କଶ୍ମୀରୀ ମହିଳାଙ୍କୁ ହିଜବୁଲର ଧମକ

ଯବାନଙ୍କ ସହ ଚାଟିଂ କରନି

ଶ୍ରୀନଗର: ଭାରତୀୟ ସେନାର ମେଜର ଲିତୁଲ ଗୋଗୋଇଙ୍କ ସହ ଜଣେ କଶ୍ମୀରୀ ମହିଳାଙ୍କୁ ପୁଲିସ ହୋଟେଲରୁ ଧରିବା ପରେ ଆଜି ଆତଙ୍କବାଦୀ ସଂଗଠନ ହିଜବୁଲ ଏକ ୧୦ ମିନିଟର ଅଡିଓ ବାର୍ତ୍ତା ଜାରି କରିଛି। ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ରିୟାଜ ନାଇକୋ ଏହି ଅଡିଓରେ କଶ୍ମୀରୀ ମହିଳାଙ୍କୁ ଯବାନଙ୍କ ସହ ସୋସିଆଲ ମିଡିଆରେ ସମ୍ପର୍କ ନ ରଖିବା ପାଇଁ ଧମକ ଦେଇଛି। ସେ କହିଛି ଯେ, ଯଦି କୌଣସି ଯବାନ ଆତଙ୍କବାଦୀଙ୍କ ସମ୍ପର୍କରେ ଜାଣିବାକୁ ଇଚ୍ଛା କରନ୍ତି, ତେବେ ସେମାନଙ୍କ ସହ ସଂପର୍କ ଛିନ୍ନ କରାଯାଉ। ସେ ଏହା ମଧ୍ୟ କହିଛି ଯେ, ଜମ୍ମୁ-କଶ୍ମୀରରେ ପୁଲିସ ଓ ସେନା ସ୍ଥାନୀୟ ମହିଳା ବିଶେଷକରି ସ୍କୁଲ ଛାତ୍ରୀଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନଙ୍କଠାରୁ ଆତଙ୍କବାଦୀଙ୍କ ସମ୍ପର୍କରେ ତଥ୍ୟ ଆଦାୟ କରୁଥିବା ଖବର ମିଳିଛି। ଯବାନଙ୍କ ସହ ସଂପର୍କ ରଖିବା ଜଣାପଡ଼ିଲେ ପରିସ୍ଥିତି ଖରାପ ହେବ ବୋଲି ସେ ଧମକାଇଛି। ନାଇକୋ(୩୦) ହେଉଛି ମୃତ ଆତଙ୍କବାଦୀ ବୁରହନ ଓ୍ଵାନୀର ବନ୍ଧୁ ଯିଏକି ଦୀର୍ଘ ସମୟ ଧରି ରାଜ୍ୟରେ ଆତଙ୍କବାଦ କାର୍ଯ୍ୟକଳାପରେ ସକ୍ରିୟ ରହିଛି। ଏହା ସହିତ ରାଜ୍ୟରେ ସେନା ପକ୍ଷରୁ ନିଆଯାଉଥିବା ଶିକ୍ଷା ବିକାଶ ପଦକ୍ଷେପକୁ ମଧ୍ୟ ସେ ବିରୋଧ କରିଛି। ସ୍ଥାନୀୟ ଅଭିଭାବକଙ୍କୁ ମଧ୍ୟ ସତର୍କ କରାଇ ନାଇକୋ କହିଛି ଯେ ଯବାନଙ୍କ ସହ ସଂପର୍କ ରଖିବା ପ୍ରମାଣ ମିଳିଲେ ହିଜବୁଲ ସେମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିବ।

ସମ୍ବନ୍ଧିତ ଖବର