ବିଶ୍ବ ଜଳବାୟୁ ପରିବର୍ତ୍ତନ କମିଟିର ଚେତାବନୀ, ୨୦ ବର୍ଷରେ ତାପମାତ୍ରା ସୀମା ଟପିବ

ବାରମ୍ବାର ବନ୍ୟା ଆସିବ, ଗରମ ବଢ଼ିବ, ଶୀତ ହଜିଯିବ

ନୂଆଦିଲ୍ଲୀ: ସୌରମଣ୍ଡଳରେ ପୃଥିବୀ ଏକମାତ୍ରା ବ‌ାସପୋଯୋଗୀ ଗ୍ରହ ହୋଇ ରହିଛି। କାରଣ ଏହାର ତାପମାତ୍ରା ଏକ ନିର୍ଦ୍ଦି‌ଷ୍ଟ ସୀମା ମଧ୍ୟରେ ରହିଛି। ଯାହାଦ୍ବାରା ଏଠାରେ ଜୀବଜଗତ ତିଷ୍ଠି ରହିବା ସମ୍ଭବ ହୋଇଛି। ଏଥିପାଇଁ ପୃଥିବୀର ହାରାହାରି ତାପମାତ୍ରା ବୃଦ୍ଧିକୁ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ୧.୫ ଡିଗ୍ରି ସେଲ୍‌ସିୟସ ମଧ୍ୟରେ ରଖିବା ଲାଗି ବିଶ୍ବରେ ପ୍ରଚେଷ୍ଟା କରାଯାଉଛି। ଏଭଳି ସମୟରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅନ୍ତଃସରକାରୀ କମିଟି (ଆଇପିସିସି) ଚମକାଇ ଦେବା ଭଳି ରିପୋର୍ଟ ଆଜି ପ୍ରକାଶ କରିଛି। ଆସନ୍ତା ୨୦ ବର୍ଷ ମଧ୍ୟରେ ପୃଥିବୀର ହାରାହାରି ତାପମାତ୍ରା ଯେକୌଣସି ପରିସ୍ଥିତିରେ ବି ୧.୫ ଡିଗ୍ରି ସେଲ୍‌ସିୟସ ବଢ଼ିଯିବ। ଏଥିପାଇଁ ବିଶ୍ବରେ ଗ୍ରୀଷ୍ମ ପ୍ରଭାବ ବଢ଼ିଯିବ। ଅଧିକ ଦିନ ଗରମ ଏବଂ କମ୍‌ଦିନ ଶୀତ ଅନୁଭୂତ ହେବ। ସମୁଦ୍ର ପତନ ଦ୍ରୁତବେଗରେ ଉପରକୁ ଉଠିବ।

ହିମାଳୟର ପାର୍ବତ୍ୟାଞ୍ଚଳରେ ବାରମ୍ବାର ବିଶାଳକାୟ ବରଫ ଫାଟିବା ଭଳି ଘଟଣା ଦେଖିବାକୁ ମିଳିବ। ଭାରତ ବି ଏଥିରୁ ବାଦ୍‌ ପଡ଼ିବ ନାହିଁ। ପ୍ରଥମ ଥର ପାଇଁ ବିଶ୍ବର ଅଞ୍ଚଳଭିତ୍ତିରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଆଇପିସିସି ବିସ୍ତୃତ ଭାବେ ଆକଳନ କରିଛି। ବିଶ୍ବକୁ ୧୧ଟି ଅଞ୍ଚଳରେ ଭାଗ କରି ଏହି ଆକଳନ କରାଯାଇଛି ଯାହା ବିପଦ ମାତ୍ରାର ପୂର୍ବାନୁମାନ ଲଗାଇବା ଏବଂ ତାହାର ମୁକାବିଲା ଲାଗି ବିହୀତ ପଦକ୍ଷେପ ଗ୍ରହଣ କରିବାରେ ତାହା ସହାୟକ ହେବ। ଏହି ରିପୋର୍ଟରେ ଯଦିଓ କୌଣସି ନିର୍ଦ୍ଦିଷ୍ଟ ସହରଭିତ୍ତିକ ଆକଳନ କରାଯାଇନାହିଁ ତଥାପି ସମୁଦ୍ର ପତନରେ ବୃଦ୍ଧି ଘଟିଲେ ଭାରତର ଦୀର୍ଘ ୭୫୧୭ କିମି ବିଶିଷ୍ଟ ଲମ୍ବା ଉପକୂଳ ନିକଟରେ ଥିବା ତଳୁଆ ଅଞ୍ଚଳ ଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହେବେ। ଏଥିରେ ମୁମ୍ବାଇ, ଚେନ୍ନାଇ, କୋଚି, କୋଲକାତା, ସୁରତ ଓ ବିଶାଖାପାଟଣା ଭଳି ବଡ଼ ବନ୍ଦର ଭିତ୍ତିକ ସହର ପ୍ରଭାବିତ ହୋଇପାରେ। ଅନେକ ସହରର ତାପମାତ୍ରାରେ ବୃଦ୍ଧି ଘଟିବ। ବଡ଼ ଧରଣର ବନ୍ୟା ବାରମ୍ବାର ଦେଖାଦେବ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ସମୁଦ୍ର‌ ପତନ ବୃଦ୍ଧି ପାଇବ। ଏହି ରିପୋର୍ଟରେ କୁହାଯାଇଛି ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ଶୂନ ସ୍ତରକୁ ଆଣିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଗଲେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଅନେକାଂଶରେ ହ୍ରାସ କରାଯାଇ ପାରିବ। ମିଥେନ ଭଳି ବାୟୁପ୍ରଦୂଷଣକାରୀ ଏବଂ ସବୁଜଗୃହ ଗ୍ୟାସକୁ ନିୟନ୍ତ୍ରଣରେ ରଖାଯାଇ ପାରିଲେ ତାହା ଉଭୟ ଜଳବାୟୁ ଓ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେବ ବୋଲି କମିଟିର ସହ-ଅଧ୍ୟକ୍ଷ ପାନମାଓ ଝାଇ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ବର ବିଭିନ୍ନ ସ୍ଥାନରେ ଆର୍ଦ୍ରତା, ଶୁଷ୍କତା, ପବନ ବହିବା, ବରଫ ପାତ ଭଳି ଅନେକ କିଛି ବ୍ୟତିକ୍ରମ ଦେଖିବାକୁ ମିଳିବ।

ବରଫ ତରଳିବ, ଉପକୂଳ ବୁଡ଼ିବ, ଭୟଙ୍କର ପରିଣତି ଭୋଗିବେ ବିଶ୍ବବାସୀ

ଜଳଚକ୍ରରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ଘଟିବ। ଯେଉଁଥିପାଇଁ ମୂଷଳ ଧାରାର ବର୍ଷା ହେବ ଏବଂ ଏହାପରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟିହେବ। କିଛିସ୍ଥାନରେ ମରୁଡ଼ି ଦେଖାଦେବ। ସମୁଦ୍ର ପତନ ଲଗାତାର ବୃଦ୍ଧିପାଇବ ଯେଉଁଥିପାଇଁ ତଳିଆ ଅଞ୍ଚଳରେ ବଡ଼ଧରଣର ବନ୍ୟା ଏବଂ ମୃର୍ତ୍ତିକା କ୍ଷୟ ହେବ। ଯେଉଁ ଘଟଣା ଶହେ ବର୍ଷରେ ଥରେ ଲେଖାଏଁ ଘଟୁଥିଲା ତାହା ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ତାହା ପ୍ରତିବର୍ଷ ଦେଖାଦେଇ ପାରେ। ପୃଥିବୀରେ ରହିଥିବା ବରଫ ଚାଦର ତରଳିବା, ବାରମ୍ବାର ହିମସ୍ଖଳନ ଯୋଗୁ ସମୁଦ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ। ‌ଏଥିପାଇଁ ସମୁଦ୍ରରେ ତାପମାତ୍ରା, ଏସିଡ ମାତ୍ରା ବଢ଼ିବ ଏବଂ ଅମ୍ଳଜାନସ୍ତର କମିବ। ଫଳରେ ଚଳିତ ଶତାବ୍ଦୀର ଅବଶିଷ୍ଟ ସମୟ ଗୁଡ଼ିକରେ ତାହାର ପ୍ରଭାବ ସମୁଦ୍ରର ପରିସଂସ୍ଥାନ ଏବଂ ତାହା ଉପରେ ନିର୍ଭରଶୀଳ ଲୋକମାନଙ୍କ ଉପରେ ଦେଖିବାକୁ ମିଳିବ।

ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଏହି ରିପୋର୍ଟକୁ ମାନବ ସମାଜକୁ ସତର୍କ ଘଣ୍ଟିଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ସତର୍କ ଘଣ୍ଟିକୁ କର୍ଣ୍ଣପାତ କରାଯାଉ ନଥିବାବେଳେ ପ୍ରମାଣଗୁଡ଼ିକୁ ଗ୍ରହଣ କରାଯାଉନାହିଁ। ଜୀବାଶ୍ମ ଇନ୍ଧନ ଦହନରୁ ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳ ଏବଂ ଜଙ୍ଗଲକ୍ଷୟ ଯୋଗୁ ପୃଥିବୀ ଶ୍ବାସରୁଦ୍ଧ ହୋଇଗଲାଣି। ତାହା କୋଟି କୋଟି ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ବିଶ୍ବର ତାପମାତ୍ରା ବୃଦ୍ଧି ଏଭଳି କ୍ଷତି ଘଟାଉଛି ଯାହାକୁ କେବେ ବି ସୁଧାରି ହେବନି। ଏହି ସମସ୍ୟାର ତ୍ବରିତ ସମାଧାନ ପାଇଁ ସମସ୍ତ ରାଷ୍ଟ୍ର ମିଳିତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଆଇପିସିସି ରିପୋର୍ଟକୁ ଭାରତ ପକ୍ଷରୁ ସ୍ବାଗତ କରାଯାଇଛି। ଧନୀ ଦେଶଗୁଡ଼ିକ ଏଥିପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଭାରତ କହିଛି।

ସମ୍ବନ୍ଧିତ ଖବର