ଚେତାଇଲେ ଗଡ଼କରୀ : ପ୍ରତିଶ୍ରୁତି ନରଖିଲେ ମାଡ଼ ଖାଇବାକୁ ପଡ଼ିବ

କାହା ଉଦ୍ଦେଶ୍ୟରେ କହୁଛନ୍ତି, ସ୍ପଷ୍ଟ କରନ୍ତୁ: କଂଗ୍ରେସ

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଜି ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ନେତାଙ୍କୁ ନେଇ ଦେଇଥିବା ବୟାନ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଗଡ଼କରୀ କହିଥିଲେ ଯେ ଲୋକଙ୍କୁ ସ୍ବପ୍ନ ଦେଖାଉଥିବା ନେତାଙ୍କୁ ସେମାନଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ। ଲୋକଙ୍କ ସ୍ବପ୍ନ ପୂରା ନହେଲେ ସେମାନଙ୍କ ହାତରୁ ନେତାଙ୍କୁ ମାଡ଼ ବି ଖାଇବାକୁ ପଡ଼ିବ ବୋଲି ଗଡ଼କରୀ କହିଛନ୍ତି। ବଲିଉଡ ଅଭିନେତ୍ରୀ ଇଶା କୋପିକର ଆଜି ବିଜେପିରେ ଯୋଗଦେବା ଅବସରରେ ଅନୁଷ୍ଠିତ ସଭାରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି। ମୋଦୀ ସରକାରରେ ପରିବହନ ମନ୍ତ୍ରାଳୟ ଦାୟିତ୍ବରେ ଥିବା ଗଡ଼କରୀଙ୍କ ଏଭଳି ବୟାନକୁ ନେଇ ସଭାସ୍ଥଳରେ ପ୍ରବଳ ତାଳି ମାଡ଼ ହୋଇଥିଲା। ଗଡ଼କରୀ କହିଥିଲେ ଯେ ସେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ପୂରଣ କରୁଛନ୍ତି।
ଗଡ଼କରୀଙ୍କ ଏଭଳି ବୟାନକୁ ନେଇ କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଛି। ଗଡ଼କରୀ କେଉଁନେତାଙ୍କୁ ଉଦ୍ଦେଶ୍ୟ କରି ଏଭଳି ରହସ୍ୟଭରା ବୟାନ ଦେଇଛନ୍ତି ତାହା ଖୋଲାଖୋଲି କହିବା ଉଚିତ ବୋଲି କଂଗ୍ରେସ କହିଛି। ଏହା ବିରୋଧୀ ଦଳ ନେତାଙ୍କ ପାଇଁ କିମ୍ବା ବିଜେପି ନେତାଙ୍କ ପାଇଁ ତାହା ସ୍ପଷ୍ଟ ହେବା ଆବଶ୍ୟକ ବୋଲି ଶିବସେନା କହିଛି। ଗଡ଼କରୀ ଦଳର କେନ୍ଦ୍ରୀୟ ନେତୃତ୍ବକୁ ପରୋକ୍ଷ ସମାଲୋଚନା କରି କଡ଼ା ବୟାନ ଦେଉଥିବାରୁ ଏହି ବୟାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ ଉଦ୍ଦେଶ୍ୟ କରି କୁହାଯାଇଛି ବୋଲି ଅନେକ ମତ ଦେଇଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପାଇଁ ଦଳର ଶୀର୍ଷ ନେତୃତ୍ବ ନୈତିକ ଦାୟିତ୍ବ ମୁଣ୍ଡାଇବା ଉଚିତ ବୋଲି ତାଙ୍କର ବୟାନ ଦଳରେ ଝଡ଼ ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ଏ ବାବଦରେ ଗଡ଼କରୀ ସଫେଇ ଦେଇ ଗଣମାଧ୍ୟମର ଏକ ଗୋଷ୍ଠୀ ତାଙ୍କ ବୟାନକୁ ବିକୃତ କରି ପରିବେଷଣ କରୁଛନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର