ଶ୍ରୀନଗର: ପାକିସ୍ତାନରେ ପଶି ଭାରତୀୟ ବାୟୁସେନା ଜୈସ୍‌ ଆତଙ୍କବାଦୀଙ୍କ ଶିବିର ଛାରଖାର କରିବା ପରେ ନିୟନ୍ତ୍ରଣ ରେଖା ଅଂଚଳରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ନରୁ ପାକିସ୍ତାନ ପଟୁ ପ୍ରବଳ ଗୁଳିଗୋଳା ବର୍ଷା ଆରମ୍ଭ ହେବା ପରେ ଭାରତ ମଧ୍ୟ ଭାରୀ ଯୁଦ୍ଧାସ୍ତ୍ରରେ କଡ଼ା ଜବାବ ଦେଉଛି। ସୀମା ସ୍ଥିତି ଜଟିଳ ହେଉଥିବାରୁ ସୀମାବର୍ତ୍ତୀ ପ୍ରାୟ ୨୦୦ ଗ୍ରାମର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପାକିସ୍ତାନ ସୀମାବର୍ତ୍ତୀ ୪୩ଟି ଗ୍ରାମ ଏବଂ ୫୫ଟି ଆଗୁଆ ପୋଷ୍ଟ୍‌କୁ ଟାର୍ଗେଟ୍‌ କରି ଆଜି ଗୁଳି ବର୍ଷା କରିଥିଲା। ପାକ୍‌ ଗୁଳିରେ ଭାରତର ୬ ଜଣ ଯବାନ ଆହତ ହୋଇଥିବା ବେଳେ ପାକିସ୍ତାନ ପଟେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜୌରି ଏବଂ ନୌସେରା ସେକ୍ଟରରେ ପାକ୍‌ ସେନାର ମୋର୍ଟାର ମାଡ଼ର ଜବାବ ସମାନ ଅସ୍ତ୍ରରେ ଭାରତ ଦେବା ପରେ ପାକିସ୍ତାନ ଶାନ୍ତ ପଡ଼ିଯାଇଥିଲା। ପାକିସ୍ତାନ କହିଛି ଯେ ଭାରତୀୟ ସେନାର ଗୁଳିମାଡ଼ରେ ଜଣେ ମହିଳା ସମେତ ୩ ଜଣ ପାକ୍‌ ନାଗରିକ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୀମାବର୍ତ୍ତୀ ଗ୍ରାମବାସୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ତେବେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି। ସୀମାରେ ସର୍ବାଧିକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ନାଗରିକଙ୍କ ନିରାପତ୍ତା ପାଇଁ ସୁଚିନ୍ତିତ ରଣନୀତି ଅନୁସାରେ କାମ ଚାଲିଛି ବୋଲି ସେ କହିଛନ୍ତି। ଶ୍ରୀନଗରରେ ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ ହେବା ସଂପର୍କରେ ସେ କହିଛନ୍ତି ଯେ ଆଗାମୀ ନିର୍ବାଚନ ପାଇଁ ସୁରକ୍ଷା ସୁନିଶ୍ଚିତ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଏବେ କଶ୍ମୀରର ପ୍ରାୟ ସମସ୍ତ ପ୍ରମୁଖ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରାଯାଇଛି।

Advertisment

publive-image

ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନରେ ଆଜି ୩୫୦ ପାକ୍‌ ଆତଙ୍କବାଦୀ ନିପାତ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ଥଳସେନା, ବାୟୁସେନା ଏବଂ ନୌସେନା ମୁଖ୍ୟଙ୍କ ସହ ସନ୍ଧ୍ୟା‌ରେ ଦେଶର ସୁରକ୍ଷା ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି। ପାକିସ୍ତାନର ଆକ୍ରମଣ ଧମକ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ତିନି ସେନାମୁଖ୍ୟଙ୍କ ସହ ଆଲୋଚନା କରି ସମ୍ଭାବ୍ୟ ଆକ୍ରମଣର ମୁକାବିଲା ନେଇ ସେନାବାହିନୀର ପ୍ରସ୍ତୁତି ସଂପର୍କରେ ଅବଗତ ହୋଇଥିଲେ।

୧୯୭୧ ଯୁଦ୍ଧ ପରେ ପ୍ରଥମ
୧୯୭୧ ମସିହା ଯୁଦ୍ଧ ପରେ ଆଜି ଭାରତ ପ୍ରଥମ ଥର ପାଇଁ ପୁଣି ପାକିସ୍ତାନରେ ବିମାନ ଆକ୍ରମଣ କରିଛି। ପୁଲୱାମାର ଆତ୍ମଘାତୀ ଆକ୍ରମଣରେ ୪୧ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହେବା ପରେ ଭାରତୀୟ ବାୟୁସେନାର ୧୨ଟି ମିରାଜ୍ ଲଢ଼ୁଆ ବିମାନ ପାକିସ୍ତାନରେ ପଶି ଜୈସ୍‌ ଶିବିରଗୁଡ଼ିକୁ ଛାରଖାର୍‌ କରିବା ଦ୍ବାରା ଆତଙ୍କବାଦ ବିରୋଧୀ ଲଢ଼େଇର ରୂପରେଖ ବଦଳି ଯାଇଛି।