ନୂଆଦିଲ୍ଲୀ: ଲାହୋରସ୍ଥିତ ଏକ ପାକିସ୍ତାନୀ ସାମରିକ ଘାଟିରେ ନିୟୋଜିତ ଏୟାର୍ ଡିଫେନ୍ସ ସିଷ୍ଟମ୍‌କୁ ଭାରତୀୟ ସେନା ଗତରାତିରେ ଧ୍ୱଂସ କରିଦେଇଛି। ଓପନ୍ ସୋର୍ସ ଡାଟା ବିଶ୍ଳେଷଣରୁ ଜଣାପଡିଛି ଯେ ଏହି ସିଷ୍ଟମ୍ ଚୀନ୍ ଦ୍ବାରା ପ୍ରଦତ୍ତ ଏଚ୍‌କ୍ୟୁ -୯ ଏବଂ ଏଚ୍‌କ୍ୟୁ-୧୬ ଶ୍ରେଣୀର। ଭାରତ ଏହାକୁ ଡ୍ରୋନ୍‌ ଆକ୍ରମଣରେ ଧ୍ବଂସ କରିବା ଚୀନ୍‌ ପାଇଁ ଏକ ବଡ଼ ଚେତାବନୀ ବୋଲି କୁହାଯାଉଛି। ଗୁରୁବାର ଭାରତୀୟ ସେନା ଡ୍ରୋନ୍ ଓ କ୍ଷେପଣାସ୍ତ୍ର ବ୍ୟବହାର କରି ପାକିସ୍ତାନର ଅନେକ ସ୍ଥାନରେ ଆକ୍ରମଣ କରିଥିଲା। କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନା ବୁଧବାର ଭୋର ସମୟରେ ପାକିସ୍ତାନର ୯ଟି ଆତଙ୍କବାଦୀ ସ୍ଥଳରେ ଆକ୍ରମଣ କରିଥିଲା।

Advertisment

ସିପ୍ରି (ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍)ର ଅସ୍ତ୍ରଶସ୍ତ୍ର ଡାଟାବେସ୍ ଅନୁଯାୟୀ, ଚୀନ୍‌ର ଏଲ୍‌ୱାଇ-୮୦ ମଧ୍ୟମ ଦୂରତା ବିଶିଷ୍ଟ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର (ସାମ୍)ର ରପ୍ତାନି କିସମ ଏଚ୍‌କ୍ୟୁ-୧୬କୁ ପାକିସ୍ତାନ ୨୦୧୩ରୁ ୨୦୧୫ ମଧ୍ୟରେ ଦୁଇଟି ପୃଥକ୍ ଅର୍ଡରରେ ଅଧିଗ୍ରହଣ କରିଥିଲା। ୫୯୯ ନିୟୁତ ଆମେରିକୀୟ ଡଲାରରେ ୯ଟି ଏଚ୍‌କ୍ୟୁ-୧୬ କିଣାଯାଇଥିଲା। ଅର୍ଥାତ୍ ପ୍ରତି ୟୁନିଟ୍ ପାଇଁ ପାକିସ୍ତାନ ୬୬.୫୬ ନିୟୁତ ଡଲାର ବା ଆଜିର ମୁଦ୍ରା ବିନିମୟ ଅନୁସାରେ ପ୍ରାୟ ୧୮୭୨.୫ କୋଟି ପାକିସ୍ତାନୀ ଟଙ୍କା ଖର୍ଚ୍ଚ କରିଛି। ପାକିସ୍ତାନ ସଶସ୍ତ୍ର ବାହିନୀର ପତ୍ରିକା ହିଲାଲ ଅନୁଯାୟୀ, ଏଚ୍‌କ୍ୟୁ-୧୬ ସ୍ବଳ୍ପରୁ ମଧ୍ୟମ ଦୂରତାର ପ୍ରତିରକ୍ଷା ପ୍ରଦାନ କରିଥାଏ। ଏହାର ରେଞ୍ଜ ପାଖାପାଖି ୪୦ କିଲୋମିଟର। ଏହି କ୍ଷେପଣାସ୍ତ୍ର ୪୦୦ରୁ ୧୦୦୦ ହଜାର ମିଟର ଉଚ୍ଚତାକୁ ଲକ୍ଷ୍ୟଭେଦ କରିପାରିବ। ୨୦୧୭ରେ ପାକିସ୍ତାନୀ ସେନା ଆନୁଷ୍ଠାନିକ ଭାବେ ଏଚ୍‌କ୍ୟୁ-୧୬କୁ ନିଜ ସେନାରେ ସାମିଲ କରିଥିଲା ଏବଂ ୨୦୧୮ ଜାନୁଆରିରେ ପ୍ରଥମ ଲାଇଭ୍ ଗୁଳିଚାଳନା କରିଥିଲା। ଏଚ୍‌କ୍ୟୁ-୧୬ ମୁଖ୍ୟତଃ ଏୟାରଫିଲ୍ଡ, ବ୍ରିଜ୍, କମାଣ୍ଡ ପୋଷ୍ଟ, ସୈନ୍ୟଙ୍କ ସାନ୍ଦ୍ରତା ଓ ଅନ୍ୟାନ୍ୟ ଉଚ୍ଚ ମୂଲ୍ୟର ସମ୍ପତ୍ତି ଭଳି ସ୍ଥାୟୀ ସମ୍ପତ୍ତିର ସୁରକ୍ଷା ପାଇଁ ବ୍ୟବହୃତ ହୁଏ।

ମିଳିଥିବା ସୂଚନା ଅନୁଯାୟୀ, ଏଚ୍‌କ୍ୟୁ-୧୬ର ବାଟାଲିୟନରେ ୧୨ଟି ଲଞ୍ଚର ଯାନ, ଗୋଟିଏ କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ ଯାନ, ୩ଟି ଟ୍ରାକିଂ ଓ ଗାଇଡାନ୍ସ ରାଡାର ଯାନ, ଗୋଟିଏ ଟାର୍ଗେଟ ସର୍ଚ୍ଚ ରାଡାର ଯାନ ଏବଂ ଅନେକ କ୍ଷେପଣାସ୍ତ୍ର ପରିବହନ ଓ ପୁନଃଲୋଡିଂ ଯାନ ଏବଂ ବିଦ୍ୟୁତ୍ ଯୋଗାଣ ଯାନ ରହିଛି। ୨୦୧୧ ସେପ୍ଟେମ୍ବରରେ ଚୀନ୍ ସଶସ୍ତ୍ର ବାହିନୀରେ ପ୍ରଥମେ ଏହି ପ୍ରତିରକ୍ଷା ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ଆମେରିକୀୟ ସେନାର ଅପରେସନାଲ ଏନ୍‌ଭିରନ୍‌ମେଣ୍ଟ ଡାଟା ଇଣ୍ଟିଗ୍ରେସନ ନେଟୱାର୍କ (ଓଡିଆଇଏନ୍) ଅନୁଯାୟୀ, ଏଚ୍‌କ୍ୟୁ-୧୬ ଏକ ଶକ୍ତିଶାଳୀ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଇଣ୍ଟରଫରେନ୍ସ ପରିବେଶ ଓ ସମସ୍ତ ପାଣିପାଗ ପରିସ୍ଥିତିରେ ପରିଚାଳିତ ହୋଇପାରିବ।