ୱାସିଂଟନ: ବୁସା ନରସଂହାରକୁ ନେଇ ରୁଷିଆକୁ ଯୁଦ୍ଧ ଅପରାଧୀ ଭାବେ ଚିତ୍ରଣ କରି ଆମେରିକା ବୁଧବାର କେତେକ ନୂତନ ଆର୍ଥିକ କଟକଣା ଲାଗୁ କରିଛି। ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଏହି କଟକଣା ରୁଷିଆର ଅଭିବୃଦ୍ଧିକୁ ସଂକୁଚିତ କରିବ ଏବଂ ଏହି ରାଷ୍ଟ୍ର ବଡ଼ ଧରଣର ଆର୍ଥିକ ସଙ୍କଟକୁ ସାମ୍ନା କରିବ। ଆମେରିକା ସହ ଇଂଲଣ୍ଡ ଓ ୟୁରୋପୀୟ ସଂଘ ମଧ୍ୟ ରୁଷିଆ ଉପରେ କଟକଣା ଲାଗୁ କରିଛନ୍ତି। ତେବେ ଆମେରିକା କେବଳ ରୁଷିଆ ଉପରେ ନୁହେଁ ବ୍ୟକ୍ତିଗତ ଭାବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପରିବାରକୁ ବି ଟାର୍ଗେଟ୍ କରିଛି। ବାଇଡେନ କହିଛନ୍ତି ରୁଷିଆ ତା’ର ପ୍ରାରମ୍ଭିକ ଯୁଦ୍ଧରେ ବିଫଳ ହୋଇଛି। ସେଥିପାଇଁ ଏହା ୟୁକ୍ରେନ୍‌ର ରାଜଧାନୀ କିବ୍‌ରୁ ସୈନ୍ୟ ପ୍ରତ୍ୟାହାର କରିଛି। ତେବେ ସେ କହିଛନ୍ତି ଯେ ଏହି ଯୁଦ୍ଧ ଦୀର୍ଘଦିନ ଯାଏ ଚାଲିପାରେ। ଆମେରିକା କିନ୍ତୁ ୟୁକ୍ରେନ୍ ଓ ୟୁକ୍ରେନୀୟଙ୍କ ପକ୍ଷରେ ରହିବ।

Advertisment

ଆଗାମୀ ବର୍ଷଗୁଡ଼ିକରେ ରୁଷ୍ ଅଭିବୃଦ୍ଧିର ତଣ୍ଟି ଚିପିବାକୁ ଆମେ ବଦ୍ଧପରିକର ବୋଲି ବାଇଡେନ କହିଛନ୍ତି। ଆମେରିକା ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକ ରୁଷିଆର ଦୁଇ ବୃହତ୍ତମ ବ୍ୟାଙ୍କ ସ୍‌ବରବ୍ୟାଙ୍କ ଓ ଆଲ୍‌ଫା ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଦୁଇ ବ୍ୟାଙ୍କ ସହ କୌଣସି ଆମେରିକୀୟ ବା ୟୁରୋପୀୟ କାରବାର ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ପୁଟିନଙ୍କ ଦୁଇ ଝିଅ ମାରିଆ ପୁଟିନା ଓ କ୍ୟାଟେରିନା ଟିକୋନାଭାଙ୍କ ବିରୋଧରେ ବି କଟକଣା ଜାରି କରାଯାଇଛି। ପୁନଶ୍ଚ ରୁଷ୍ ପ୍ରଧାନମନ୍ତ୍ରୀ ମିଖାଇଲ ମିସୁଷ୍ଟିନ୍, ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେୟୀ ଲାବରୋଭ ଏବଂ ଡିମିଟ୍ରି ମେଡଭେଡେଭ, ରୁଷିଆର ଜନୈକ ପୂର୍ବତନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ରୁଷିଆ ସିକ୍ୟୁରିଟି କାଉନ୍‌ସିଲର ସଦସ୍ୟମାନଙ୍କୁ ବି ଟାର୍ଗେଟ କରାଯାଇଛି। ପୁଟିନଙ୍କ ସମସ୍ତ ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟଙ୍କ ଉପରେ ଏପରି କଟକଣା ଲଗାଯାଇଛି ଯାହାଫଳରେ ସେମାନେ ଆମେରିକାର କୌଣସି ଆର୍ଥିକ ବ୍ୟବସ୍ଥା ସହ କାରବାର କରିପାରିବେନି ଏବଂ ଆମେରିକାରେ ଥିବା ସେମାନଙ୍କର ସମସ୍ତ ସମ୍ପତ୍ତିକୁ ଅଚଳ କରିଦିଆଯାଇଛି। କୌଣସି ଆମେରିକୀୟ, ସେ ପୃଥିବୀର ଯେଉଁଠି ବି ବାସ କରନ୍ତୁ ନା କାହିଁକି, ରୁଷିଆରେ ପୁଞ୍ଜିନିବେଶ କରିପାରିବେ ନାହିଁ ବୋଲି ବାଇଡେନ ଆଦେଶ ଦେଇଛନ୍ତି।

ୟୁକ୍ରେନ୍‌କୁ ଅଧିକ ଅସ୍ତ୍ର ଦେବାପାଇଁ ନାଟୋ‌ ରାଷ୍ଟ୍ରମାନଙ୍କୁ ଅନୁରୋଧ

ନୂଆଦିଲ୍ଲୀ: ୟୁକ୍ରେନ୍‌କୁ ଅଧିକ ଅସ୍ତ୍ର ଦେବାପାଇଁ ନାଟୋ ମହାନିର୍ଦ୍ଦେଶକ ଜେନ୍ସ ଷ୍ଟୋଲେନବର୍ଗ‌୍ ଆଜି ନାଟୋ ସଦସ୍ୟ ରାଷ୍ଟ୍ରମାନଙ୍କୁ ଅନୁରୋଧ କରିଛନ୍ତି। ବ୍ରସେଲ୍ସରେ ନାଟୋ ପ୍ରତିରକ୍ଷା ମନ୍ତ୍ରୀମାନଙ୍କର ବୈଠକ ଚାଲିଥିବାବେଳେ ଷ୍ଟୋଲେନବର୍ଗ‌୍ ନାଟୋ ରାଷ୍ଟ୍ରମାନଙ୍କୁ ୟୁକ୍ରେନ୍‌କୁ ଅଧିକରୁ ଅଧିକ ଅସ୍ତ୍ର ଦେବାକୁ କହିଛନ୍ତି। କେବଳ ହାଲୁକା ନୁହେଁ ଭାରୀ ଅସ୍ତ୍ର ମଧ୍ୟ ୟୁକ୍ରେନ୍‌କୁ ଦେବାପାଇଁ ଷ୍ଟୋଲେନବର୍ଗ ଅନୁରୋଧ କରିଛନ୍ତି। ଷ୍ଟୋଲେନବର୍ଗ କହିଛନ୍ତି, ୩୦ ସହଯୋଗୀ ରାଷ୍ଟ୍ର ୟୁକ୍ରେନକୁ ଆହୁରି ଅଧିକ ସହଯୋଗ କରିପାରିବେ। ଏଭଳି ସଙ୍କଟର ସମାଧାନ କରିବାର ଦାୟିତ୍ବ ନାଟୋର ମଧ୍ୟ ରହିଛି ବୋଲି ସେ କହିଛନ୍ତି।