ନୂଆଦିଲ୍ଲୀ: ପାରମ୍ପରିକ ଭାବରେ ଏକ ଇସଲାମିକ ଧାରଣା ୱକଫ୍ ମୁଖ୍ୟତଃ ଏକ ପ୍ରକାର ଦାନ ଏବଂ ଇସଲାମର ଏକ ଅପରିହାର୍ଯ୍ୟ ଅଙ୍ଗ ନୁହେଁ ବୋଲି କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟରେ ଯୁକ୍ତି ବାଢ଼ିଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ୱକଫ୍ ଏକ ଇସଲାମିକ ଧାରଣା। କିନ୍ତୁ ଏହା ଇସଲାମର ଏକ ଅତ୍ୟାବଶ୍ୟକ ଅଙ୍ଗ କଦାପି ନୁହେଁ। ଇସଲାମ ଧର୍ମରେ ୱକଫ୍ କେବଳ ଦାନ ବ୍ୟତୀତ ଆଉ କିଛି ନୁହେଁ। ଦାନ ପ୍ରତ୍ୟେକ ଧର୍ମର ଅଂଶ ଏବଂ ଖ୍ରୀଷ୍ଟିଆନ ଧର୍ମ ପାଇଁ ମଧ୍ୟ ହୋଇପାରେ। ହିନ୍ଦୁମାନଙ୍କର ବି ଦାନ ବ୍ୟବସ୍ଥା ରହିଛି। ଶିଖ୍ମାନଙ୍କର ମଧ୍ୟ ଏହା ଅଛି।
ସରକାରଙ୍କ ପକ୍ଷରୁ ମେହେଟ୍ଟା କହିଛନ୍ତି ଯେ ଵକଫ୍ ବୋର୍ଡଗୁଡ଼ିକ ଧର୍ମନିରପେକ୍ଷ ଭାବେ କାର୍ଯ୍ୟ କରନ୍ତି, ଯାହା ସେମାନଙ୍କୁ ସମ୍ପୂର୍ଣ୍ଣ ଧାର୍ମିକ ମନ୍ଦିର ପ୍ରଶାସନଠାରୁ ଅଲଗା କରିଥାଏ। ଆଇନଗତ ବିତର୍କର ମୂଳରେ ରହିଛି ‘ଵକଫ୍-ବାଇ-ୟୁଜର’ ନୀତି, ଯାହାକୁ ସଦ୍ୟତମ ଆଇନଗତ ସଂଶୋଧନରେ ଉଚ୍ଛେଦ କରାଯାଇଛି। ଏହି ନୀତି ପୂର୍ବରୁ ଧାର୍ମିକ କିମ୍ବା ଦାତବ୍ୟ ଉଦ୍ଦେଶ୍ୟରେ ଦୀର୍ଘକାଳୀନ ବ୍ୟବହୃତ ସମ୍ପତ୍ତିକୁ ଆନୁଷ୍ଠାନିକ ଦସ୍ତାବିଜ ବିନା ୱକଫ୍ ଭାବରେ ବିବେଚନା କରିବାକୁ ଅନୁମତି ଦେଇଥିଲା। ମେହେଟ୍ଟା ଯୁକ୍ତି ବାଢ଼ିଥିଲେ, ବ୍ୟବହାରକାରୀଙ୍କ ଦ୍ୱାରା ୱକଫ୍କୁ ତିନୋଟି ବ୍ୟତିକ୍ରମ ବ୍ୟତୀତ ଅନୁମତି ଦିଆଯାଉ ନାହିଁ - ଏହା ପଞ୍ଜୀକୃତ ହେବା ଉଚିତ, ବ୍ୟକ୍ତିଗତ ସମ୍ପତ୍ତି ହୋଇଥିବ ଓ ସରକାରୀ ସମ୍ପତ୍ତି ହୋଇ ନ ଥିବ। ମେହେଟ୍ଟାଙ୍କ କହିବା ଅନୁଯାୟୀ, ଏହି ସଂଶୋଧନ ୧୯୨୩ ମସିହାରୁ ଥିବା ସମସ୍ୟାର ସମାଧାନ କରିଛି। ଏହି ସଂଶୋଧନ ପୂର୍ବରୁ ଅଂଶୀଦାରଙ୍କଠାରୁ ଯଥେଷ୍ଟ ମତାମତ ନିଆଯାଇଥିଲା, ଯେଉଁଥିରେ ୯୬ ଲକ୍ଷ ପ୍ରତିନିଧି ଓ ଯୁଗ୍ମ ସଂସଦୀୟ କମିଟିର ୩୬ଟି ବୈଠକରେ ବ୍ୟାପକ ବିଚାରବିମର୍ଶ ଅନ୍ତର୍ଭୁକ୍ତ। ଵକଫ୍ ଆଇନ ସମ୍ପର୍କିତ ତିନୋଟି ପ୍ରସଙ୍ଗ: ‘ଵକଫ୍-ବାଇ-ୟୁଜର’ ନୀତି, ଵକଫ୍ ବୋର୍ଡରେ ଅଣ-ମୁସଲମାନଙ୍କୁ ମନୋନୀତ କରିବା ଏବଂ ଵକଫ୍ ଅଧୀନରେ ଥିବା ସରକାରୀ ଜମି ଚିହ୍ନଟ କରିବା ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶୁଣାଣି କେନ୍ଦ୍ରୀଭୂତ କରିବାକୁ କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟଙ୍କୁ ଅନୁରୋଧ କରିଛନ୍ତି।
ସରକାରୀ ଜମି ଉପରେ କାହାର ଅଧିକାର ନାହିଁ: କେନ୍ଦ୍ର
‘ୱକଫ୍ ବାଇ ୟୁଜର୍ ନୀତିରେ ଅକ୍ତିଆର ସମ୍ପତ୍ତିର ପୁନରୁଦ୍ଧାର କରିପାରିବେ ସରକାର’
ନୂଆଦିଲ୍ଲୀ: ସରକାରୀ ଜମି ଉପରେ କେହି ଅଧିକାର ଦାବି କରିପାରିବେ ନାହିଁ ଏବଂ ‘ଵକଫ୍ ବାଇ ୟୁଜର’ ନୀତି ଦ୍ୱାରା ଅକ୍ତିଆର ସମ୍ପତ୍ତି ପୁନରୁଦ୍ଧାର କରିବାର ଆଇନଗତ ଅଧିକାର ସରକାରଙ୍କର ରହିଛି ବୋଲି କେନ୍ଦ୍ର ସରକାର ବୁଧବାର ସୁପ୍ରିମ୍କୋର୍ଟଙ୍କୁ କହିଛନ୍ତି। ଵକଫ୍ ବାଇ ୟୁଜର ଏକ ଧାରଣାକୁ ବୁଝାଏ ଯେଉଁଠାରେ କୌଣସି ସମ୍ପତ୍ତିକୁ ଆନୁଷ୍ଠାନିକ ଦସ୍ତାବିଜ ବିନା ଧାର୍ମିକ କିମ୍ବା ଦାତବ୍ୟ ଉଦ୍ଦେଶ୍ୟରେ ଏହାର ଦୀର୍ଘକାଳୀନ ବ୍ୟବହାର ଆଧାରରେ ୱକଫ୍ ଭାବରେ ସ୍ୱୀକୃତି ଦିଆଯାଏ।ଵକଫ୍ ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଦାବି ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇ ଓ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ। ସରକାରୀ ଜମି ଉପରେ କାହାର ଅଧିକାର ନାହିଁ ବୋଲି ଦର୍ଶାଇ ସେ କହିଥିଲେ ଯେ, ସୁପ୍ରିମ୍କୋର୍ଟଙ୍କ ଏକ ରାୟରେ କୁହାଯାଇଛି ଯେ ଯଦି ସମ୍ପତ୍ତି ସରକାରଙ୍କ ଅଧୀନରେ ଥାଏ ଏବଂ ଏହାକୁ ଵକଫ୍ ଘୋଷଣା କରାଯାଇଥାଏ ତେବେ ସରକାର ଏହାକୁ ପୁଣି ନିଜ ଅଧୀନକୁ ନେଇପାରିବେ। ପ୍ରାରମ୍ଭରେ ଆଇନ ଅଧିକାରୀ କହିଥିଲେ ଯେ, କୌଣସି ପ୍ରଭାବିତ ପକ୍ଷ ଅଦାଲତଙ୍କ ଦ୍ୱାରସ୍ଥ ହୋଇନାହାନ୍ତି। ଏହି ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ସେ ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟକୁ ବିଚାରକୁ ନିଆଯାଇଥିଲା ଏବଂ ଅନେକ ରାଜ୍ୟ ସରକାର ତଥା ରାଜ୍ୟ ୱକଫ୍ ବୋର୍ଡ ସହ ପରାମର୍ଶ କରାଯାଇଥିଲା।
କେନ୍ଦ୍ର ସରକାର କହିଛନ୍ତି ଯେ ଵକଫ୍ ଏହାର ପ୍ରକୃତି ଅନୁଯାୟୀ ଏକ ଧର୍ମନିରପେକ୍ଷ ଧାରଣା ଏବଂ ଏହାକୁ ସ୍ଥଗିତ ରଖାଯାଇପାରିବ ନାହିଁ। କୋର୍ଟ ପୂର୍ବରୁ ଉଠାଇଥିବା ପ୍ରସଙ୍ଗଗୁଡ଼ିକର ସମାଧାନ କରି ସେ କହିଥିଲେ ଯେ ଏହି ଆଇନ ଧାର୍ମିକ ସ୍ୱାଧୀନତାକୁ ସୁରକ୍ଷିତ ରଖିବା ସହିତ କେବଳ ୱକଫ୍ ପ୍ରଶାସନର ଧର୍ମନିରପେକ୍ଷ ଦିଗକୁ ନିୟନ୍ତ୍ରଣ କରିବାକୁ ଚାହୁଛି। ଏହାକୁ ସ୍ଥଗିତ ରଖିବା ପାଇଁ କୌଣସି ଗମ୍ଭୀର ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ନାହିଁ ବୋଲି ସେ କହିଛନ୍ତି। ମଙ୍ଗଳବାର ଖଣ୍ଡପୀଠ କହିଥିଲେ, କୌଣସି ଆଇନ ସଂସଦରେ ପାସ୍ ହୋଇ ଗୃହୀତ ହେଲେ ତାହା ସାମ୍ବିଧାନିକ ହୋଇଯାଏ। ତେଣୁ ଅନ୍ତରୀଣ ରିଲିଫ ପାଇଁ, ଆବେଦନକାରୀଙ୍କୁ ଏକ ବହୁତ ଶକ୍ତିଶାଳୀ ଓ ଜ୍ୱଳନ୍ତ ମାମଲା ବାହାର କରିବାକୁ ପଡିବ। ଆବେଦନଗୁଡ଼ିକର ଶୁଣାଣିକୁ ତିନୋଟି ପ୍ରସଙ୍ଗରେ ସୀମିତ ରଖିବାକୁ କେନ୍ଦ୍ର ସରକାର ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ଗୋଟିଏ ପ୍ରସଙ୍ଗ ହେଉଛି ଅଦାଲତ ଦ୍ୱାରା ୱକଫ୍ ଘୋଷଣା କରାଯାଇଥିବା ସମ୍ପତ୍ତି, ବ୍ୟବହାରକାରୀଙ୍କ ଦ୍ୱାରା ୱକଫ୍ କିମ୍ବା ଡିଡ୍ ଦ୍ୱାରା ୱକଫ୍କୁ ‘ଡିନୋଟିଫାଏ’ କରିବାର କ୍ଷମତା। ଦ୍ବିତୀୟ ପ୍ରସଙ୍ଗଟି ରାଜ୍ୟ ଵକଫ୍ ବୋର୍ଡ ଓ ସେଣ୍ଟ୍ରାଲ ଵକଫ୍ କାଉନସିଲ୍ ଗଠନ ସହିତ ଜଡ଼ିତ। ତୃତୀୟ ପ୍ରସଙ୍ଗଟି ହେଉଛି ୱକଫ୍ ସମ୍ପତ୍ତିକୁ ସେତେବେଳେ ୱକଫ୍ ଭାବରେ ବିବେଚନା କରାଯିବ ନାହିଁ, ଯେତେବେଳେ ଜିଲ୍ଲାପାଳ ଏହି ସମ୍ପତ୍ତି ସରକାରୀ ଜମି କି ନୁହେଁ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରନ୍ତି।