ବେଜିଂ: ସୋଭିଏତ ସଂଘ ଭଳି ପତନରୁ ଚୀନ୍କୁ ରକ୍ଷା କରିବା ପାଇଁ ହେଲେ ଦୁର୍ନୀତି ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରିବାକୁ ହେବ। ଅନ୍ୟଥା ଚୀନ୍ ବଡ଼ ଧରଣର ବିଭାଜନ ଆଡ଼କୁ ମୁହାଁଇବ ଏବଂ ସୋଭିଏତ ଭଳି ଏହାର ପତନ ଘଟିବ ବୋଲି ଦୁର୍ନୀତି ନିବାରଣ ସଂସ୍ଥାର ବରିଷ୍ଠ ଅଧିକାରୀ ୟାଙ୍ଗ୍୍ ଜିଆଡୋ କହିଛନ୍ତି। ଚୀନ୍ର ସର୍ବୋଚ୍ଚ ଦୁର୍ନୀତି ନିବାରଣ ସଂସ୍ଥାର ଉପସଚିବ ୟାଙ୍ଗ୍ ଜିଆଡୋ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ଲେଖିଥିବା ଏକ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି ଯେ ଦେଶରୁ ଦୁର୍ନୀତି ହଟାଇବା ଲାଗି ଯଦି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ରାଷ୍ଟ୍ର ଖଣ୍ଡ ଖଣ୍ଡ ହୋଇଯିବ। ଚୀନ୍ କମ୍ୟୁନିଷ୍ଟ ପାର୍ଟିର କ୍ୟାଡରମାନେ ସୋଭିଏତ୍ ସଂଘ ପତନର ଇତିହାସ ଅନୁଧ୍ୟାନ କରୁଥିବା ବେଳେ ନିଜ ଦେଶକୁ ଏଥିରୁ ରକ୍ଷା କରିବା ପାଇଁ ତୟାର ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଦେଶରେ ରାଜନୈତିକ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବାରୁ ଚୀନ୍ ସେଣ୍ଟ୍ରାଲ କମିସନ୍ ଫର ଡିସିପ୍ଲିନ୍ ଇନ୍ସପେକ୍ସନ୍ର ଉପ ସଚିବ ୟାଙ୍ଗ୍ଙ୍କ ମନ୍ତବ୍ୟକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ଚୀନ୍ର ପୂର୍ବ ସରକାର ଅମଳରେ ଦୁର୍ନୀତି ଲଗାମଛଡ଼ା ହୋଇଯାଇଥିଲା ଏବଂ ବର୍ତ୍ତମାନର ସରକାର ମଧ୍ୟ ଏଥିରେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇନଥିବା ୟାଙ୍ଗ୍ ସ୍ପଷ୍ଟ କରିଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବ ପ୍ରଶାସନରେ ଦୁର୍ନୀତିର ଚେର ଏତେ ଗଭୀରକୁ ଲମ୍ବି ଯାଇଥିଲା ଯେ ଏହା ଦଳର ନେତୃତ୍ୱକୁ ଦୁର୍ବଳ କରିଦେଇଛି । ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡିତ କରିବା ଏବଂ ଦୁର୍ନୀତିକୁ ରୋକିବାରେ ପ୍ରଶାସନିକ ବିଫଳତା ଚୀନ୍କୁ ଏବେ ଜଟିଳ ସମସ୍ୟା ଆଡ଼କୁ ଟାଣି ନେଉଛି । ଏବେ ରାଷ୍ଟ୍ରର ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବାରୁ ଏଥିରେ ସଂସ୍କାର ଅଣାନଗଲେ ଦେଶର ପତନ ଘଟିବ ବୋଲି ସେ ଚେତାଇ ଦେଇଛନ୍ତି। ଗୋଟିଏ ପଟେ ଚୀନ୍ ରାଷ୍ଟ୍ରପତିି ଜି ଜିନ୍ପିଙ୍ଗ୍ ଦେଶରୁ ଦୁର୍ନୀତି ହଟାଇବା ଲାଗି ବଳିଷ୍ଠ ପଦକ୍ଷେପ ନେଉଥିଲେ ମଧ୍ୟ ତାହା ସଫଳ ହେଉନଥିବାରୁ ବିଭିନ୍ନ ମହଲ ଉଦ୍ବେଗ ପ୍ରକାଶ ଜାରି ରଖିଛନ୍ତି। ୟାଙ୍ଗ୍ କହିଛନ୍ତି ଯେ ଜିନପିଙ୍ଗ୍ଙ୍କ କାର୍ଯ୍ୟାନୁଷ୍ଠାନ ଦେଶକୁ ଦୁର୍ନୀତି କବଳରୁ ମୁକୁଳାଇବାପାଇଁ ଯଥେଷ୍ଟ ନୁହେଁ। ସେ କହିଛନ୍ତି ଜିନପିଙ୍ଗ୍ଙ୍କ ପଦକ୍ଷେପଗୁଡ଼ିକ କେବଳ ଧାରୁଆ ଛରିକୁ ନିଜ ଆଡକୁ ରଖି ବିପଦକୁ ବରଣ କରିବା ସଦୃଶ ସମାନ। ଦଳ ଭିତରେ ରହିଥିବା ଭୟଙ୍କର ଦୁର୍ନୀତିଗ୍ରସ୍ତଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/3-1.jpg)