ମନାଲି: ହିମାଚଳ ପ୍ରଦେଶରେ ପ୍ରବଳ ଥଣ୍ଡା ହେତୁ ଲାହଲ-ସ୍ପିଟି ଜିଲ୍ଲାର ଏଟିଏମ୍ଗୁଡ଼ିକ କାମ କରିବା ବନ୍ଦ ହେବାରେ ଲାଗିଛି। ଏଟିଏମ୍ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାର ବ୍ୟାଙ୍କ୍ କର୍ମଚାରୀ ଏଟିଏମ୍ ଭିତରେ ଇଲେକ୍ଟ୍ରିକ୍ ହିଟର୍ ଲଗାଇବା ସହିତ ଗରମ ବସ୍ତ୍ରରେ ଏଟିଏମ୍କୁ ଘୋଡ଼ାଇବାକୁ ବାଧ୍ୟ ହୋଇଛନ୍ତି।
କେଲଙ୍ଗରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍ବିଆଇ)ର ବ୍ରାଞ୍ଚ ମ୍ୟାନେଜର୍ ସଂଗୀତାଙ୍କ କହିବା ଅନୁଯାୟୀ, ‘କେତେକ ସମୟରେ ସୂର୍ଯ୍ୟ କିରଣ ପଡ଼ିବା ହେତୁ ଏଟିଏମ୍ ମେସିନ୍ ସାମାନ୍ୟ ଗରମ ହୋଇଥାଏ। ମାତ୍ର ସାଧାରଣରେ ତାପମାତ୍ର ଖୁବ୍ କମ୍ ରହିଥାଏ। ମେସିନ୍ରେ ତାପମାତ୍ରାର ସନ୍ତୁଳନ ଠିକ୍ ରଖିବା ପାଇଁ ଆମେ ଇଲେକ୍ଟ୍ରିକ୍ ହିଟର୍ ବ୍ୟବହାର କରୁଛୁ। ଏପରି ମୁଖ୍ୟତଃ ଦିନ ସମୟରେ ହିଁ କରାଯାଉଛି।’
ସ୍ପିଟି ଜିଲ୍ଳାର ସ୍ଥିତି ଆହୁରି ଶୋଚନୀୟ। ସେଠାରେ ବର୍ତ୍ତମାନ ତାପମାତ୍ରା ରହୁଛି -୨୫ ଡିଗ୍ରି ସେଲ୍ସିୟସ୍। ଶୀତ ଦିନେ ଏ ଅଞ୍ଚଳରେ ମୁଖ୍ୟତଃ ଏଟିଏମ୍ଗୁଡ଼ିକ ବନ୍ଦ ରହିଥାଏ। ମେସିନ୍ରେ ଥିବା ଏକ ଥଣ୍ଡା ଫ୍ରିଜ୍ ଅଂଶ ପୂରାପୂରି ଭାବେ ମେସିନ୍କୁ ଜାମ୍ କରି ଦେଇଥାଏ।
ସେହିପରି କାଜାର ଏସ୍ବିଆଇ ମ୍ୟାନେଜର୍ ସମୀର କହିଛନ୍ତି, ‘ତାପମାତ୍ରା -୫ ଡିଗ୍ରିରୁ -୧୦ ଡିଗ୍ରି ମଧ୍ୟରେ ଥିଲେ ବି ଆମେ ଏଟିଏମ୍ ଚଳାଇଥାଉ। ମାତ୍ର ଏବେ ତାପମାତ୍ରା ରହୁଛି -୨୫ ଡିଗ୍ରି ସେଲ୍ସିୟସ୍। ମେସିନ୍କୁ ଚଳାଇବା ପାଇଁ ଆମେ ନିଆଁ ତ ଲଗାଇ ପାରିବୁ ନାହିଁ, ସେଥିପାଇଁ ରୁମ୍ ହିଟର୍ ଓ ଉଷ୍ମ ବସ୍ତ୍ର ବ୍ୟବହାର କରି ଆମେ କିଛି ସମୟ ପାଇଁ ସେବା ଦେବାରେ ସମର୍ଥ ହେଉଛୁ।’
ଖାଲି ଏତିକି ନୁହେଁ, ସଂପୃକ୍ତ ଶୀତାଞ୍ଚଳରେ ବାଇକ୍ ବି ଠିକ୍ ଭାବେ ଷ୍ଟାର୍ଟ ହେଉନାହିଁ। ଇଞ୍ଜିନ୍କୁ ଗରମ କରିବା ପାଇଁ ନିଆଁର ସାହାଯ୍ୟ ନେବାକୁ ପଡୁଛି ବୋଲି ଜାଣିବାକୁ ମିଳିଛି।