ଚୋରି ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଅଦାଲତ ଜାରିକଲେ ଗିରଫ ପରଓ୍ଵାନା

ନୂଆଦିଲ୍ଲୀ: ଆଲିପୁରଦୁଆରର ଏକ ଅଦାଲତ ଆଜି (ବୁଧବାର) କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକଙ୍କ ବିରୋଧରେ ଏକ ଗିରଫ ପରଓ୍ଵାନା ଜାରି କରିଛନ୍ତି। ୧୩ ବର୍ଷ ପୂର୍ବେ ଦୁଇଟି ଅଳଙ୍କାର ଦୋକାନରୁ ହୋଇ ହୋଇଥିବା ଚୋରି ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକଙ୍କ ବିରୋଧରେ ଏହି ଗିରଫ ପରଓ୍ଵାନା ଜାରି ହୋଇଛି।

ଆଜି ଏହି ମାମଲାର ଶୁଣାଣି ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଅଦାଲତରେ କରାଯାଇଥିଲା ଏବଂ ଓ୍ଵାରେଣ୍ଟ ଜାରି ହେବା ସମୟରେ ମନ୍ତ୍ରୀଙ୍କ ପ୍ରତିନିଧିତ୍ୱ କରୁଥିବା କୌଣସି ଓକିଲ ଅଦାଲତରେ ଉପସ୍ଥିତ ନଥିଲେ। ମନ୍ତ୍ରୀଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଗିରଫ ପରଓ୍ଵାନା ମଧ୍ୟ ଜାରି କରାଯାଇଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୦୯ରେ ଆଲିପୁରଦୁଆର ରେଳ ଷ୍ଟେସନ ଏବଂ ବିରପାରା ନିକଟରେ ଥିବା ଦୁଇଟି ଅଳଙ୍କାର ଦୋକାନରେ ଏହି ଚୋରି ଘଟଣା ଘଟିଥିଲା।

ଗିରଫ ପରଓ୍ଵାନା ଜାରି ହେବା ପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ତଥା ମନ୍ତ୍ରୀ ଥିବା ପରମାଣିକଙ୍କ ଓକିଲ ଦୁଲାଲ ଘୋଷ ସେମାନଙ୍କର ପରବର୍ତ୍ତୀ ଆଇନଗତ ପଦକ୍ଷେପ ସଂପର୍କରେ କୌଣସି ସୂଚନା ପ୍ରଦାନ କରିନାହାନ୍ତି।

ଅନ୍ୟପକ୍ଷରେ ସରକାରୀ ଓକିଲ ଜହର ମଜୁମଦାର ବୁଧବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଏକ ସ୍ୱତନ୍ତ୍ର ସାଂସଦ/ବିଧାୟକ ଅଦାଲତରୁ ଆଲିପୁରଦୁଆର କୋର୍ଟକୁ ଏହି ମାମଲା ସ୍ଥାନାନ୍ତର କରାଯାଇଛି।

ପରମାଣିକ ହେଉଛନ୍ତି ଉତ୍ତର ପଶ୍ଚିମବଙ୍ଗର ବାଂଲାଦେଶ ସୀମା ନିକଟରେ ଥିବା ଦିନହଟା ସହରର ବାସିନ୍ଦା।

ସମ୍ବନ୍ଧିତ ଖବର