ନୂଆଦିଲ୍ଲୀ: ପାକିସ୍ତାନ ଆଖିକୁ ଆସୁନି ନିଦ । ରାତିରେ ଶାନ୍ତିରେ ଶୋଇପାରୁନି ପାକିସ୍ତାନ କି ଶୋଇପାରୁ ନାହାନ୍ତି ପାକ୍ ସେନା । କାରଣ ପୂରା ଦେଶକୁ ଘାରିଛି ଯୁଦ୍ଧ ଭୟ । ଆତଙ୍କବାଦୀଙ୍କୁ ପୋଷିଥିବା ଦେଶ ବିରୋଧରେ ଯେକୌଣସି ସମୟରେ ବଡ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିପାରେ ଭାରତ ଆଉ ପାକିସ୍ତାନକୁ ତା କଲା କର୍ମର ଫଳ ଦେଇପାରେ । ପହଲଗାମ୍ ହମଲା ପରେ ରକ୍ତର ଜବାବ ରକ୍ତରେ ଦେବାକୁ ନିଷ୍ପତ୍ତି ନେଇଥିବା ଭାରତ ଏବେ ଆକ୍ସନ ମୁଡରେ ଥିବାରୁ ଭୟ ଆତଙ୍କରେ ବଞ୍ଚୁଛି ପାକିସ୍ତାନ । 

Advertisment

କାରଣ ଯେବେ ଯେବେ ଆତଙ୍କୀ ଭାରତରେ ମହାଭାରତ ସୃଷ୍ଟି କରିଛନ୍ତି ତାର ପରିଣତି ଏୟାର ଷ୍ଟ୍ରାଇକ୍ କିମ୍ବା ସର୍ଜିକାଲ ଷ୍ଟ୍ରାଇକରେ ହିଁ ସରିଛି । ଯଦି ଇତିହାସ ପୃଷ୍ଠାକୁ ଓଲଟାଯାଏ ତେବେ ୨୦୧୬ ସେପ୍ଟେମ୍ବର ୧୮ ତାରିଖରେ ଉରୀରେ ଆକ୍ରମଣ ହୋଇଥିଲା ଆଉ ତାର ବଦଲା ନେଇଥିଲା ଭାରତ । ଆକ୍ରମଣର ଠିକ୍ ୧୦ ଦିନ ଭିତରେ ହିଁ ଆକ୍ସନ ନେଇଥିଲା ଆଉ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ।

ସେହିପରି ୨୦୧୯ ଫେବୃୟାରୀ ୧୪ରେ ପୁଲୱାଲାରେ ଆତଙ୍କୀ ହମଲା ହୋଇଥିଲା । ଯେଉଁଥିରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ ଆଉ ଏହି ବଳିଦାନର ବଦଲା ନେଇଥିଲା ଭାରତ । ଆକ୍ରମଣର ୧୨ ଦିନ ଭିତରେ ହିଁ ଜବାବ ଦେଇଥିଲା ଭାରତ । ଆକାଶ ମାର୍ଗରୁ ଏୟାର ଷ୍ଟ୍ରାଇକ୍ କରି ଆତଙ୍କୀଙ୍କ ସହ ଶିବିର ଧ୍ବଂସ କରିଥିଲା ।

ଆଉ ଏବେ ପୁଣି ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ କରି ମାରି ଦେଇଥିବା ବେଳେ ବିଶ୍ବବ୍ୟାପୀ ଏହି ଘଟଣାକୁ ନିନ୍ଦା କରାଯାଉଥିବା ବେଳେ ଭାରତ ଏହାର ଦୃଢ ଜବାବ ଦେବାକୁ ଆକ୍ସନ ମୋଡରେ ରହିଛି । ତେଣୁ ୧୦ -୧୨ ଦିନ ଭିତରେ ପାକିସ୍ତାନ ଉପରେ ବଡ କାର୍ଯ୍ଯାନୁଷ୍ଠାନ ହୋଇପାରେ ବୋଲି ଅନୁମାନ କରାଯାଉଛି । କାରଣ ପୂରା ଦେଶ ବଦଲା ଚାହୁଁଛି । 

ସେପଟେ  ଅମ୍ବାଲାରେ ଯୁଦ୍ଧାଭ୍ୟାସ କରିଛି ଭାରତ । ଆକାଶରେ ଗର୍ଜିଛନ୍ତି ରାଫେଲ , ସୁଖୋଇ-୩୦ ଭଳି ଲଢୁଆ ବିମାନ ।  ଆକ୍ରମଣ ନାଁରେ  ଏହି ଯୁଦ୍ଧାଭ୍ୟାସ ହୋଇଛି  ।  ଭାରତ -ପାକିସ୍ତାନ ଉତ୍ତେଜନା ମଧ୍ୟରେ ଯୁଦ୍ଧଭ୍ୟାସ କରିଛି  ବାୟୁସେନା ।  ଆକାଶମାର୍ଗରୁ ଏହି କାର୍ଯ୍ଯାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ବାନ୍ଦିପୁରାରେ ଟପ୍ ଲସ୍କର କମାଣ୍ଡରକୁ ଏନକାଉଣ୍ଟର ଏବଂ ଅନନ୍ତନାଗରେ ଦୁଇ ଆତଙ୍କୀଙ୍କ ଘର ଭାଙ୍ଗିବା ସହ ଏଲଓସିରେ ଯବାନଙ୍କ ଜବାବ ସହ ପାତାଳରେ ଥିଲେ ବି ଖୋଜି ଖୋଜି ମାରିବା ପାଇଁ ମୋଦୀଙ୍କ ଚେତାବନୀ ପାକିସ୍ତାନ ଆଖିରୁ ନିଦ ଛଡାଇ ନେଇଛି ବୋଲି କୁହାଯାଉଛି ।