ବାହ୍ୟ ଚାପରେ କୋଭାକ୍ସିନକୁ ତରବରିଆ ଭାବେ ପ୍ରସ୍ତୁତ କରାଯାଇଥିବା ଖବରକୁ କମ୍ପାନିର ଖଣ୍ଡନ

ନୂଆଦିଲ୍ଲୀ : ରାଜନୈତିକ ଚାପ ଯୋଗୁଁ କରୋନାଭାଇରସ୍ ଟିକା କୋଭାକ୍ସିନକୁ ତରବରିଆ ଭାବେ ବଜାରକୁ ଛଡ଼ାଯାଇଥିଲା ବୋଲି ହୋଇଥିବା ଅଭିଯୋଗର ଉତ୍ତର ରଖିଛି ଭାରତ ବାୟୋଟେକ୍ । ଏକ ବୟାନ ଜାରି କରି କମ୍ପାନି ପକ୍ଷରୁ କୁହାଯାଇଛି ଯେ କୋଭାକ୍ସିନକୁ ବିକଶିତ କରିବାବେଳେ କୌଣସି ବାହ୍ୟ ଚାପ ପଡ଼ୁନଥିଲା । ପୁଣି ବାରମ୍ବାର ଟାର୍ଗେଟ୍ କରାଯାଉଥିବାରୁ କମ୍ପାନି ତାହାର ନିନ୍ଦା କରିଛି ।

କମ୍ପାନି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, “ଭାରତ ଏବଂ ସାରା ବିଶ୍ବର ଲୋକମାନଙ୍କୁ କୋଭିଡ ପ୍ରକୋପରୁ ବଞ୍ଚାଇବା ପାଇଁ କିପରି ଏକ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଟିକା ବିକଶିତ କରାଯିବ” କେବଳ ସେହି ଚାପ କମ୍ପାନି ଉପରେ ଥିଲା ।

ଭାରତ ବାୟୋଟେକ୍ ଦୃଢୋକ୍ତି ପ୍ରକାଶ କରିଛି ଯେ “ସମଗ୍ର ଉତ୍ପାଦ ବିକାଶ ଏବଂ କ୍ଲିନିକାଲ୍ ଅଧ୍ୟୟନ ବିଶ୍ୱସ୍ତରୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟକାରୀ କରାଯାଇଥିଲା ଏବଂ ତାହାକୁ ବିଶ୍ୱବ୍ୟାପୀ ଦାଖଲ କରାଯାଇଥିଲା । କୋଭାକ୍ସିନ ୨୦ଟି ପ୍ରି-କ୍ଲିନିକାଲ ଷ୍ଟଡି ଦେଇ ଗତିକରିଥିଲା । ଏହା ମଧ୍ୟରେ ୩ଟି ଚ୍ୟାଲେଞ୍ଜ ଟ୍ରାୟାଲ ଓ ୯ଟି ମାନବୀୟ ପରୀକ୍ଷଣ ଅନ୍ତର୍ଭୁକ୍ତ ଥିଲା । ସାରା ବିଶ୍ବରେ ଲକ୍ଷ ଲକ୍ଷ ଡୋଜ୍ କୋଭାକ୍ସିନ ଲୋକଙ୍କୁ ଦିଆଯାଇଥିବାବେଳେ, ତାହା ସବୁଠାରୁ ନିରାପଦ, ପ୍ରଭାବୀ ସାବ୍ୟସ୍ତ ହୋଇଥିଲା ।

ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଏକ ବୟାନ ଜାରି କରି କୋଭାକ୍ସିନ ବାହାର କରିବାକୁ କମ୍ପାନି ଉପରେ କୌଣସି ଚାପ ଦିଆଯାଇଥିବା ଖବରକୁ ଖଣ୍ଡନ କରାଯାଇଥିଲା ।

ସମ୍ବନ୍ଧିତ ଖବର