ବିଶ୍ବ ପାଣିପାଗ ସଂସ୍ଥାର ଚେତାବନୀ: ପାଞ୍ଚବର୍ଷରେ ହାରାହାରି ତାପମାତ୍ରା ଦେଢ଼ ଡିଗ୍ରି ବଢ଼ିବ

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବ ତାପମାତ୍ରା ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି ଏବଂ ଆଗକୁ ଆହୁରି ଭୟଙ୍କର ସମୟ ଆସୁଛି ବୋଲି ବିଶ୍ବ ପାଣିପାଗ ସଂଗଠନ (ଡବ୍ଲୁଏମ୍‌ଓ) ଚେତାବନୀ ଦେଇଛି। ୨୦୧୬ରେ ତାପମାତ୍ରା ଯେଉଁ ରେକର୍ଡ କରିଥିଲା ୨୦୨୨ରୁ ୨୦୨୬ ଭିତରେ କୌଣସି ବର୍ଷ ସେହି ରେକର୍ଡ ଭାଙ୍ଗିବ ବୋଲି ଡବ୍ଲୁଏମ୍‌ଓ ପୂର୍ବାନୁମାନ କରିଛି। ୨୦୧୬ରେ ଏଲ୍‌ନିନୋ ଦେଖାଯାଇଥିଲା। ଯେତେବେଳେ ବିଷୁବମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ରର ପୃଷ୍ଠ ତାପମାତ୍ରା ଅସ୍ବାଭାବିକ ଭାବେ ଅଧିକ ହୁଏ ଏବଂ ତାହା ଗ୍ରୀଷ୍ମଋତୁରେ ସାମଗ୍ରିକ ତାପମାତ୍ରା ବୃଦ୍ଧିରେ ସାହାଯ୍ୟ କରେ ତାହାକୁ ଏଲ୍‌ନିନୋ କୁହାଯାଏ। ତାହାର ବିପରୀତ ହେଉଛି ଲା-ନିନା ଯେଉଁଥିରେ ସମୁଦ୍ର ପୃଷ୍ଠଦେଶ ଥଣ୍ଡା ଥାଏ ଏବଂ ତାହା ଶୀତଋତୁରେ ଥଣ୍ଡା ପାଗକୁ ବଢ଼ାଇଥାଏ। ୨୦୨୧ର ଆରମ୍ଭରେ ଓ ଶେଷରେ ଏବଂ ୨୦୨୨ର ଆରମ୍ଭରେ ବି ଲା-ନିନା ପ୍ରଭାବରେ ବିଶ୍ବ ପାଣିପାଗରେ ଥଣ୍ଡା ଅବସ୍ଥା ଦେଖିବାକୁ ମିଳିଥିଲା। ଡବ୍ଲୁଏମ୍‌ଓର କହିବା ଅନୁସାରେ ଏହି ପ୍ରଭାବ ହେଉଛି ସାମୟିକ। ଏହାପରେ ଏଲ୍‌ନିନୋ ଦେଖାଗଲେ ହଠାତ୍ ତାପମାତ୍ରା ବଢ଼ିଯିବ, ଯେମିତି ୨୦୧୬ରେ ହୋଇଥିଲା।

୨୦୨୧ରେ ଶିଳ୍ପବିପ୍ଳବ ପ୍ରାକ୍‌-କାଳୀନ ତାପମାତ୍ରାଠାରୁ ୧.୧ ଡିଗ୍ରି ସେଲ୍‌ସିୟସ୍ ଅଧିକ ତାପମାତ୍ରା ରହିଥିଲା। ଆସନ୍ତା ପାଞ୍ଚବର୍ଷରେ ତାହା ୧.୫ ଡିଗ୍ରି ଉପରେ ରହିବାର ସମ୍ଭାବନା ଅଛି ବୋଲି ଡବ୍ଲୁଏମ୍‌ଓ ପୂର୍ବାନୁମାନ କରିଛି। ୨୦୨୨ରୁ ୨୦୨୬ ଭିତରେ ବାର୍ଷିକ ହାରାହାରି ଭୂପୃଷ୍ଠ ସନ୍ନିକଟ ବିଶ୍ବ ତାପମାତ୍ରା ପ୍ରାକ୍-ଶିଳ୍ପବିପ୍ଳବ ତାପମାତ୍ରାଠାରୁ ୧.୧ରୁ ୧.୭ ଡିଗ୍ରି ସେଲ୍‌ସିୟସ୍ ମଧ୍ୟରେ ଅଧିକ ହେବ ବୋଲି ଡବ୍ଲୁଏମ୍‌ଓ ପୂର୍ବାନୁମାନ କରିଛି। ସୂଚନାଯୋଗ୍ୟ, ୧୮୫୦ରୁ ୧୯୦୦ ଭିତରେ ହାରାହାରି ବିଶ୍ବ ତାପମାତ୍ରାକୁ ପ୍ରାକ୍-ଶିଳ୍ପବିପ୍ଳବ ତାପମାତ୍ରା ବୋଲି କୁହାଯାଉଛି।

‌ଆସନ୍ତା ପାଞ୍ଚବର୍ଷରେ ଯେଉଁ ୧.୫ ଡିଗ୍ରି ଉତ୍ତାପ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି ତାହା କୌଣସି ପରିସଂଖ୍ୟାନ-ଲବ୍ଧ ତଥ୍ୟ ନୁହେଁ ବୋଲି ଡବ୍ଲୁଏମ୍‌ଓ ମହାସଚିବ
ପ୍ର. ପେଟ୍ଟେରି ଟାଲସ କହିଛନ୍ତି। ବିଶ୍ବ ତାପମାତ୍ରା ବୃଦ୍ଧି ମାନବ ସଭ୍ୟତା ପାଇଁ ଚିନ୍ତାର କାରଣ। ଯେପର୍ଯ୍ୟନ୍ତ ସମସ୍ତ ଦେଶ ସବୁଜଗୃହ ବାଷ୍ପ ନିର୍ଗମନ କରି ଚାଲିଥିବେ ସେ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଚାଲିଥିବ – ମହାସମୁଦ୍ରଗୁଡ଼ିକ ବି ଅଧିକ ଉତ୍ତପ୍ତ ତଥା ଅମ୍ଳୀୟ ହେଉଥିବ, ସାମୁଦ୍ରିକ ବରଫ ଓ ହିମବାହ ତରଳିଚାଲିଥିବ, ସମୁଦ୍ରର ଜଳସ୍ତର ବୃଦ୍ଧି ପାଇଚାଲିଥିବ ଏବଂ ଆମର ଜଳବାୟୁ ଅଧିକ ଚରମ ହୋଇଯିବ ବୋଲି ଟାଲସ କହିଛନ୍ତି। ମେରୁ ଅଞ୍ଚଳର ତାପମାତ୍ରା ଯେଭଳି ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି ତାହା ଆମ ସମସ୍ତଙ୍କ ଉପରେ ପ୍ରଭାବ ପକାଇବ। ଏଣୁ ସବୁ ଦେଶର ସରକାର ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର