ୱାସିଂଟନ: ସିରିଆରେ ଇରାନୀ ଦୂତାବାସ ଉପରେ ଇସ୍ରାଏଲର ଆକ୍ରମଣ ଏବଂ ଏହାର ପ୍ରତିଶୋଧ ପାଇଁ ଇରାନ୍‌ର ଧମକ ପରେ ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ଅଣ୍ଟା ଭିଡ଼ିଥିବାରୁ ଏହି ଯୁଦ୍ଧ ବିଶ୍ବ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତେବେ ଇସ୍ରାଏଲ ଉପରେ ଆକ୍ରମଣ ନକରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇେଡନ୍ ଇରାନ୍‌କୁ ଚେତାବନୀ ଶୁଣାଇଛନ୍ତି। ମାତ୍ର ଏହାକୁ ଖାତିର ନକରି ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ୍‌ ଜୋରଦାର ପ୍ରସ୍ତୁତି ଚଳାଇଛି। ଆକ୍ରମଣ ଯେକୌଣସି ମୁହୂର୍ତ୍ତରେ ହୋଇପ‌ାରେ ବୋଲି କୁହାଯାଉଛି।

Advertisment

ଦୁଇ ସପ୍ତାହ ତଳେ ସିରିଆରେ ଥିବା ଇରାନୀ ଦୂତାବାସ ଉପରେ ହୋଇଥିବା ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ବରିଷ୍ଠ ସେନା ଅଧିକାରୀ ପ୍ରାଣ ହରାଇଥିଲେ। ଏହାର ପ୍ରତିଶୋଧ ନେବାଲାଗି ଇରାନ୍‌ ଘୋଷଣା କରିବା ପରେ ଆମେରିକାର ରାଷ୍ଟ୍ରପତି ବାଇଡେନ ଇରାନ୍‌କୁ ଚେତାବନୀ ଦେବା ସହିତ ଇହୁଦୀ ରାଷ୍ଟ୍ରକୁ ପୁଣି ଥରେ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆମେରିକା ଇସ୍ରାଏଲର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ଆମେ ଇସ୍ରାଏଲକୁ ସମର୍ଥନ କରିବୁ ଏବଂ ଇରାନ୍‌କୁ ସଫଳ ହେବାକୁ ଦେବୁନାହିଁ। ଇରାନ୍‌ ପକ୍ଷରୁ ଆକ୍ରମଣ ହେଲେ ଇସ୍ରାଏଲ ସେନାକୁ ରକ୍ଷା କରିବା ପାଇଁ ଆମେରିକୀୟ ସେନା ଶୁକ୍ରବାର ମଧ୍ୟପ୍ରାଚ୍ୟରେ ଦୁଇଟି ବିଧ୍ବଂସକ ଯୁଦ୍ଧଜାହାଜ ମୁତୟନ କରିଛି। ପୂର୍ବରୁ ଏକ ଯୋଦ୍ଧପୋତ ଇସ୍ରାଏଲକୁ ସୁରକ୍ଷା ଦେବାକୁ ନିୟୋଜିତ ହୋଇଥିବା ବେଳେ ଏବେ ଅଧିକ ଯୁଦ୍ଧଜାହାଜ ପଠାଇ ଆମେରିକା ଇରାନ୍‌କୁ କଡ଼ା ବାର୍ତ୍ତା ଦେଇଛି।

ଇସ୍ରାଏଲ ଭିତରେ ଥିବା ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରିବା ପାଇଁ ଇରାନ୍‌ ୧୦୦ରୁ ଅଧିକ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ପ୍ରାୟ ୧ ହଜାର ଡ୍ରୋନ୍ ପ୍ରସ୍ତୁତ କରିଥିବା ଖବର ପ୍ରକାଶ ପାଇବା ପରେ ଆମେରିକା ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛି। ଆମେରିକା ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ ଜେନେରାଲ୍ ମାଇକେଲ୍ ଏରିକ୍ କୁରିଲା ଶୁକ୍ରବାର ଇସ୍ରାଏଲରେ ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟ ଏବଂ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ହର୍ଜି ହାଲେଭିଙ୍କୁ ଭେଟିଛନ୍ତି। ଇରାନ୍‌ର ସମ୍ଭାବ୍ୟ ଆକ୍ରମଣ ପ୍ରସ୍ତୁତି ନେଇ ଉଭୟ ପକ୍ଷ ଆଲୋଚନା କରିଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ଗାଲାଣ୍ଟଙ୍କ କାର୍ଯ୍ୟାଳୟ କହିଛି।

ଏଭଳି ବିପଦକୁ ଦୃଷ୍ଟିରେ ରଖି ଭାରତ ସମେତ ଅନେକ ଦେଶ ଇସ୍ରାଏଲରେ ଥିବା ସେମାନଙ୍କ ନାଗରିକ ଓ ଦୂତାବାସ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଇସ୍ରାଏଲର ତେଲ ଅଭିଭ୍‌, ଜେରୁଜେଲମ ଓ ବୀର ଶେଭା ବାହାରକୁ ନ ଯିବାକୁ ଆମେରିକା ତା'ର ଦୂତାବାସ ଅଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ କହିଛି। ଇରାନ୍‌କୁ ବିମାନ ଚଳାଚଳକୁ ମଧ୍ୟ ଅନେକ ରାଷ୍ଟ୍ର ଏପ୍ରିଲ ୧୮ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଅନ୍ୟପକ୍ଷରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ନେଦରଲ୍ୟାଣ୍ଡ୍ ଇରାନ୍‌ରେ ଥିବା ନିଜ ଦୂତାବାସକୁ ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଇରାନ୍‌ ସଙ୍କେତ ଦେଇଛି ଯେ ଏପ୍ରିଲ ପହିଲାରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ର ଜବାବ ବଡ଼ ଉତ୍ତେଜନାକୁ ଏଡ଼ାଇବା ଉଦ୍ଦେଶ୍ୟରେ ହେବ ଏବଂ ତରବରିଆ ଭାବେ ଏହା କରାଯିବ ନାହିଁ। ନିକଟରେ ଓମାନ ଗସ୍ତ ସମୟରେ ଇରାନ୍‌ର ବୈଦେଶିକ ମନ୍ତ୍ରୀ ହୁସେନ୍ ଅମିରାବ୍ଦୋଲ୍ଲାହିଆନ୍ ଏହି ବାର୍ତ୍ତା ଦେଇଛନ୍ତି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ଜେ ବ୍ଲିଙ୍କେନ୍ ଶୁକ୍ରବାର ଜୋର୍ଡାନର ବୈଦେଶିକ ମନ୍ତ୍ରୀ ଆୟମାନ ସଫାଦିଙ୍କ ସହ କଥା ହୋଇ ଇରାନ୍‌ରେ ଉତ୍ତେଜନାକୁ ଏଡ଼ାଇବାର ଜରୁରୀ ଆବଶ୍ୟକତା ଏବଂ ଗାଜା ସଙ୍କଟର ଅନ୍ତ ଘଟାଇବା ପାଇଁ କୂଟନୈତିକ ପ୍ରୟାସ ଉପରେ ଆଲୋଚନା କରିଛନ୍ତି।