ନୂଆଦିଲ୍ଲୀ: ଵକଫ୍ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନୂଆ ଆଇନର ବିଭିନ୍ନ ବ୍ୟବସ୍ଥା, ବିଶେଷକରି ‘ଵକଫ୍ ବାଇ ୟୁଜର’ ସମ୍ପତ୍ତି ଉପରେ ଅନେକ ପ୍ରଶ୍ନ ପଚାରିଛନ୍ତି। ସେଣ୍ଟ୍ରାଲ ଵକଫ୍ କାଉନସିଲରେ ଅଣମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରିବାର ବ୍ୟବସ୍ଥା ଉପରେ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଥିଲେ ଏବଂ ସରକାରଙ୍କୁ ପଚାରିଥିଲେ ଯେ ମୁସଲମାନମାନଙ୍କୁ ହିନ୍ଦୁ ଏଣ୍ଡାଓମେଣ୍ଟ ବୋର୍ଡର ଅଂଶ ହେବାକୁ ଅନୁମତି ଦିଆଯିବ କି? ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ନୂଆ ଵକଫ୍ ଆଇନକୁ ଚ୍ୟାଲେଞ୍ଜ କରି ୭୩ଟି ଆବେଦନର ଶୁଣାଣି କରିଥିଲେ। ତେବେ ସଂଶୋଧିତ ଵକଫ୍ ଆଇନ ଉପରେ ଆଜି ସୁପ୍ରିମ୍କୋର୍ଟ କୌଣସି ଅନ୍ତରୀଣ ଆଦେଶ ଜାରି କରିନାହାନ୍ତି। ଅଦାଲତ ଉଠାଇଥିବା ସମସ୍ତ ପ୍ରସଙ୍ଗ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ଯୁକ୍ତି ଉପସ୍ଥାପନ କରିବାକୁ ଅଧିକ ସମୟ ମାଗିଛନ୍ତି। ଏହି ଶୁଣାଣି ଆଜି ୨ ଘଣ୍ଟା ଧରି ଚାଲିଥିଲା ଏବଂ ଆସନ୍ତାକାଲି (ଗୁରୁବାର) ମଧ୍ୟ ଅପରାହ୍ନ ୨ଟାରେ ଏ ବାବଦ ଶୁଣାଣି ହେବ।
ଆଜି ଶୁଣାଣି ପ୍ରାରମ୍ଭରେ ପ୍ରଧାନ ବିଚାରପତି ଆବେଦନକାରୀଙ୍କୁ କହିଥିଲେ ଯେ, ଦୁଇଟି ପ୍ରଶ୍ନର ସମାଧାନ ହେବା ଆବଶ୍ୟକ। ପ୍ରଥମଟି ହେଲା ସୁପ୍ରିମ୍କୋର୍ଟ ଆବେଦନଗୁଡ଼ିକୁ ହାଇକୋର୍ଟକୁ ପଠାଇବେ କି ନାହିଁ ଏବଂ ଆବେଦନକାରୀମାନେ କେଉଁ ପ୍ରସଙ୍ଗରେ ଯୁକ୍ତି ଉପସ୍ଥାପନ କରିବାକୁ ଚାହୁଛନ୍ତି, ତାହା ଜଣାଇବେ। ଅନ୍ୟତମ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ, ନୂଆ ଆଇନରେ ଥିବା ଅନେକ ବ୍ୟବସ୍ଥା ସମ୍ବିଧାନର ଧାରା ୨୬କୁ ଉଲ୍ଲଂଘନ କରୁଛି, ଯାହା ଧାର୍ମିକ ବ୍ୟାପାର ପରିଚାଳନା କରିବାର ସ୍ୱାଧୀନତା ଦେଇଥାଏ। ନୂଆ ଆଇନ ଜିଲ୍ଲାପାଳଙ୍କୁ ଦେଇଥିବା କ୍ଷମତା ଉପରେ ମଧ୍ୟ ସିବଲ୍ ପ୍ରଶ୍ନ ଉଠାଇଥିଲେ। ଜିଲ୍ଲାପାଳ ସରକାରଙ୍କର ଏକ ଅଂଶ ଏବଂ ଯଦି ସେ ବିଚାରପତି ଭୂମିକା ନିର୍ବାହ କରନ୍ତି ତେବେ ଏହା ଅସାମ୍ବିଧାନିକ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏହାପରେ ସିବଲ ‘ଵକଫ୍ ବାଇ ୟୁଜର୍’ ବିଷୟରେ ଉଲ୍ଲେଖ କରିଥିଲେ।
ଅନ୍ତରୀଣ ଆଦେଶ ଜାରି ହେଲାନାହିଁ
ଅଧିକ ସମୟ ମାଗିଲେ ସରକାର
ଏହା ଏକ ବ୍ୟବସ୍ଥା ଯେଉଁଥିରେ କୌଣସି ସମ୍ପତ୍ତିକୁ ଧାର୍ମିକ କିମ୍ବା ଦାତବ୍ୟ ଉଦ୍ଦେଶ୍ୟରେ ଦୀର୍ଘକାଳୀନ ବ୍ୟବହାର ଆଧାରରେ ଵକଫ୍ ଭାବରେ ବିବେଚନା କରାଯାଏ ଏବଂ ଆନୁଷ୍ଠାନିକ ଦସ୍ତାବିଜ ବିନା ମଧ୍ୟ ଏହା ଗ୍ରହଣୀୟ ହୁଏ। ତେବେ ନୂଆ ଆଇନରେ ବ୍ୟବସ୍ଥା ହୋଇଛି ଯେ ବିବାଦରେ ଥିବା କିମ୍ବା ସରକାରୀ ସମ୍ପତ୍ତି ଉପରେ ଏହା ଲାଗୁ ହେବ ନାହିଁ। ସିବଲ କହିଛନ୍ତି ଯେ ‘ଵକଫ୍ ବାଇ ୟୁଜର୍’ ଇସଲାମର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସମସ୍ୟା ହେଉଛି, ଯଦି ୩,୦୦୦ ବର୍ଷ ପୂର୍ବେ ଏକ ୱକଫ୍ ତିଆରି ହୋଇଥାଏ, ତେବେ ବି ସେମାନେ ଦସ୍ତାବିଜ ମାଗିବେ।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି କହିଛନ୍ତି ଯେ ଦେଶର ମୋଟ ୮ ଲକ୍ଷ ସମ୍ପତ୍ତି ମଧ୍ୟରୁ ୪ ଲକ୍ଷ ୱକଫ୍ ସମ୍ପତ୍ତି ହେଉଛି ‘ବ୍ୟବହାରକାରୀଙ୍କ ଦ୍ୱାରା ୱକଫ୍’। ଏହି ସମୟରେ ପ୍ରଧାନ ବିଚାରପତି ହସ୍ତକ୍ଷେପ କରି କହିଥିଲେ, ଆମକୁ କୁହାଯାଇଛି ଯେ ଦିଲ୍ଲୀ ହାଇକୋର୍ଟ ୱକଫ୍ ଜମିରେ ନିର୍ମିତ ହୋଇଛି। ବ୍ୟବହାରକାରୀଙ୍କ ସମସ୍ତ ଵକଫ୍ ଭୁଲ୍ ବୋଲି ଆମେ କହୁନାହୁଁ, କିନ୍ତୁ ଅନେକ ବିବାଦ ଚିନ୍ତାର କାରଣ ହୋଇଛି। ଏହାପରେ ସିଂଘଭି କହିଥିଲେ ଯେ ସେମାନେ ସମ୍ପୂର୍ଣ୍ଣ ଆଇନ ଉପରେ ନୁହେଁ, ବରଂ କିଛି ବ୍ୟବସ୍ଥା ଉପରେ ରୋକ୍ ଲଗାଇବାକୁ ଚାହୁଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର୍ ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ, ସଂସଦରେ ବିସ୍ତୃତ ବିତର୍କ ପରେ ଏହି ଆଇନ ପାରିତ ହୋଇଛି। ଏକ ଯୁଗ୍ମ ସଂସଦୀୟ କମିଟି ଏହାର ଯାଞ୍ଚ କରିଥିଲା ଏବଂ ଏହାକୁ ଉଭୟ ଗୃହରେ ପାରିତ କରାଯାଇଥିଲା। ଏହାପରେ ପ୍ରଧାନ ବିଚାରପତି ମେହେଟାଙ୍କୁ ନୂଆ ଆଇନରେ ‘ଵକଫ୍ ବାଇ ୟୁଜର୍’ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ କହିଥିଲେ। ସେ କହିଲେ ଯେ ଵକଫ୍ର ଅନେକ ମସଜିଦ ୧୩ଶ, ୧୪ଶ ଓ ୧୫ଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ଏବଂ ସେମାନଙ୍କ ପାଇଁ ଦସ୍ତାବିଜ ଉପସ୍ଥାପନ କରିବା ଅସମ୍ଭବ। ଯଦି ସରକାର ‘ଵକଫ୍ ବାଇ ୟୁଜର୍’କୁ ଡିନୋଟିଫିକେସନ୍ କରିବାକୁ ଯାଉଛନ୍ତି ତେବେ ସମସ୍ୟା ସୃଷ୍ଟି ହେବ। ଦୀର୍ଘ କାଳ ଧରି ଥିବା ଏଭଳି ‘ଵକଫ୍ ବାଇ ୟୁଜର୍’କୁ ଆପଣ କେମିତି ପଞ୍ଜୀକରଣ କରିବେ ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି।
ଏହାପରେ କୋର୍ଟ ନୂଆ ଆଇନ ଅନୁଯାୟୀ ସେଣ୍ଟ୍ରାଲ ଵକଫ୍ କାଉନସିଲ ଗଠନ କଥା ଉଠାଇଥିଲେ। ପ୍ରଧାନ ବିଚାରପତି ସଲିସିଟର ଜେନେରାଲଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ। ‘ମିଷ୍ଟର ମେହେଟ୍ଟା, ଆପଣ କହୁଛନ୍ତି କି ଆପଣ ମୁସଲମାନମାନଙ୍କୁ ହିନ୍ଦୁ ଦେବୋତ୍ତର ବୋର୍ଡର ଅଂଶ ହେବାକୁ ଅନୁମତି ଦେବେ? ଖୋଲାଖୋଲି ଭାବେ ଏହା ଉପରେ ମତ ରଖିବାକୁ ପ୍ରଧାନ ବିଚାରପତି ଆହ୍ବାନ ଦେଇଥିଲେ। ଆଜି ଶୁଣାଣିରେ ୱକଫ୍ ବିରୋଧୀ ହିଂସାକୁ ନେଇ ମଧ୍ୟ ଖଣ୍ଡପୀଠ ଉଦ୍ବେଗ ପ୍ରକାଶ କରିଥିଲେ। ନୂଆ ଆଇନକୁ ନେଇ ହିଂସାକାଣ୍ଡ ଘଟିବା ଅତ୍ୟନ୍ତ ଦୁଃଖଦାୟକ ଏବଂ ଆଇନର ସକାରାତ୍ମକ ଦିଗ ଉପରେ ଆଲୋକପାତ କରାଯିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି କହିଥିଲେ।