ନୂଆଦିଲ୍ଲୀ: ଵକଫ୍(ସଂଶୋଧନ) ଆଇନ-୨୦୨୫ ଉପରେ ଆଜି ସୁପ୍ରିମ୍‌କୋର୍ଟରେ ଲଗାତାର ତୃତୀୟ ଦିନ ପାଇଁ ଶୁଣାଣି  ହୋଇଛି। ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି ଶେଷ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି। ଶେଷ ଦିବସ ଶୁଣାଣିରେ ଆଧ୍ୟାତ୍ମ ତର୍କ ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାର  ଗତକାଲି କୋର୍ଟରେ ଯୁକ୍ତି ରଖିଥିଲେ ଯେ ୱକଫ୍‌ ଇସଲାମରେ କେବଳ ଏକ ଦାନ ଏବଂ ଏହା ଇସଲାମର ଅପରିହାର୍ଯ୍ୟ ଅଙ୍ଗ ନୁହେଁ।  ଆଜି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏହାକୁ ନେଇ ଆପତ୍ତି ଉଠାଇ କହିଥିଲେ- ‘ଵକଫ୍ ଈଶ୍ବରଙ୍କ ପ୍ରତି, ପରକାଳ ପ୍ରତି ସମର୍ପଣ। ଏହା କେବଳ ସମାଜ ପାଇଁ ଦାନ ନୁହେଁ, ବରଂ ଈଶ୍ବରଙ୍କ ପ୍ରତି ସମର୍ପଣ।  ଆଧ୍ୟାତ୍ମିକ ଲାଭ ହିଁ ଏହାର ଉଦ୍ଦେଶ୍ୟ।’

Advertisment

‘ହିନ୍ଦୁଙ୍କ ପାଇଁ ମୋକ୍ଷ, ଇସଲାମରେ ୱକଫ୍’
ସୁପ୍ରିମ୍‌କୋର୍ଟରେ ଆଧ୍ୟାତ୍ମିକ ଯୁକ୍ତି ଉପସ୍ଥାପନ 

ସିବଲଙ୍କ ଯୁକ୍ତି ଉପରେ ଟିପ୍ପଣୀ ରଖି ପ୍ରଧାନ ବିଚାରପତି ଜଷ୍ଟିସ ବିଆର୍‌ ଗୱାଇ କହିଥିଲେ ଯେ ହିନ୍ଦୁମାନଙ୍କ କ୍ଷେତ୍ରରେ ମଧ୍ୟ ‘ମୋକ୍ଷ’ର ଧାରଣା ରହିଛି ଏବଂ ମୋକ୍ଷ ପ୍ରାପ୍ତି ଅବଧାରଣା ମଧ୍ୟ ଏହି ଧର୍ମରେ ଗୁରୁତ୍ବପୂର୍ଣ୍ଣ। ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟକୁ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହ ସମର୍ଥନ କରି କହିଥିଲେ ଯେ  ଖ୍ରୀଷ୍ଟିଆନ ଧର୍ମରେ ମଧ୍ୟ ସ୍ୱର୍ଗପ୍ରାପ୍ତି ପାଇଁ ଆକାଂକ୍ଷା ରହିଛି। କେନ୍ଦ୍ରର ଯୁକ୍ତିକୁ ଚ୍ୟାଲେଞ୍ଜ କରି ବରିଷ୍ଠ ଆଇନଜୀବୀ ରାଜୀବ ଧୱନ କହିଥିଲେ, ବେଦ ଅନୁଯାୟୀ ମନ୍ଦିର ହିନ୍ଦୁ ଧର୍ମର ଏକ ଅତ୍ୟାବଶ୍ୟକ ଅଙ୍ଗ ନୁହେଁ।   ସେଠାରେ ପ୍ରକୃତିକୁ ପୂଜା କରିବା ପ୍ରାବଧାନ ରହିଛି ଏବଂ ଅଗ୍ନି, ଜଳ, ପର୍ବତ, ସମୁଦ୍ର ସବୁକିଛିକୁ ଦେବତା ବୋଲି ପୂଜା କରିବାର ବ୍ୟବସ୍ଥା ରହିଛି।   ସିବଲ ତାଙ୍କ ଯୁକ୍ତିରେ  କହିଥିଲେ ଯେ ଇସଲାମର କିଛି ମୌଳିକ ସିଦ୍ଧାନ୍ତ ଅନୁଯାୟୀ ମୋତେ ଈଶ୍ବରଙ୍କୁ ୱକଫ୍‌ ଉତ୍ସର୍ଗ କରିବାକୁ ପଡିବ। ପ୍ରଧାନ ବିଚାରପତି ଏହା ଉପରେ କହିଥିଲେ ଯେ ଦାନ ହେଉଛି ପ୍ରତ୍ୟେକ ଧର୍ମର ମୌଳିକ ଉପାଦାନ ଏବଂ ସମସ୍ତ ଧର୍ମରେ ଭଗବାନ କିମ୍ବା ସମାଜକୁ ଦାନ ଦେବାର ପରମ୍ପରା ରହିଛି । ୱକଫ୍ ପରିଚାଳନା କମିଟିରେ ଅଣମୁସଲମାନଙ୍କୁ ସାମିଲ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ବ୍ୟବସ୍ଥାରେ ଅଣହିନ୍ଦୁମାନଙ୍କୁ ସ୍ଥାନ ଦିଆଯାଉନାହିଁ ବୋଲି ସିବଲ ଯୁକ୍ତି ରଖିଥିଲେ। ହିନ୍ଦୁ ଧାର୍ମିକ ଟ୍ରଷ୍ଟରେ ଅଣହିନ୍ଦୁଙ୍କୁ ସାମିଲ କରାଯାଇ ନଥିବା ବେଳେ ଵକଫ ବୋର୍ଡରେ ୪ ଜଣ ଅଣମୁସଲମାନ ସଦସ୍ୟଙ୍କ ପାଇଁ ବ୍ୟବସ୍ଥା ରହିଛି। କେବଳ ଜଣେ ଅଣହିନ୍ଦୁ ଏ କ୍ଷେତ୍ରରେ ଯଥେଷ୍ଟ ହୋଇଥାନ୍ତା ବୋଲି ସେ କହିଥିଲେ।

ସିବଲ କହିଛନ୍ତି,  ୱକଫ୍ ସମ୍ପତ୍ତି ପଞ୍ଜୀକରଣ ନ ହେବା ଫଳରେ ପୂର୍ବରୁ ମାଲିକାନା ଚାଲିଯିବା ଭଳି ପରିସ୍ଥିତି ନଥିଲା କାରଣ ୧୯୯୫ ଅଧିନିୟମରେ ଏହାକୁ ପଞ୍ଜୀକରଣ କରିବା  ରାଜ୍ୟମାନଙ୍କ ପାଇଁ ବାଧ୍ୟତାମୂଳକ ଥିଲା।   ସେ କହିଛନ୍ତି, ନୂଆ ଆଇନ ଯୋଗୁଁ ମୁସଲମାନ ସମ୍ପ୍ରଦାୟ ସମ୍ପତ୍ତିରୁ ବଞ୍ଚିତ ହେବେ କାରଣ ରାଜ୍ୟ ସରକାର ସର୍ଭେ କରିନାହାନ୍ତି ଏବଂ ଏହା କୁହାଯିବ ଯେ ୱକଫ୍‌  ପଞ୍ଜୀକୃତ ହୋଇନାହିଁ। ସିବଲ କହିଛନ୍ତି, ସରକାରଙ୍କ ପୋର୍ଟାଲରେ କେତେକ ରାଜ୍ୟରେ ୱକଫ୍ ଦେଖାଯାଇନାହିଁ। ଏହାର ଅର୍ଥ କ’ଣ ଗୁଜୁରାଟ ଭଳି ରାଜ୍ୟରେ ୱକଫ୍ ନାହିଁ?