କୋଲ୍‌କାତା: ‘୨୮ତମ କୋଲ୍‌କାତା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ’ରେ ନାଗରିକ ସ୍ବାଧୀନତା ଓ ମତବ୍ୟକ୍ତ କରିବାର ସ୍ବାଧୀନତା ଉପରେ ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନଙ୍କ ବକ୍ତବ୍ୟ ଯୋଗୁଁ ପଶ୍ଚିମବଙ୍ଗରେ ଶାସକ ‘ତୃଣମୂଳ କଂଗ୍ରେସ’ ଓ ‘ବିଜେପି’ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଛି।

Advertisment

ଅମିତାଭଙ୍କ ଭାଷଣରୁ ‘ସ୍କ୍ରିନ୍‌ଗ୍ରାବ୍‌’ ନେଇ ‘ବିଜେପି’ ନେତା ଅମିତ ମାଲଭୀୟ ଟୁଇଟ୍‌ କରି ଲେଖିଛନ୍ତି: କୋଲ୍‌କାତାରେ ଏବଂ ଡାଏସ୍‌ରେ ମମତା ବାନାର୍ଜୀଙ୍କ ସହିତ କୁହାଯାଇଥିବାରୁ ଅମିତାଭ ବଚ୍ଚନଙ୍କ କଥା ଅଧିକ ଭବିଷ୍ୟସୂଚକ ହୋଇପାରି ନାହିଁ। ତାଙ୍କ କଥା ଏକଚ୍ଛତ୍ରବାଦୀ ଶାସକଙ୍କ ପ୍ରତିଫଳନ ପରି ଜଣାପଡୁଛି। ଜଣେ ଏଭଳି ଏକଚ୍ଛତ୍ରବାଦୀ ଶାସକ ଯାହାଙ୍କ ଛତ୍ରଛାୟାରେ ଭାରତରେ ନିର୍ବାଚନ ପରବର୍ତ୍ତୀ ରକ୍ତାକ୍ତ ହିଂସା ସଂଗଠିତ ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଭାବମୂର୍ତ୍ତି ନଷ୍ଟ କରୁଛନ୍ତି ବୋଲି ମଧ୍ୟ ସେ ଦୋ‌ଷାରୋପ କରିଛନ୍ତି।

ମାଲଭୀୟଙ୍କ ଟୁଇଟ୍‌ର ପ୍ରତ୍ୟୁତ୍ତର ଦେଇ ‘ତୃଣମୂଳ କଂଗ୍ରେସ’ର ଲୋକସଭା ସାଂସଦ ନୁସ୍‌ରତ୍‌ ଜହାଁ କହିଛନ୍ତି: ଏକଚ୍ଛତ୍ରବାଦ ଶାସନର ଲକ୍ଷଣ ହେଉଛି ଚଳଚ୍ଚିତ୍ର ଉପରେ ନିଷେଧାଜ୍ଞା ଜାରି କରିବା, ସାମ୍ବାଦିକମାନଙ୍କୁ ଅଟକ ରଖିବା ଓ ସତ କହୁଥିବା ସାଧାରଣ ଜନତାଙ୍କୁ ଶାସ୍ତି ଦେବା। ମୋଟ୍‌ ଉପରେ ଏହା ହେଉଛି, ବାକ୍‌ ସ୍ବାଧୀନତା ଓ ମତବ୍ୟକ୍ତ କରିବାର ଅର୍ଥ।

publive-image Image Courtesy of India Today

ଗତ ଅଳ୍ପ କେତେ ଦିନ ହେବ ଚଳଚ୍ଚିତ୍ର ଉତ୍ସବକୁ ନେଇ ଦୁଇ ଦଳ ମଧ୍ୟରେ ଯୁକ୍ତିତର୍କ ଚାଲିଛି। ନିଜ ରାଜ୍ୟ‌ର ହୋଇଥିଲେ ବି ପ୍ରଖ୍ୟାତ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଉକ୍ତ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିନାହିଁ ବୋଲି ‘ବିଜେପି’ ‘ତୃଣମୂଳ କଂଗ୍ରେସ’କୁ ଦୋଷ ଦେଉଥିଲା। ଏହାପରେ ଉଭୟ ଦଳ ଅମିତାଭଙ୍କ ମନ୍ତବ୍ୟ ଉପରେ ତର୍କ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ‘୨୮ତମ କୋଲ୍‌କାତା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ’ରେ ଅନ୍ୟତମ ମୁଖ୍ୟବକ୍ତା ଥିଲେ ଅମିତାଭ ବଚ୍ଚନ। ବଙ୍ଗଳା ଭାଷାରେ କହିବା ପରେ ନିଜ ଭାବନା ସେୟାର୍‌ କରି ସେ କହିଲେ, ‘ଫିଲ୍ମ ସାର୍ଟିଫିକେସନ୍‌ ବୋର୍ଡ’ କାଏମ ରଖିଥିବା ଆଜିର ‘ସେନ୍‌ସର୍‌ସିପ୍’ ଢାଞ୍ଚା ୧୯୫୨ର ‘ସିନେମାଟୋଗ୍ରାଫର୍ସ ଆକ୍ଟ୍‌’ଦ୍ବାରା ପ୍ରସ୍ତୁତ।  ନାଗରିକ ସ୍ବାଧୀନତା ଓ ମତବ୍ୟକ୍ତ କରିବାର ସ୍ବାଧୀନତା ସନ୍ଦେହ ହେଉଥିବା ଉପରେ ମଞ୍ଚରେ ଥିବା ମୋର ସତୀର୍ଥମାନେ ଏବେ ମଧ୍ୟ ଏକମତ ହେବେ ବୋଲି ମୁଁ ନିଶ୍ଚିତ। ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରାରମ୍ଭିକ ସମୟଠାରୁ କଥାବସ୍ତୁରେ ପରିବର୍ତ୍ତନ ଘଟୁଛି। ବିଷୟ ସବୁ ବଦଳିଛି। ପୌରାଣିକରୁ କଳାତ୍ମକ, ସେଥିରୁ ଉତ୍ତ୍ୟକ୍ତ ଯୁବା ଓ ସମ୍ପ୍ରତି କାଳ୍ପନିକ ଦେଶପ୍ରେମବ‌ୋଧକ କଳ୍ପନିକ ଐତିହାସିକ ଚଳଚ୍ଚିତ୍ର ନିର୍ମାଣ ହେଉଛି।