  ୱକଫ୍‌ ବିଲ୍‌ର ୧୪ଟି ଧାରାରେ ୨୫ଟି ସଂଶୋଧନ କରି ବିଲ୍‌କୁ ମଞ୍ଜୁରି ଦେଇଥିଲା।  ଜଗଦମ୍ବିକା ପାଲ୍‌ କହିଛନ୍ତି, ଆମେ ରିପୋର୍ଟ ଏବଂ ସଂଶୋଧିତ  ବିଲ୍  ଗ୍ରହଣ କରିଛୁ। ପ୍ରଥମ ଥର ପାଇଁ, ଆମେ ଏକ ବିଭାଗକୁ ଅନ୍ତର୍ଭୁକ୍ତ କରିଛୁ ଯେଉଁଥିରେ କୁହାଯାଇଛି ଯେ ୱକଫର ଲାଭ ଅବହେଳିତ, ଗରିବ, ମହିଳା ଏବଂ ଅନାଥମାନଙ୍କୁ ଦିଆଯିବା ଉଚିତ। ଆମ ପାଖରେ ୪୪ଟି ଧାରା ଥିଲା, ସେଥିମଧ୍ୟରୁ ୧୪ଟି ଧାରାରେ ସଂଶୋଧନ ପାଇଁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ। ବହୁମତ ଆଧାରରେ ସଂଶୋଧନକୁ ଗ୍ରହଣ କରାଯାଇଥିଲା ବୋଲି ପାଲ୍‌ କହିଛନ୍ତି। ୧୯୯୫ର ୱକଫ୍ ଆଇନ ୱକଫ୍ ସମ୍ପତ୍ତିକୁ ନିୟନ୍ତ୍ରଣ କରୁଥିବା ବେଳେ ବ୍ୟାପକ ଅବ୍ୟବସ୍ଥା ଏବଂ ଜବରଦଖଲ ଭଳି ପ୍ରସଙ୍ଗ ପାଇଁ  ଏହାର କଡ଼ା ସମାଲୋଚନା କରାଯାଇଛି। ସଂଶୋଧିତ ବିଲ୍‌ରେ ଆଇନଗତ ବ୍ୟବସ୍ଥା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବାକୁ ଲକ୍ଷ୍ୟ ରଖାଯାଇଛି।