ସୀମାରେ ଯୁଦ୍ଧ ପରିସ୍ଥିତି: ଭାରତର ୨୦ ଯବାନ ସହିଦ, ଚୀନ୍‌ର ୪୩ ମୃତ

ସ୍ଥିତାବସ୍ଥା ବଦଳାଇବାକୁ ଚୀନ୍‌ର ଚକ୍ରାନ୍ତ: ଭାରତ

ନୂଆଦିଲ୍ଲୀ: ବିଶ୍ବ ମହାମା‌ରୀ କରୋନାକୁ ନେଇ ବିଶ୍ବବ୍ୟାପୀ ନିନ୍ଦିତ ହେଉଥିବା ଚୀନ୍‌ ଏବେ ଦୃଷ୍ଟି ହଟାଇବ‌ା ଲାଗି ଭାରତକୁ ଟାର୍ଗେଟ୍ କରିଛି। ସବୁ ଠିକ୍‌ଠାକ୍‌ ଚାଲିଥିବା ବେଳେ ଚୀନ୍ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଛନ୍ତି। ଭାରତୀୟ ‌ସେନା ଏହାର ପାଲଟା ଜବାବ ମଧ୍ୟ ଦେଇଛନ୍ତି। ଚୀନ ସେନାରେ ମୃତାହତ ହୋଇଥିଲେ ମଧ୍ୟ ନିର୍ଦିଷ୍ଟ ସଂଖ୍ୟା ଜଣାପଡ଼ି ନାହିଁ। ଭାରତ ପକ୍ଷରୁ କୁହାଯାଇଛି ଯେ ଚୀନର ୪୩ ଜଣ ସୈନିକ ପ୍ରାଣ ହରାଇଛନ୍ତି। କିନ୍ତୁ ଚୀନ୍ ୫ ଜଣ ସୈନିକ ମରିଥିବାର ସ୍ବୀକାର କରୁଛି। ଉତ୍ତେଜନା ହ୍ରାସ ଲାଗି ଦୁଇ ଦେଶ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ପଡ଼ିନାହିଁ। ସୀମାରେ ଉଭୟ ପକ୍ଷ ମୁହାଁମୁହିଁ ‌ହୋଇ ରହିଛନ୍ତି। ଗତ ୪୫ ବର୍ଷ ମଧ୍ୟରେ ଭାରତ-ଚୀନ ସୀମାରେ ଏଭଳି ସଂଘର୍ଷ କେବେ ଦେଖିବାକୁ ମିଳିନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସଂପର୍କରେ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଦଳର ନେତାମାନଙ୍କ ସହିତ ବିଚାରବିମର୍ଶ ଜାରି ରଖିଛନ୍ତି। ଏହାଛଡ଼ା ନିଜ ବାସଭବନରେ ପ୍ରଧାନମନ୍ତ୍ରୀ ସୁରକ୍ଷା ସଂପର୍କିତ କ୍ୟାବିନେଟ୍‌ କମିଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ୩ ସେନା ମୁଖ୍ୟଙ୍କ ସହ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି।

ଉତ୍ତେଜନା ହ୍ରାସ ପାଇଁ ଉଚ୍ଚସ୍ତରୀୟ ଆଲୋଚନା
ଏଲ୍‌ଏସି ନିକଟରେ ବୁଲୁଛି ଚୀନ୍‌ ହେଲିକପ୍ଟର
ବରିଷ୍ଠ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ମିଳିଥିବା ସୂଚନା ଅନୁସାରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଗଲୱାନ ଘାଟୀରେ ଭାରତ ଓ ଚୀନ୍‌ ସେନା ଗତରାତିରେ ପଛକୁ ହଟିବା ପ୍ରକ୍ରିୟା ତ୍ବରାନ୍ବିତ କରିଥିଲେ। ତେବେ ଅଚାନକ ଚୀନ୍‌ ସୈନିକମାନେ ଆକ୍ରମଣାତ୍ମକ ହୋଇଉଠିଥିଲେ। ସେମାନେ ପ୍ରଥମେ ଲୁହା ଛଡ଼ ଏବଂ ପଥର ଦ୍ବାରା ଭାରତୀୟ ସେନାର ଜଣେ କର୍ଣ୍ଣେଲଙ୍କ ଉପରେ ଆକ୍ରମଣ କରିଥିଲେ। ଭାରତୀୟ ସେନା ବିନା କୌଣସି ଅସ୍ତ୍ରରେ ଚୀନ୍‌ ସୈନିକଙ୍କ ସହିତ ଲଢ଼ିଥିଲେ ଏବଂ ଏହା ପରେ ଦୁଇ ପକ୍ଷ ମଧ୍ୟରେ କେଇ ଘଣ୍ଟା ଧରି ସଂଘର୍ଷ ହୋଇଥିଲା। ଏଥିରେ ଭାରତର ଜଣେ କର୍ଣ୍ଣେଲ ସହିଦ ହୋଇଯାଇଥିଲେ। ଏହି ସଂଘର୍ଷରେ କୌଣସି ପଟୁ ଗୁଳି ଫୁଟିନଥିଲା ଏବଂ ଲୁହାଛଡ଼ ଓ ପଥରକୁ ଅସ୍ତ୍ର କରାଯାଇଥିଲା। ସହିଦ କର୍ଣ୍ଣେଲ ହେଉଛନ୍ତି ୧୬ ବିହାର ରେଜିମେଣ୍ଟ୍‌ର କମାଣ୍ଡିଂ ଅଫିସର ବି.ସନ୍ତୋଷ ବାବୁ।

ଆଜି ସକାଳେ ଭାରତ ପକ୍ଷରୁ ଏହି ସଂଘର୍ଷ ସଂପର୍କରେ ସୂଚନା ଦିଆଯାଇ କୁହାଯାଇଥିଲା ଯେ ତିନି ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ‌ତେବେ ସନ୍ଧ୍ୟାରେ କୁହାଯାଇଛି ଯେ ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଆଉ ୧୭ ଜଣ ଯବାନ ପ୍ରାଣ ହରାଇଛନ୍ତି। ମୃତାହତଙ୍କୁ ଆଣିବା ଲାଗି ଭାରତୀୟ ସାମରିକ ହେଲିକପଟର ପଠାଯାଇଛି। ସୀମା‌ ନିକଟରେ ଚୀନର ହେଲିକପଟର ମଧ୍ୟ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ବୈଦେଶିକ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚୀନ ଏଭଳି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ସୀମାରେ ସ୍ଥିତାବସ୍ଥାକୁ ବଦଳାଇବା ଲାଗି ଚୀନ ଉଦ୍ୟମ ଚଳାଇଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ଭାରତୀୟ ସେନା ନିଜ ସୀମାରେ ରହିଛନ୍ତି। ଭାରତ କେବେ ବି ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମ ନାହିଁ କି ଏଥିପାଇଁ ଉଦ୍ୟମ ମଧ୍ୟ କରିନାହିଁ। ଅନ୍ୟପକ୍ଷରେ ଚୀନ୍‌ ଅଭିଯୋଗ କରିଛି ଯେ ଭାରତୀୟ ସେନା ଚୀନ୍‌ର ଅଂଚଳ ଭିତରକୁ ଅଚାନକ ଅତିକ୍ରମଣ କରିଆସିବା ସହ ଆକ୍ରମଣ ଆରମ୍ଭ କରିଥିଲେ। ଭାରତ ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସଂଯମ ପ୍ରଦର୍ଶନ କରୁ ବୋଲି ଚୀନ କହିଥିଲା। ତେବେ ଭାରତୀୟ ସେନା ଏହାକୁ ଖଣ୍ଡନ କରିଛି ଏବଂ ଚୀନ୍‌ ହିଁ ପୂର୍ବ ଭଳି ପ୍ରଥମେ ଆକ୍ରମଣ କରିବାକୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଇଛି । ଏହି ଘଟଣା ପରେ ସୀମା ବିବାଦକୁ ନେଇ ଚାଲିଥିବା ଶାନ୍ତି କଥାବାର୍ତ୍ତାକୁ ବଡ଼ ଝଟ୍‌କା ଲାଗିଛି। ସୀମା ପରିଚାଳନାକୁ ନେଇ ଭାରତ ଅତ୍ୟନ୍ତ ଦାୟିତ୍ବସଂପନ୍ନ ଆଚରଣ କରୁଥିବା ବେଳେ ଚୀନ୍‌ର ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ଭାରତ କହିଛି। ସଂଘର୍ଷରେ ଉଭୟ ପକ୍ଷର ସୈନିକ ପ୍ରାଣ ହରାଇଛନ୍ତି। ତେବେ ଏହାକୁ ଏଡ଼ାଇ ଦିଆଯାଇପାରିଥାନ୍ତା ବୋଲି ଏହି ବିବୃତିରେ କୁହାଯାଇଛି। ଭାରତ କହିଛି ଯେ ଏବେ ଉତ୍ତେଜନା ହ୍ରାସ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଫଳ ହେବ ବୋଲି ଆଶା ରହିଛି। ଏବେ ଉଭୟ ପକ୍ଷର ସେନା ପଛକୁ ହଟିଯାଇଛନ୍ତି।

ଗତରାତିରେ ଘଟିଥିବା ସଂଘର୍ଷ ପ୍ରାୟ ୨/୩ ଘଣ୍ଟା ଧରି ଚାଲିଥିଲା ଏବଂ ମଧ୍ୟରାତ୍ରୀରେ ଏହାର ପରିସମାପ୍ତି ଘଟିଥିଲା। ଆଜି ଗଲୱାନ ଉପତ୍ୟାକାର ପାଟ୍ରୋଲ ପଏଣ୍ଟ୍‌ ୧୪ରେ ଉତ୍ତେଜନା ହ୍ରାସ ପାଇଁ ବୈଠକ ଜାରି ରହିଛି। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଗତ ରାତିର ସଂଘର୍ଷ ଏବଂ ସୀମା ସ୍ଥିତି ନେଇ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଗତ ୬ ସପ୍ତାହ ଧରି ନିୟନ୍ତ୍ରଣ ରେଖାରେ ଉଭୟ ଦେଶର ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଅନେକ ଥର ସେମାନଙ୍କ ମଧ୍ୟରେ ମାରପିଟ୍ ଓ ଧସ୍ତାଧସ୍ତି ହୋଇଛି। ଗତମାସ ୯ ତାରିଖ ମଧ୍ୟରେ ମଧ୍ୟ ବଡ଼ ଧରଣର ସଂଘର୍ଷ ‌େହାଇଥିଲା। ଏଥିରେ ଅନେକ ସୈନିକ ଆହତ ହୋଇଥିଲେ। କିନ୍ତୁ କାଲି ଭଳି ମୃତାହତ ହୋଇନଥିଲେ। ଉଲ୍ଲେଖନୀୟ ଯେ ୧୯୬୨ରେ ଏହି ଘାଟୀକୁ ନେଇ ମଧ୍ୟ ଯୁଦ୍ଧ ହୋଇଥିଲା।

ସମ୍ବନ୍ଧିତ ଖବର