ଜେରୁଜେଲମ୍: ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀମାନେ ଗତକାଲି ସକାଳେ ଅଚାନକ ଆକ୍ରମଣ କରିବାର ୨୪ ଘଣ୍ଟା ପରେ ଦକ୍ଷିଣ ଇସ୍ରାଏଲର ଅନେକ ସ୍ଥାନରେ ଇସ୍ରାଏଲ ସେନା ଏବଂ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଚାଲିଛି। ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ ବାୟୁସେନା ତୁହାକୁ ତୁହା ବୋମାମାଡ଼ ଜାରି ରଖିଛି। ଲେବନାନର ଇସଲାମିକ ସଂଗଠନ ହେଜବୁଲ୍ଲା ରବିବାର ଇସ୍ରାଏଲ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରିଥିବାରୁ ଉତ୍ତର ଇସ୍ରାଏଲରୁ ଲେବାନନକୁ ଭୀଷଣ ମୋର୍ଟାର୍ ମାଡ଼ କରିଛି।

Advertisment

ଗତକାଲି ସକାଳେ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅଭୂତପୂର୍ବ ଓ ଅପ୍ରତ୍ୟାଶିତ ଆକ୍ରମଣ ପରେ ଆରମ୍ଭ ହୋଇଥିବା ସଂଘର୍ଷରେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନରେ ଏପର୍ଯ୍ୟନ୍ତ ୧୧୦୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ ହମାସ ଆକ୍ରମଣଜନିତ ମୃତ୍ୟୁସଂଖ୍ୟା ୬୦୦ ଅତିକ୍ରମ କରିଛି। ଏଥିରେ ୬୦ରୁ ଅଧିକ ସରକାରୀ ସୈନ୍ୟ ରହିଛନ୍ତି। ସେହିପରି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ପ୍ରତିଶୋଧମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ଆଇରନ୍ ସୋର୍ଡସ’ରେ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ହମାସ ଆତଙ୍କବାଦୀଙ୍କ ସଂଖ୍ୟା ୪ ଶହରୁ ଅଧିକ ବୋଲି କୁହାଯାଉଛି। ରବିବାର ମଧ୍ୟ ଗାଜା ଉପରେ ଇସ୍ରାଏଲର ବୋମାମାଡ଼ ଜାରି ରହିଛି।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) କହିଛି ଯେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଭିତରେ ରହି ଆକ୍ରମଣ ଚଳାଇଛନ୍ତି। ସେନା ପକ୍ଷରୁ ସେମାନଙ୍କୁ ନିପାତ କରିବା ଲାଗି କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗାଜା ସୀମାକୁ ଲାଗିରହିଥିବା ଇସ୍ରାଏଲ ସମେତ ଓଫାକିମ୍, ସ୍‌ଡେରୋଟ୍, ୟାଦ ମୋର୍ଦେଚାଇ, କଫର ଆଜା, ବିରି, ୟାତିଦ ଓ କିସୁଫିମ ଅଞ୍ଚଳରେ ସଂଘର୍ଷ ଚାଲିଥିବା ଜଣାପଡ଼ିଛି। ଉତ୍ତର ଇସ୍ରାଏଲର ସୀମାନ୍ତ ଅଞ୍ଚଳକୁ ଲେବାନନରୁ ମୋର୍ଟାର୍ ମାଡ଼ କରାଯାଇଥିଲା। ଲେବନାନର ଇସଲାମିକ ସଂଗଠନ ହେଜବୁଲ୍ଲା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଇସ୍ରାଏଲ ସେନା ହେଜବୁଲ୍ଲା ପୋଷ୍ଟକୁ ଟାର୍ଗେଟ କରି ରକେଟ୍ ଜରିଆରେ ଏହାର ଜବାବ ଦେଇଥିଲା। ଲେବାନନର ଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲର ଉତ୍ତରରେ ଥିବା ବାସିନ୍ଦାମାନଙ୍କୁ ବୋମା ଆଶ୍ରୟସ୍ଥଳୀ ନିକଟରେ ରହିବାକୁ କୁହାଯାଇଥିଲା।

ଦକ୍ଷିଣ ଇସ୍ରାଏଲର ଅନେକ ସ୍ଥାନରେ ରକେଟ୍ ସାଇରନ୍ ବାଜିବାରେ ଲାଗିଛି। ଇସ୍ରାଏଲ ସେନାର ଜଣେ ମୁଖପାତ୍ର କହିଛନ୍ତି ଯେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନାହିଁ। ଗାଜାରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ଗାଜା ସିଟିର ୱତନ ଟାୱାର, ଅଲ-ଆକ୍ଲୁକ୍ ଟାୱାର ଏବଂ ମାତର ଆବାସିକ କୋଠା ସମେତ ଅନେକ ଆବାସିକ କୋଠା ଧ୍ବଂସ ହୋଇଛି। ଉତ୍ତେଜନା ଭିତରେ ଇସ୍ରାଏଲ ସରକାର ଗାଜା ଷ୍ଟ୍ରିପ୍‌କୁ ବିଜୁଳି ଯୋଗାଣ ବନ୍ଦ କରିଦେଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ଏକ ଲମ୍ବା ଏବଂ କଠିନ ଯୁଦ୍ଧ ଆରମ୍ଭ କରୁଛି ଏବଂ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଏହା ଜାରି ରହିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ୮ ବିଲିୟନ ଡଲାର ମୂଲ୍ୟର ଜରୁରିକାଳୀନ ସାମରିକ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ବାଇଡେନ ଶନିବାର ନେତାନ୍ୟାହୁଙ୍କ ସହ କଥାବାର୍ତ୍ତା କରି ଇସ୍ରାଏଲର ଆତ୍ମରକ୍ଷା ଅଧିକାରକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ଇସ୍ରାଏଲ ଉପରେ ଆକ୍ରମଣ ପାଲେଷ୍ଟାଇନର ଆତ୍ମରକ୍ଷା କାର୍ଯ୍ୟ ବୋଲି କହି ଇରାନର ବୈଦେଶିକ ମନ୍ତ୍ରଣାଳୟ ହମାସ ସଙ୍ଗଠନକୁ ସମର୍ଥନ କରିବା ସହ ମୁସଲମାନ ଦେଶଗୁଡ଼ିକୁ ସେମାନଙ୍କ ଅଧିକାରକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଛି। ଅନ୍ୟପକ୍ଷରେ ହାମାସ କହିଛି ଯେ ଦୀର୍ଘ ଦଶନ୍ଧି ଧରି ପାଲେଷ୍ଟାଇନ ଉପରେ ଇସ୍ରାଏଲର ଅତ୍ୟାଚାର ଏବଂ ଅଲ୍ ଆକ୍ସା ମସଜିଦକୁ ଅପବିତ୍ର କରିବାର ଜବାବରେ ଏହି ଆକ୍ରମଣ କରାଯାଇଛି। ମହିଳା ଓ ଶିଶୁଙ୍କ ସମେତ ଅନେକ ଇସ୍ରାଏଲ ନାଗରିକଙ୍କୁ ହମାସ ପଣବନ୍ଦୀ ରଖିଛି। ଇସ୍ରାଏଲ ଜେଲରେ ଥିବା ସମସ୍ତ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିବା ପାଇଁ ଆତଙ୍କବାଦୀ ସଂଗଠନ ସେମାନଙ୍କୁ ପଣବନ୍ଦୀ ରଖିଛି। ଅନ୍ୟପକ୍ଷରେ ତେଲ ଆଭିଭସ୍ଥିତ ଭାରତୀୟ ଦୂତାବାସ ଏବଂ ପାଲେଷ୍ଟାଇନରେ ଥିବା ଭାରତୀୟ ପ୍ରତିନିଧି କାର୍ଯ୍ୟାଳୟ ପକ୍ଷରୁ ସଂପୃକ୍ତ ଦେଶରେ ଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ଜରୁରିକାଳୀନ ପରିସ୍ଥିତିରେ ସିଧାସଳଖ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।