ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ପରେ ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି। ବିରୋଧୀ ଦଳ ନେତାମାନେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପରାମର୍ଶଦାତା କମିଟି (ବିଏସି) ବୈଠକରେ ପ୍ରମୁଖ ମନ୍ତ୍ରୀ ଜେପି ନଡ୍ଡା ଓ କିରଣ ରିଜିଜୁଙ୍କ ଅନୁପସ୍ଥିତିକୁ ଏଥି ସହ ଯୋଡ଼ିଛନ୍ତି। କଂଗ୍ରେସ ଦାବି କରିଛି ଯେ ସୋମବାରର ବିଏସି ବୈଠକରେ ଗୃହନେତା ନଡ୍ଡା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ରିଜିଜୁଙ୍କ ଅନୁପସ୍ଥିତିକୁ ନେଇ ଧନଖଡ଼ ଅସନ୍ତୁଷ୍ଟ ଥିଲେ। ତେବେ ସେମାନେ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କାର୍ଯ୍ୟରେ ବ୍ୟସ୍ତ ଥିଲେ ଏବଂ ଅଧ୍ୟକ୍ଷଙ୍କୁ ଆଗୁଆ ଅବଗତ କରାଇଥିଲେ ବୋଲି ନଡ୍ଡା କହିଛନ୍ତି।
ସରକାରୀ ଓ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ସମୟ ଆବଣ୍ଟନ ପାଇଁ ସୁପାରିସ କରିବାରେ ରାଜ୍ୟସଭାର କାର୍ଯ୍ୟ ପରାମର୍ଶଦାତା କମିଟି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପ୍ରଥମ ବୈଠକ ମଧ୍ୟାହ୍ନ ସାଢ଼େ ୧୨ଟାରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ନଡ୍ଡା ଓ ରିଜିଜୁଙ୍କ ସମେତ ଅଧିକାଂଶ ସଦସ୍ୟ ଯୋଗ ଦେଇଥିଲେ। କିଛି ଆଲୋଚନା ପରେ ଅପରାହ୍ଣ ସାଢ଼େ ୪ଟାରେ ପୁଣି ଦ୍ବିତୀୟ ବୈଠକ ବସିବାର ଥିଲା। ତେବେ ଏହି ଦ୍ବିତୀୟ ବୈଠକରେ ଉଭୟ ମନ୍ତ୍ରୀ ଅନୁପସ୍ଥିତ ଥିଲେ। ସେମାନଙ୍କ ଅନୁପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ ସରକାରଙ୍କ ପ୍ରତିନିଧିତ୍ୱ କରିଥିଲେ। ତେବେ ସୋମବାର ଦୁଇଥର ବୈଠକ ବସିଥିଲେ ମଧ୍ୟ ଉଭୟ ବୈଠକରୁ କୌଣସି ସୁଫଳ ମିଳି ନ ଥିଲା। ଅନ୍ୟପକ୍ଷରେ ନଡ୍ଡା କହିଛନ୍ତି ଯେ, ଅପରାହ୍ଣ ସାଢ଼େ ୪ଟାରେ ଉପରାଷ୍ଟ୍ରପତିଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ କିରଣ ରିଜିଜୁ ଓ ମୁଁ ଯୋଗ ଦେଇ ନ ଥିଲୁ କାରଣ ଆମେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କାର୍ଯ୍ୟରେ ବ୍ୟସ୍ତ ଥିଲୁ ଏବଂ ମାନ୍ୟବର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଆଗୁଆ ସୂଚନା ଦେଇଥିଲୁ।
ରାଜ୍ୟସଭାରେ ନଡ୍ଡା ଦେଇଥିବା ଏକ ମନ୍ତବ୍ୟ ଉପରେ ମଧ୍ୟ କଂଗ୍ରେସ ଆଲୋକପାତ କରିଛି, ଯେଉଁଥିରେ ସେ କହିଥିଲେ, କିଛି ରେକର୍ଡରେ ରହିବ ନାହିଁ, କେବଳ ମୁଁ ଯାହା କହୁଛି ତାହା ରେକର୍ଡରେ ରହିବ। ଅନେକେ ଏହାକୁ ଉପରାଷ୍ଟ୍ରପତିଙ୍କ ପ୍ରତି ଅପମାନ ବୋଲି କହିଛନ୍ତି। କଂଗ୍ରେସ ଦାବି କରିଛି ଯେ ଧନଖଡ଼ଙ୍କ ଇସ୍ତଫା ପଛର କାରଣ ତାଙ୍କ ଦ୍ୱାରା ଦର୍ଶାଯାଇଥିବା ସ୍ୱାସ୍ଥ୍ୟଗତ ସମସ୍ୟାଠାରୁ ଅଧିକ ଗମ୍ଭୀର। ବିଏସିରେ ସାମିଲ ଥିବା କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ଉପରାଷ୍ଟ୍ରପତି ଧନଖଡ଼ଙ୍କୁ ମନ୍ତ୍ରୀଙ୍କ ଅନୁପସ୍ଥିତି ବିଷୟରେ ବ୍ୟକ୍ତିଗତ ଭାବେ ଅବଗତ କରାଯାଇ ନ ଥିଲା ଏବଂ କମିଟି ସଦସ୍ୟମାନେ ମନ୍ତ୍ରୀଙ୍କ ଆସିବାକୁ ଅପେକ୍ଷା କରିଥିଲେ। କିନ୍ତୁ ସେମାନେ ଆସି ନ ଥିଲେ। ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ଧନଖଡ଼ ରାଜ୍ୟସଭାରେ ଅଧ୍ୟକ୍ଷତା କରିଥିଲେ ଏବଂ ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଆଲୋଚନାରେ ସାମିଲ ହୋଇଥିଲେ। କାର୍ଯ୍ୟ ପରାମର୍ଶଦାତା କମିଟି ବ୍ୟତୀତ ସେ ବିରୋଧୀ ଦଳ ନେତାମାନଙ୍କ ସହ ମଧ୍ୟ ସାକ୍ଷାତ୍ କରିଥିଲେ। ସେତେବେଳେ କୌଣସି ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଇସ୍ତଫା ଦେବାର ଯୋଜନା ବିଷୟରେ କୌଣସି ସଙ୍କେତ ଦେଇ ନ ଥିଲେ।
୭୪ ବର୍ଷୀୟ ଧନଖଡ଼ ଅଗଷ୍ଟ ୨୦୨୨ରେ ଦାୟିତ୍ୱ ଗ୍ରହଣ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଥିବା ସମୟରେ ତାଙ୍କର ବିରୋଧୀଙ୍କ ସହ ଏକାଧିକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁମାନେ ତାଙ୍କୁ ହଟାଇବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ, ଯାହା କି ବର୍ତ୍ତମାନର ଉପରାଷ୍ଟ୍ରପତି ପଦ ପାଇଁ ସ୍ୱାଧୀନ ଭାରତରେ ପ୍ରଥମ। କିନ୍ତୁ ପରେ ଏହି ପ୍ରସ୍ତାବକୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଖାରଜ କରିଦେଇଥିଲେ। ଭିଭି ଗିରି ଓ ଆର୍ ଭେଙ୍କଟରମଣଙ୍କ ପରେ ଧନଖଡ଼ ହେଉଛନ୍ତି ଭାରତର ତୃତୀୟ ଉପରାଷ୍ଟ୍ରପତି ଯିଏ କି ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି। ଉଭୟ ଗିରି ଓ ଭେଙ୍କଟରମଣ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଇସ୍ତଫା ଦେଇଥିଲେ।

Advertisment