ଲିପୁଲେଖ ପାସ୍‌ ଆଡ଼କୁ ଚୀନୀ ସେନା ଅଗ୍ରସର, ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଲିପୁଲେଖ ଗିରିପଥ ଆଡ଼କୁ ଚୀନୀ ସେନାର ଏକ ବାହିନୀ ମାଡ଼ି ଆସୁଥିବା ଜଣାଯାଇଛି। ଲଦାଖ ବାହାରେ ମଧ୍ୟ ପ୍ରକୃତ ନିୟନ୍ତ୍ରଣ ରେଖାକୁ ଅତିକ୍ରମଣ କରୁଥିବା ଚୀନୀ ସୈନିକମାନଙ୍କର ଏପରି ଉଦ୍ଧତ ଆଚରଣ ଭାରତ ପାଇଁ ସତର୍କ ଘଣ୍ଟି ଆଣିଛି। ଏପରିକି ସୀମା ଠାରୁ ଅଳ୍ପ ଦୂରରେ ହଜାରେ ପାଖାପାଖି ଚୀନୀ ସୈନିକ ଏଭଳି ଲିପୁଲେଖ ଗିରିପଥ ଅତିକ୍ରମ କରିଥିବା ପ୍ରତ୍ୟକ୍ଷଦର୍ଶୀ ସ୍ଥାନୀୟ ଲୋକଙ୍କ ଠାରୁ ଜାଣିବାକୁ ମିଳିଛି। ଗତ ମେ ମାସରେ ପୂର୍ବ ଲଦାଖରେ ଉଭୟ ଭାରତ ଓ ଚୀନ୍‌ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଜୁନ୍ ୧୫ ରାତିରେ ଏହାର କରାଳ ରୂପ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା। ବିଗତ ୪୫ ବର୍ଷ ଭିତରେ ଉଭୟପକ୍ଷ ସାମନା କରିନଥିବା ଏଭଳି ରକ୍ତପାତରେ ଭାରତର ଜଣେ କର୍ଣ୍ଣେଲ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲେ। ଅପରପକ୍ଷେ, ଚୀନ୍‌ ପକ୍ଷରୁ ମଧ୍ୟ ମୃତାହତଙ୍କ ସଂଖ୍ୟା ଘୋଷଣା କରାଯାଇନଥିଲେ ହେଁ ଚୀନୀ ସେନା ପ୍ରଭୂତ କ୍ଷତି ସହିଥିବା ସ୍ବୀକାର କରିସାରିଛି।

ଏହାର ତିନି ସପ୍ତାହ ପରେ ଉଭୟ ଦେଶର ଦ୍ବିପାକ୍ଷିକ ସାମରିକ ଏବଂ କୂଟନୈତିକ ଆଲୋଚନା ପରେ ଉଭୟ ସେନା ପ୍ରକୃତ ନିୟନ୍ତ୍ରଣ ରେଖାର ନିରପେକ୍ଷ ଇଲାକାରୁ ଉତ୍ତେଜନା ହ୍ରାସ ସହ ସୈନ୍ୟ ପ୍ରତ୍ୟାହାର ପାଇଁ ସହମତ ହୋଇଛନ୍ତି। ସେହି କ୍ରମରେ ସୀମାର ସମ୍ଭାବ୍ୟ ଉତ୍ତେଜନା ସ୍ଥଳ ମାନଙ୍କରୁ ସୈନ୍ୟ ପ୍ରତ୍ୟାହାର ଜାରି ରହିଛି। ତେବେ ଏହି ଅବସରରେ କିଛି ଚୀନୀ ସେନା ଲିପୁଲେଖ ଗିରିପଥ ଅତିକ୍ରମ କରୁଥିବା ଖବର ଚିନ୍ତାର କାରଣ ହୋଇଛି। ସ୍ମରଣଯୋଗ୍ୟ, ପବିତ୍ର ମାନସରୋବର ଯାତ୍ରା ପଥରେ ପଡୁଥିବା ଏହି ଲିପୁଲେଖ ଗିରିପଥକୁ ସଂଯୋଗ କରି ଭାରତର ଏକ ୮୦ କିମି ଦୀର୍ଘ ରାସ୍ତା ନିର୍ମାଣକୁ ନେପାଳ ବିରୋଧ କରିବା ପରେ ଗତ କିଛି ମାସ ହେଲା ଭାରତ-ନେପାଳ-ଚୀନ୍‌ର ତ୍ରିସୀମାରେ ଆସୁଥିବା ଏହି ଲିପୁଲେଖ ଇଲାକା ଚର୍ଚ୍ଚାରେ ରହି ଆସିଛି। ଏପରିକି ନେପାଳ ଏହାର ଏକ ନୂତନ ମାନଚ୍ଚିତ୍ର ଜାରି କରି ସେଥିରେ ଭାରତର କଳାପାଣି ଓ ଲିପୁରେଖ ଆଦି ଅଞ୍ଚଳକୁ ନିଜର ବୋଲି ଦାବି କରୁଛି। ତେବେ ଏ ପରିପ୍ରେକ୍ଷୀରେ ନେପାଳକୁ ଆପଣାର କରିବା ଲାଗି ଚେଷ୍ଚିତ ଚୀନ୍‌ର ଉଦ୍ୟମ ଏବଂ ଚୀନୀ ସେନାମାନଙ୍କର ଏପରି ଅତିକ୍ରମଣ ଭାରତ ପାଇଁ ସତର୍କ ସୂଚନା ଆଣିଛି।

ସମ୍ବନ୍ଧିତ ଖବର