ଜାତିସଂଘର ଚେତାବନୀ : ଅନାହାର ନେବ ୧୨ କୋଟି ଜୀବନ

ଖାଦ୍ୟ ପାଇଁ ଚାଲିଛି ପରସ୍ପର ଭିତରେ ଲଢ଼େଇ
ସାଢ଼େ ୧୫ କୋଟି ଶିଶୁ ଅପପୁଷ୍ଟିର ଶିକାର

ନ୍ୟୁୟର୍କ : ସାରା ବିଶ୍ୱରେ ଖାଦ୍ୟ ଅଭାବରୁ ମୃତ୍ୟୁ ସହ ସଂଘର୍ଷ ଜାରି ରଖିଥିବା ଲୋକଙ୍କ ସଂଖ୍ୟା ୧୨ କୋଟି ୪୦ଲକ୍ଷ ଟପି ସାରିଲାଣି। ସେମାନଙ୍କୁ ତୁରନ୍ତ ଆବଶ୍ୟକ ଖାଦ୍ୟ ନମିଳିଲେ ମୃତ୍ୟୁ ସୁନିଶ୍ଚିତ। ସେମାନଙ୍କ ମଧ୍ୟରୁ କେବଳ ସୋମାଲିଆ, ୟେମେନ୍‌, ଦକ୍ଷିଣ ସୁଦାନ ଓ ଉତ୍ତର ପୂର୍ବ ନାଇଜେରିଆରେ ଅନ୍ୟୂନ ୩ କୋଟି ୨୦ ଲକ୍ଷ ଲୋକ ଖାଦ୍ୟ ପାଇଁ ପରସ୍ପର ସହ ଲଢ଼ୁଛନ୍ତି। ସେଥିଯୋଗୁଁ ସେମାନେ ଏବେ ଅନାହାର ମୃତ୍ୟୁର ଦ୍ୱାରଦେଶରେ।

ଏହି ସୂଚନା ଦେଇଛନ୍ତି ଜାତିସଂଘ ଖାଦ୍ୟ ସଂସ୍ଥାନ ମୁଖ୍ୟ ଡେଭିଡ ବିସ୍‌ଲି। ଜାତିସଂଘରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପସ୍ଥାପିତ କରି ବିସ୍‌ଲି କହିଛନ୍ତି ଯେ ଗତବର୍ଷ ହିଁ ଏହି ୪ଟି ଦେଶର ଲୋକଙ୍କୁ ଅନାହାର ଜନିତ ଅକାଳ ମୃତ୍ୟୁରୁ ରକ୍ଷା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସେଠାରେ ଖାଦ୍ୟ ସଙ୍କଟ ଯୋଗୁଁ ଲୋକେ ପୋକ ମାଛି ପରି ମରିବା ଆରମ୍ଭ କଲେଣି। ସଦ୍ୟ ସୂଚନା ମୁତାବକ, ଇଥିଓପିଆ, ସୋମାଲିଆ ଓ କଙ୍ଗୋରେ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। କିଛି ଆଫ୍ରିକୀୟ ଦେଶରେ ଉର୍ବର ମୃତ୍ତିକା, ପ୍ରାକୃତିକ ସମ୍ପଦ ଭରପୂର ଥିବା ସତ୍ତ୍ୱେ ଖାଦ୍ୟ ସୁରକ୍ଷା ଅଭାବରୁ ବାହୁବଳୀମାନେ ଫାଇଦା ମାରିନେବା ଚିନ୍ତାର କାରଣ ବୋଲି ବିସ୍‌ଲି ଉଦ୍‌ବେଗ ପ୍ରକାଶ କରିଛନ୍ତି।

ବିସ୍‌ଲିଙ୍କ କହିବା ଅନୁଯାୟୀ, ଅନାହାର ଓ ସଂଘର୍ଷ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ସହ ତାହା ବିଧ୍ୱଂସକାରୀ ପାଲଟିଛି। ଭୋକ ମେଣ୍ଟାଇବା ପାଇଁ ଲୋକେ କରୁଥିବା ସଂଘର୍ଷ ହିଁ ହିଂସାର ରୂପ ନିଏ। ପାଲେଷ୍ଟାଇନ୍‌ ଗୃହଯୁଦ୍ଧ ହେଉ କି ଉତ୍ତର କୋରିଆ ଶାସକଙ୍କ ପରମାଣୁ ନିଶା, ସିରିଆର ଗୃହଯୁଦ୍ଧ ଅଥବା ଆଇଏସ୍‌ର ତାଣ୍ଡବ, ସବୁ କ୍ଷେତ୍ରରେ ଖାଦ୍ୟ ହିଁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଜଡ଼ିତ। ଦୀର୍ଘବର୍ଷ ଧରି ସିରିଆରେ ଚାଲିଥିବା ଗୃହଯୁଦ୍ଧ କାରଣରୁ ଲୋକେ କର୍ମକ୍ଷେତ୍ରକୁ ବାହାରି ପାରୁନାହାନ୍ତି। ବାରମ୍ବାର ଆକ୍ରମଣ ଯୋଗୁଁ ଲୋକେ ଖାଦ୍ୟର ସନ୍ଧାନ ମଧ୍ୟ କରିପାରୁନାହାନ୍ତି। ଯୁଦ୍ଧ ଯୋଗୁଁ ସରକାରଙ୍କ ମଧ୍ୟ ରାଜସ୍ୱ ସରିଯାଉଥିବାରୁ ଜନତାଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇପାରୁନାହିଁ।

ସାରା ବିଶ୍ୱରେ ମୋଟ ୮୧ କୋଟି ୫୦ଲକ୍ଷ ଲୋକ ଅନାହାରରେ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଅର୍ଥାତ୍‌ ପାଖାପାଖି ୪୯କୋଟି ଲୋକ କେବଳ ସଂଘର୍ଷରତ ଅଞ୍ଚଳରେ ରହୁଛନ୍ତି। ସେଠାରେ ଗୋଟିଏ ଭୋଜନ ପରେ ପରବର୍ତ୍ତୀ ଖାଦ୍ୟ କେବେ ଓ କେଉଁଠି ମିଳିବ, ତାହା ସେମାନଙ୍କୁ ଜଣା ନଥାଏ। ଜାତିସଂଘ ମାନବାଧିକାର ସଂଗଠନର ମୁଖ୍ୟ ମାର୍କ ଲୋକକ୍‌ଙ୍କ କହିବା ଅନୁଯାୟୀ, ବିଗତ ଦୁଇ ଦଶନ୍ଧୀ ହେଲା ଦୁର୍ଭିକ୍ଷର ମାତ୍ରା ଏବଂ ଏହାର ପ୍ରଭାବ ମଧ୍ୟ ହ୍ରାସ ପାଇଛି। କୃଷିଭିତ୍ତିକ ଉତ୍ପାଦନରେ ମାତ୍ରାଧିକ ଅଭିବୃଦ୍ଧି କାରଣରୁ ଖାଦ୍ୟାଭାବକୁ ଦୂର କରାଯାଇ ପାରୁଛି। ଖାଦ୍ୟ ଉତ୍ପାଦନକାରୀ ରାଷ୍ଟ୍ର ନିଜକୁ ଅଧିକରୁ ଅଧିକ ଶକ୍ତିଶାଳୀ କରି ଗଢ଼ି ତୋଳିବାରେ ସକ୍ଷମ ହେଉଛନ୍ତି। ହାତ ଗଣତି କେଇଟା ଦେଶରେ ଦୁର୍ଭିକ୍ଷର ପ୍ରଭାବରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ଯେଉଁଠି ଏବେ ବି ଦୁର୍ଭିକ୍ଷ ଲାଗି ରହିଛି, ସେଠାରେ ଲୋକେ କେବଳ ଖାଦ୍ୟ ପାଇଁ ନୁହେଁ ବରଂ ଶାନ୍ତିରେ ବଞ୍ଚିବା ପାଇଁ ବି ରାହା ଖୋଜୁଛନ୍ତି। ଏହି ସବୁ ଦେଶରେ ମୋଟ ସାଢ଼େ ୧୫କୋଟି ଶିଶୁ ମଧ୍ୟ ଖାଦ୍ୟାଭାବରୁ ଅପପୁଷ୍ଟି ଜନିତ ରୋଗର ଶିକାର ହେଉଛନ୍ତି। ସାରା ବିଶ୍ୱରେ ଚାଲିଥିବା ସଂଘର୍ଷରେ ବିରାମ ନ ଆସିିବା ଯାଏ ପରିସ୍ଥିତିରେ ସୁଧାର ଆସି ପାରିବ ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର