ପରମାଣୁ ପରୀକ୍ଷଣ ପାଇଁ ଉତ୍ତରକୋରିଆ ପ୍ରସ୍ତୁତି ଚଳାଇଥିବାବେଳେ ସମରାଭ୍ୟାସ କଲେ ଆମେରିକା-ଦକ୍ଷିଣ କୋରିଆ

ସିଓଲ : ତାଇଓ୍ବାନକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ତିକ୍ତତା ବଢିଯାଇଥିବାବେଳେ ଉତ୍ତର କୋରିଆ ପୁଣି ଥରେ ପରମାଣୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି । ଏହାକୁ ନେଇ ପୂର୍ବ ଏସିଆରେ ଉତ୍ତେଜନା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା ନିଜର ମିତ୍ର ଦେଶ ଦକ୍ଷିଣ କୋରିଆ ସହ ମିଶି ଏକ ସମରାଭ୍ୟାସ କରାଯାଇଛି । ୪ ବର୍ଷ ପରେ ପୁଣି ଏହି ସମରାଭ୍ୟାସ କରାଯାଇଥିଲା । ଉଭୟ ଚୀନ ଓ ଉତ୍ତର କୋରିଆକୁ କଡା ସଂକେତ ଦେବାକୁ ଆମେରିକା ଏହି ସମରାଭ୍ୟାସ କରୁଥିବା ବିଶେଷଜ୍ଞମାନେ କହିଛନ୍ତି ।

ଜାପାନର ଓକିନାଓ୍ବା ଦ୍ବୀପ ନିକଟରେ ଅନ୍ତର୍ଜାତୀୟ ଜଳସୀମା ମଧ୍ୟରେ ଏହି ତିନିଦିନିଆ ସମରାଭ୍ୟାସ କରାଯାଇଛି । ଏହି ସମରାଭ୍ୟାସରେ ବିମାନବାହୀ ଯୁଦ୍ଧପୋତ, ଏୟାର ଡିଫେନ୍ସ ସିଷ୍ଟମ, ଆଣ୍ଟି-ସବମେରିନ ଓ ଆଣ୍ଟି-ସିପ୍ ମିସାଇଲ ସିଷ୍ଟମକୁ ସାମିଲ କରାଯାଇଥିଲା ବୋଲି ଦକ୍ଷିଣ କୋରିଆର ଜଏଣ୍ଟ ଚିଫ ଅଫ ଷ୍ଟାଫ କହିଛନ୍ତି ।

ଉତ୍ତରକୋରିଆ ଆଉ ଏକ ଭୂମିତଳ ପରମାଣୁ ପରୀକ୍ଷା କରିବାକୁ ଯାଉଥିବାବେଳେ ଦୁଇ ଦେଶ ମଧ୍ୟରେ କରାଯାଇଥିବା ଏହି ସମରାଭ୍ୟାସର ଗୁରୁତ୍ବ ବଢିଯାଇଛି । ୨୦୧୭ ପରେ ପୁଣି ଥରେ ଭୂମିତଳ ପରମାଣୁ ପରୀକ୍ଷଣ କରିବାକୁ ଉତ୍ତର କୋରିଆ ଉଦ୍ୟମ ଚଳାଇଛି । ଏଥିପାଇଁ ଗତ କିଛି ଦିନ ହେଲା ପେଙ୍ଗୟାଙ୍ଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଦକ୍ଷିଣ କୋରିଆ କହିଛି ।

ଅନ୍ୟପକ୍ଷରେ ତାଇଓ୍ବାନ ନିକଟରେ ଚୀନ ବାରମ୍ବାର ଲଢୁଆ ବିମାନ ଉଡ଼ାଉଛି । ଏହାକୁ ନେଇ ଆମେରିକା ଚିନ୍ତିତ ହୋଇଯାଇଛି ।

ସମ୍ବନ୍ଧିତ ଖବର